କଟକ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ। ବିଧି ଅନୁସାରେ ରାମ ନବମୀରୁ ଚିରଟ ଆରମ୍ଭ ହୋଇଛି। ପୁରୀରୁ ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳା ଆସିବା ପରେ ପୂଜା କରାଯାଇ ଖପୁରିଆ ସରକାରୀ କାଠ ମିଲରେ ଚିରଟ ଆରମ୍ଭ ହେଲା।
କଟକ ଖପୁରିଆ ସ୍ଥିତ ସରକାରୀ କରତ କଳରେ ସର୍ବ ପ୍ରଥମେ ରଥକାଠ ଅନୁକୂଳ କରାଯାଇଛି । ଏଥିପାଇଁ ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ କରତ କଳରେ ପହଞ୍ଚିବା ପରେ ସ୍ୱତନ୍ତ୍ର ପୂଜାପାଠ ପରେ ରଥକାଠ ଅନୁକୂଳ କରାଯାଇଥିଲା । ମନ୍ଦିରର ସେବାୟତମାନେ କାଠକୁ ପୂଜାର୍ଚ୍ଚନା କରିବା ପରେ ରଥକାଠ ଚିରା କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି ଧ୍ବନୀରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ପ୍ରଥମ ପର୍ଯ୍ୟାୟରେ ପରମ୍ପରା ମୁତାବକ ୩ ଲମ୍ବ ବିଶିଷ୍ଟ ଧୌରା କାଠ ଚିରଟ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି । କାଠ ଚିରଟ ସମୟରେ ପୁରୀ ମନ୍ଦିର ପ୍ରଶାସନର ଅଧିକାରୀ ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇ ଥିବା ମହାରଣା ସେବାୟତମାନେ ଉପସ୍ଥିତ ଥିଲେ ।
ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ, ଗତବର୍ଷ ୪୭ ଖଣ୍ଡ କାଠ ବଳକା ଥିଲା । ତେବେ ଚଳିତବର୍ଷ ମୋଟ ୮୧୮ ଖଣ୍ଡ କାଠ ବନ ବିଭାଗ ପଠାଇବ ।
ରଥ ନିର୍ମାଣ ପାଇଁ ନୟାଗଡର ଦଶପଲ୍ଲା ସମେତ ବିଭିନ୍ନ ଜିଲ୍ଲାର ଜଙ୍ଗଲରୁ କାଠ ସଂଗ୍ରହ କରାଯାଇ କଟକ ଖପୁରିଆ ସ’ ମିଲ ଅଭିମୁଖେ ଆସିବ ।
ରଥ କାଠ ମଧ୍ୟରେ ଅସନ, ଧଉରା, ଫାସୀ ସମେତ ବହୁ ମୂଲ୍ୟବାନ କାଠ ଚିରଟ ହେବ । କାଠ ଗୁଡିକ ଏଠାରେ ପହଞ୍ଚିବା ପରେ ପର୍ଯ୍ୟାୟ କ୍ରମେ ସବୁ ଏହି କାଠକୁ ଆବଶ୍ୟକ ମୁତାବକ ସାଇଜରେ ମେସିନ ସାହାଯ୍ୟରେ ଚିରଟ ହେବ । ତେବେ ଖୁବଶୀଘ୍ର କାଠ ଚିରଟ ହୋଇ ପୁରୀ ଅଭିମୁଖେ ଯାତ୍ରା କରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।