Latest Odisha News

ଆଜି ହେରା ପଞ୍ଚମୀ; ଅଭିମାନରେ ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମା’ ଲକ୍ଷ୍ମୀ

ପୁରୀ:ଜଗତର ଠାକୁର ସେ  । ହେଲେ ଭକ୍ତ ପାଇଁ ସତେ ଯେମିତି ଅତି ଆପଣାର କେହି ଜଣେ । ବିଶ୍ୱ ବ୍ରହ୍ମାଣ୍ଡର ଏହି କର୍ତ୍ତାଙ୍କର  ଅଦ୍ଭୂତ ଲୀଳାଖେଳା ମନରେ ବି ସେମିତି ଏକ ମାନବୀୟ ଭାବ ସୃଷ୍ଟି କରିଥାଏ । ମା’ ଲକ୍ଷ୍ମୀଙ୍କୁ ଛାଡି  ଭାଇ ଭଉଣୀ ସାଙ୍ଗରେ ଗୁଣ୍ଡିଚା ମନ୍ଦିରକୁ ଚାଲି ଆସିଛନ୍ତି ବୋଲି ସେ ରାଗି ଯାଇଛନ୍ତି   ।  ଆଜି ରାଗ ଗରଗର ହୋଇ ଆସି ପ୍ରଭୁଙ୍କ ରଥ ଭାଙ୍ଗିବେ ମା’  ।

ଆଜି ପବିତ୍ର ହେରା ପଞ୍ଚମୀ । ରଥଯାତ୍ରା  ପରମ୍ପରାର ଏକ ବିଶେଷ ପର୍ଯ୍ୟାୟ । ଘୋଷଯାତ୍ରାରେ ଶ୍ରୀମନ୍ଦିର ଛାଡି ଚାଲି ଆସିଛନ୍ତି ମହାପ୍ରଭୁ ।  ସାଥିରେ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ବି ନେଇ ଯାଇଛନ୍ତି ।  ହେଲେ  ନେଇନଥାନ୍ତି ପତ୍ନୀ ମା’ ଲକ୍ଷ୍ମୀଙ୍କୁ । ସାଧାରଣ ପରିବାରରେ  ପତ୍ନୀଙ୍କ  ପକ୍ଷରେ ଏହା ଅସହ୍ୟ ନିଶ୍ଚୟ । ତେଣୁ ମା’ ଲକ୍ଷ୍ମୀ ବି ସାଧାରଣ ମହିଳାଙ୍କ ପରି ପ୍ରତିକ୍ରିୟାଶୀଳ ହୋଇଛନ୍ତି ।  ଏହି ୯ ଦିନ  ଶୂନଶାନ୍ ହୋଇଯାଏ ଶ୍ରୀମନ୍ଦିର । ନା ଅଛି ରୋଷେଇ ନ ଅଛି ଭକ୍ତଙ୍କ ଭିଡ ।

ଏହି ସମୟରେ ମା’ ଲକ୍ଷ୍ମୀଙ୍କ ନିମନ୍ତେ କଳମ ସାଗ ଆଉ ଡାଳୁଅ ଧାନ ଥୋଇ ଦେଇ ଘୋଷ ଯାତ୍ରାରେ ପଳାଇଥାନ୍ତି ପ୍ରଭୁ ଜଗନ୍ନାଥ । ହେରା ପଞ୍ଚମୀ ଦିନ ମା’ ଲକ୍ଷ୍ମୀ ଅଭିମାନ, ରାଗ ଏବଂ ଦୁଃଖରେ ବାହରନ୍ତି ନିଜ ସ୍ୱାମୀ ଶ୍ରୀ ଜଗନ୍ନାଥଙ୍କୁ ଖୋଜିବା ପାଇଁ । ରାତିରେ ଲୁଚି ଲୁଚି ଆସନ୍ତି । ହେଲେ ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଥିବା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଦେଖି ସାରଥିକୁ ପଚାରନ୍ତି  । ହେଲେ ସାରଥୀ କିଛି ନ କହିବାରୁ ରାଗରେ ରଥ କାଠ ଭାଙ୍ଗି ଦିଅନ୍ତି ମା’ ଲକ୍ଷ୍ମୀ ।

ଏହାପରେ ମନ୍ଦିର ଭିତରକୁ ଯାଇ ସାଥିରେ ନେଇଥିବା କର୍ପୂର ଚୂର୍ଣ୍ଣକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଫିଙ୍ଗି ଦେଇ ସେଠାରୁ ପଳାଇ ଆସନ୍ତି ।  ସ୍ୱାମୀଙ୍କୁ ବସିଭୂତ କରିବା ପାଇଁ ମା’ ବିମଳାଙ୍କ ଠାରୁ ସାଙ୍ଗରେ ନେଇଥାନ୍ତି ଏହି କର୍ପୂର ଚୂର୍ଣ୍ଣ । ସେଥିପାଇଁ ଏହା ପରଦିନ ହିଁ ରଥକୁ ବୁଲାଇ ଦିଅନ୍ତି । ଯାହାକୁ ରଥର ଦକ୍ଷିଣ ମୋଡ କୁହାଯାଏ ।

ହେରା ପଞ୍ଚମୀ ପାଇଁ ଗୁଣ୍ଡିଚା ମନ୍ଦିରରେ ମହାଲକ୍ଷ୍ମୀଙ୍କୁ ମହାପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ ଆଦି ସହ ଦହି ପଟି ମଣୋହି ନୀତି ଅନୁଷ୍ଠିତ ହେବ ।  ଆସନ୍ତାକାଲି ତିନି ରଥକୁ ଦକ୍ଷିଣ ମୋଡ ଦିଆଯିବ।

Comments are closed.