Latest Odisha News

ଗୁଜୁରାଟର ଅଡାଲଜ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ଅହମ୍ମଦାବାଦ : ଗୁଜୁରାଟର ଅହମ୍ମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ପ୍ରବଳ ଉତ୍କଣ୍ଠା ଓ ଉତ୍ସାହର ସହ ମହାସମାରୋହରେ ପାଳନ କରାଯାଇଛି। ମନ୍ଦିର ମଧ୍ୟରେ ସକାଳେ ଠାକୁର ମାନଙ୍କର ଯଥାରୀତି ପୂଜାର୍ଚ୍ଚନା ସମ୍ପନ୍ନ କରାଯାଇ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଏବଂ ସଶ୍ରୀ ଜଗନ୍ନାଥଙ୍କର ପ୍ରତିମା ଗୁଡ଼ିକୁ ସାହି ରୋଷଣୀ କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ ପାରମ୍ପରିକ ଢଙ୍ଗରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ।

ପ୍ରାୟ ୨୦ହଜାର ଭକ୍ତଙ୍କର ସମାଗମରେ ରାଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ନଗର ପରିକ୍ରମାରେ ନିଆଯାଇଥିଲା। ରଙ୍ଗାରଙ୍ଗ ରଥଟିକୁ ଅଡାଲଜଠାରୁ ୩ କିଲୋମିଟର ଦୂରରେ ଥିବା ମା’ ଅନ୍ନପୂର୍ଣ୍ଣା ଙ୍କର ମନ୍ଦିର ନିକଟକୁ ନିଆଯାଇ ମଧ୍ୟାହ୍ନ ସୁଦ୍ଧା ପୁଣି ମୁଖ୍ୟ ମନ୍ଦିରର ବେଢାକୁ ଫେରାଇ ଅଣାଯାଇଥିଲା। ଏହାପରେ ଠାକୁରମାନଙ୍କୁ ମନ୍ଦିରର ତଳ ତାଲାରେ ଥିବା କମ୍ୟୁନିଟିହଲ ପରିସରରେ ବନିଥିବା ମାଉସୀ ମା ଘରକୁ ନିଆଯାଇ ସେଠାରେଥିବା ସିଂହାସନରେ ବିରାଜମାନ କରାଯାଇଥିଲା। ଆସନ୍ତା ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଦିଅଁମାନେ ଏହିଠାରେ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ସୁତ୍ରରୁ ଜଣାଯାଇଛି।

ମନ୍ଦିରକୁ ପରିଚଳନା କରୁଥିବା ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମି ଓ ଅନୁସନ୍ଧାନ କେନ୍ଦ୍ର (ଜେ.ସି.ଏ. ଆର.ସି) ତରଫରୁ ଓ ଜେ.ସି. ଏ. ଆର. ସି ର ଅଧ୍ୟକ୍ଷ ଡ଼ଃ ସୁଦୀପ କୁମାର ନନ୍ଦ ଙ୍କର ତତ୍ତ୍ୱାବଧାନରେ ସଂଗଠକ ଓ ସ୍ୱେଚ୍ଛାସେବକମାନେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ବେଶ ତତ୍ପରତା ପ୍ରଦର୍ଶନ କରୁଥିବା ଲକ୍ଷ କରାଯାଇଥିଲା। ଏହି ଯାତ୍ରାର ଆୟୋଜନ କରିବାରେ ବିଶ୍ୱ ବ୍ରାହ୍ମଣ ସଂଗଠନର ସଭାପତି ଶଶୀକାନ୍ତ ତିୱାରୀ, ମହାସଚିବ ଦୀପକ ଯୋଶୀ ଏବଂ ମା’ ଅନ୍ନପୂର୍ଣ୍ଣା ଟ୍ରଷ୍ଟର ପରିଚଳନା କମିଟି ବ୍ୟାପକମାତ୍ରାରେ ସହାୟତା ଯୋଗାଇ ଦେଇଥିଲେ।

ଏହି ମହୋତ୍ସବକୁ ସୂଚାର ରୂପେ ଆୟୋଜନ ଓ ସଫଳଭାବେ ସମାପନ କରିବାରେ ଓଡିଶା ସଙ୍ଘ ଓ ଜେ.ସି. ଏ. ଆର. ସିର ସଦସ୍ୟ ବୃ ନ୍ଦଯଥା ସହଯୋଗ ପ୍ରଦାନ କରିଥିଲେ ।

 

 

Comments are closed.