Latest Odisha News

BREAKING NEWS

ମାଉସୀ ମା’ ଅଟକାଇଲେ ରଥ; ମହାପ୍ରଭୁ ଖାଇଲେ ପୋଡ଼ପିଠା

ପୁରୀ: ଶ୍ରୀକ୍ଷେତ୍ରର ଶ୍ରୀଗୁଣ୍ଡିଚାରୁ ଶ୍ରୀମନ୍ଦିର ଯାଏଁ ରଥାରୂଢ ଶ୍ରୀଜଗନ୍ନାଥ ମହାପ୍ରଭୁ କରିଚାଲିଛନ୍ତି ତାଙ୍କର ଅପୂର୍ବ ମାନବୀୟ ଲୀଳା । ପବିତ୍ର ରଥଯାତ୍ରା ଉତ୍ସବରେ ଆଜି ହେଉଛି ବାହୁଡ଼ା ଯାତ୍ରା ଉତ୍ସବ । ଶ୍ରୀଜୀଉମାନେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀ ଛାଡ଼ି ବାହୁଡୁଛନ୍ତି କର୍ମବେଦୀକୁ । ରତ୍ନବେଦୀକୁ ଯିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ଲୀଳା ବିତାନ କରିଚାଲିଛନ୍ତି । ମାଉସୀ ମା’ର ଶ୍ରଦ୍ଧା ସ୍ୱରୂପ ବଡ଼ଭାଇ ଓ ସାନଭଉଣୀଙ୍କ ସମେତ ମହାପ୍ରଭୁ ଶ୍ରୀଜଗନ୍ନାଥ ଖାଇଛନ୍ତି ସୁବାସିତ ପୋଡ଼ ପିଠା ।

ସତେ ଯେପରି ମାଉସୀର ପୋଡ଼ପିଠା ଖାଇବାକୁ ମହାପ୍ରଭୁ ବର୍ଷକ ଯାକ ଅନେଇ ରହିଥାଆନ୍ତି । ତିନିରଥ ଆଜି ଗୁଣ୍ଡିଚା ମନ୍ଦିରରୁ ବାହାରି ବଳଗଣ୍ଡି ଛକ ପରେ ଥିବା ମାଉସୀ ମା’ ମନ୍ଦିର ନିକଟରେ ଅଟକି ଯାଇଥିଲେ । ମାଉସୀ ମାଙ୍କ ପୋଡ଼ପିଠା ଲାଗି ହେବା ପରେ ଅଟକି ଥିବା ରଥ ପୁଣି ଆଗକୁ ମାଡ଼ିଚାଲିଥିଲେ ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ବାହୁଡ଼ାଯାତ୍ରାରେ ମାଉସୀ ମା ପୋଡ଼ପିଠା ଏକ ରୋଚକ ପ୍ରସଙ୍ଗ । ତେବେ ଯାହାବି ହେଉ ମାଉସୀମା ମନ୍ଦିରର ମୁଖ୍ୟ ପୂଜକ ବିଶ୍ୱନାଥ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସୁବାସିତ ପୋଡ଼ପିଠା ତିଆରି ହୋଇଛି ।

ଏହି ପୋଡ଼ ପିଠାରେ କ୍ଷୀର, ଛେନା, ଅଟା, ମଇଦା, ଲବଙ୍ଗ, ଘିଅ, ଅଳେଇଚ ଭଳି ଅନେକ ଦ୍ରବ୍ୟ ମିଶ୍ରଣ ହୋଇ ଚୁଲିର ବାମ୍ଫରେ ପିଠା ପ୍ରସ୍ତୁତ କରାଯାଇଥିଲା । ପରେ ଏହି ପିଠାକୁ ଘିଅରେ ଛଣାଯାଇଥିଲା ।

ତାଳଧ୍ୱଜ ରଥ ଅଟକିବା ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ଏହି ପୋଡ଼ପିଠା ଲାଗି କରାଯାଇଥିଲା । ଏହାପରେ ମାଉସୀମା ମନ୍ଦିର ନିକଟରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦଣ୍ଡେ ଅଟକିବା ପରେ ସେବାୟତମାନେ ଦେବୀଙ୍କୁ ପୀଠା ଲାଗି କରାଇଥିଲେ । ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟିକିଥିଲା ମନ୍ଦିର ନିକଟରେ । ମାଉସୀ ସ୍ନେହ ଓ ଶ୍ରଦ୍ଧାରେ ଅର୍ପଣ କରିଛନ୍ତି ମହାପ୍ରଭୁଙ୍କୁ ସୁବାସିତ ସୁସ୍ୱାଦୁ ପୋଡ଼ପିଠା ।

ଯାତ୍ରା ସମୟରେ ସୁସ୍ୱାଦୁ ପୋଡ଼ ପିଠା ଖାଇ ମାଉସୀଙ୍କୁ ବିଦାୟ ଦେଇ ପୁଣି ଶ୍ରୀମନ୍ଦିର ଅଭିମୁଖେ ରଥକୁ ସେବାୟତମାନେ ଟାଣି ନେଇଥିଲେ ।

Leave A Reply

Your email address will not be published.