Latest Odisha News

BREAKING NEWS

ପୁରୀ ସହ ଦୀଘା ରଥଯାତ୍ରାକୁ ତୁଳନା କରି ଅଡୁଆରେ ବରିଷ୍ଠ ସାମ୍ବାଦିକ ରାଜଦୀପ; ସବ୍ୟସାଚୀଙ୍କ ଦୃଢ ବିରୋଧ

ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍‌ଦେଶାଇ। ପୁରୀ ରଥଯାତ୍ରା ସହିତ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ରଥଯାତ୍ରାକୁ ତୁଳନା କରି ଜାତୀୟସ୍ତରରେ ଏକ ପ୍ରୋପାଗଣ୍ଡା ତିଆରି କରିବାକୁ ଚେଷ୍ଟା କରିଛନ୍ତି ରାଜଦୀପ । ତେବେ ଏହି ତୁଳନାକୁ ଅଭିନେତା ସବ୍ୟସାଚୀ ମିଶ୍ର ଦୃଢ ନିନ୍ଦା କରିବା ସହିତ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

କୋଟି ଓଡିଆଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଦାବି କରିଥିଲେ ସବ୍ୟସାଚୀ। ଏପଟେ ସବ୍ୟସାଚୀଙ୍କ ସମର୍ଥନରେ ଜଗନ୍ନାଥପ୍ରେମୀ ବାହାରିଥିଲେ । ଶେଷରେ ରାଜଦୀପ ଏନେଇ କ୍ଷମା ପ୍ରାର୍ଥନା କରିଛନ୍ତି।

ଖବରମୁତାବକ, ଶୁକ୍ରବାର ରାତିରେ ରାଜଦୀପ ସର୍‌ଦେଶାଇ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଥିଲେ, ଜଗନ୍ନାଥଙ୍କ ରଥଯାତ୍ରାର ଏବେ ଦୁଇଟି ଠିକଣା। ମୂଳ ଠିକଣା ଓଡ଼ିଶାର ପୁରୀରେ ଏବଂ ନୂତନ ଠିକଣା ପଶ୍ଚିମବଙ୍ଗର ଦୀଘାରେ। ତେବେ ଅଭିନେତା ସବ୍ୟସାଚୀ ଏକ୍ସରେ ଏହି ପୋଷ୍ଟକୁ ନେଇ ଦୃଢ ପ୍ରତିବାଦ କରିଛନ୍ତି । ସେ ଲେଖିଥିଲେ ଏହା ଗ୍ରହଣୀୟ ନୁହେଁ। ଏହି ପେଡ୍ ପ୍ରୋପାଗଣ୍ଡାକୁ ଦୃଢ଼ ନିନ୍ଦା କରୁଛି। ଏପରି ଦାୟିତ୍ୱହୀନ ବୟାନ ଏବଂ ଓଡ଼ିଆ ଭାବନାକୁ ଆଘାତ ଦେବା ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା ଉଚିତ। ରଥଯାତ୍ରା ସମୟରେ ହଜାର ହଜାର ସ୍ଥାନରେ ଏଭଳି ରଥଯାତ୍ରା ଅନୁଷ୍ଠିତ ହେଉଛି। ମାତ୍ର କେହି ବି ପୁରୀ ରଥଯାତ୍ରା ସହିତ ଏଭଳି ତୁଳନା କରିବାକୁ ଦୁଃସାହସ କରିନାହାନ୍ତି । ଚକା ଆଖି ସବୁ ଦେଖୁଛି । ଜୟ ଜଗନ୍ନାଥ ।

ସବ୍ୟସାଚୀଙ୍କ ଟୁଇଟ୍‌କୁ ନେଇ ଜଗନ୍ନାଥ ଭକ୍ତଙ୍କ ସମର୍ଥନ ମିଳିବା ଦେଖି ରାଜଦୀପ୍‌ ପୁନର୍ବାର ଆଉ ଏକ ପୋଷ୍ଟ କରିଥିଲେ।

ପୁରୀ ସର୍ବଦା ଭକ୍ତମାନଙ୍କ ପାଇଁ ମୂଳ ଏବଂ ସବୁଠାରୁ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ହୋଇ ରହିବ । ଯଦି ଆପଣ ପ୍ରଭୁ ଜଗନ୍ନାଥଙ୍କ ଜଣେ ପ୍ରକୃତ ଭକ୍ତ ଆପଣ ଖୁସି ହେବା ଉଚିତ ଯେ,ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତି ବହୁ ଦୂରକୁ ବ୍ୟାପି ଚାଲିଛି, ଦୀଘାରେ ହେଉଥିବା ରଥଯାତ୍ରାକୁ ସ୍ବାଗତ କରିବା ଉଚିତ ବୋଲି ସେ ଲେଖିଥିଲେ ।

କିଛି ସମୟ ପର୍ଯ୍ୟନ୍ତ ଏଭଳି ଟୁଇଟ୍‌ ଓ୍ବାର ଚାଲିବା ପରେ ରାଜଦୀପ ନିଜର ମନ୍ତବ୍ୟକୁ ନେଇ କ୍ଷମା ପ୍ରାର୍ଥନା କରିଥିଲେ ।

Comments are closed.