Latest Odisha News

ବଡ଼ଦାଣ୍ଡରେ ଚଳଚଞ୍ଚଳ ରଥଖଳା; ଦ୍ରୁତଗତିରେ ଚାଲିଛି ରଥନିର୍ମାଣ…

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପର୍ବର ପ୍ରାରମ୍ଭିକ ପର୍ବ ବଡ଼ଦାଣ୍ଡର ରଥଖଳାରୁ ଆରମ୍ଭ ହୋଇଛି । ପବିତ୍ର ଅକ୍ଷୟ ତୃତୀୟାରେ ରଥଖଳାରେ ରଥକାଠ ଅନୁକୂଳ ହୋଇ ତିନିରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଥିଲେ ମଧ୍ୟ ସରକାରଙ୍କ ଲକ୍‌ଡ଼ାଉନ୍ ନିୟମକୁ ପାଳନ କରାଯାଇ ବିଳମ୍ବରେ ଆରମ୍ଭ ହୋଇଛି । ଭୋକ-ଶୋଷ ଭୁଲି ରଥଖଳାରେ ମହାରଣା ସେବକ ମାନେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରୁଛନ୍ତି ତିନିରଥ । ଏବେ ରଥ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତ ଲକ୍‌ଡ଼ାଉନ୍ କଟକଣାକୁ ମାନି ରଥଖଳାରେ ଭୋଇ ସେବକ, ଓଝା ସେବକ ଏବଂ ମହାରଣ ସେବକମାନେ ନିଜ ନିଜ ଦାୟିତ୍ୱ ସମ୍ପାଦନ କରିଛନ୍ତି ।

ରବିବାର ଦିନ ଏହି ସମସ୍ତ ସେବକମାନଙ୍କ ଦ୍ୱାରା ୩୫ଟି ତୁମ୍ବ ଓ ଏହାର ସୂତା ବାଡ଼ିଆ କାର୍ଯ୍ୟ ସମାପ୍ତ ହୋଇଛି । ଆଜି ରାତିସୁଦ୍ଧା ଆଉ ୬ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହେବାକୁ ବାକି ରହିଥିବା ବେଳେ ସେବକମାନେ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।

ସେହିପରି ଭାବେ ରବିବାର ଦିନ ମଧ୍ୟ ତିନି ରଥର ଗୋଟିଏ ଲେଖାଏଁ ଅଖ କାମ ଆରମ୍ଭ ହୋଇଛି ।

ରଥ ନିର୍ମାଣରେ ସଂପୃକ୍ତ ରହିଥିବା ସମସ୍ତ ସେବକମାନଙ୍କୁ ସାନିଟାଇଜର୍ ଯୋଗାଇ ଦିଆଯାଇଛି । ସେବକମାନେ ମାସ୍କ ପିନ୍ଧି ରଥ ନିର୍ମାଣ କରୁଥିବା ସହିତ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟାରେ ରଥଖଳାରେ ରଥକାଠ ଅନୁକୂଳ ହୋଇପାରିନଥିବାରୁ ଆଜି ରଥଖଳାରେ ତିନିରଥର ମୁଖ୍ୟ ବିଶ୍ୱକର୍ମାମାନେ ପୂଜା କରିବା ସହିତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

Leave A Reply

Your email address will not be published.