Latest Odisha News

BREAKING NEWS

ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ସରିଲା ୨୪ଟି ଚକ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଦ୍ରୁତ ଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ସୋମବାର ସନ୍ଧ୍ୟା ସୁଦ୍ଧା ସମସ୍ତ ୪୨ଟି ତୁମ୍ବ ବିନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି । ରଥଖଳାରେ ସମସ୍ତ କାରିଗର ସେବକମାନଙ୍କ ଦ୍ୱାରା ଆଜି ସୁଦ୍ଧା ସମୁଦାୟ ୨୪ଟି ଚକ ନିର୍ମାଣ ସରିଛି ।

ମୁଖ୍ୟ ମହାରଣା ସେବକଙ୍କ ସୂଚନାନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୯ଟି ଚକ, ମା’ ସୁଭଦ୍ରାଙ୍କ ରଥର ୭ଟି ଚକ ଏବଂ ବଡ଼ଠାକୁର ଶ୍ରୀ ଭଳଭଦ୍ରଙ୍କ ତାଳଧ୍ୱଜ ରଥର ୮ଟି ଚକର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକର ପଇ ବିନ୍ଧ ହୋଇ ଲାଗି ହେଲାଣି ।

ନୃସିଂହ ଚତୁର୍ଦ୍ଦଶୀ ଠାରୁ ରୂପକାର ସେବକଗଣ ବଡ଼ ନିଷ୍ଠାର ସହିତ ରଥଖଳାରେ ମାହାର୍ଦ ରଖି ନଡ଼ିଆ ବାଡ଼େଇ ଅନୁକୂଳ ପୂର୍ବକ ଗୁଜରେ ସିଂହ ବିରାଳ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥାଆନ୍ତି । ଏବେ ସୁଦ୍ଧା ନନ୍ଦିଘୋଷ ରଥର ୧୬ଟି ଗୁଜ ମଧ୍ୟରୁ ୬ଟି ସମ୍ପୂର୍ଣ୍ଣ ହୋଇଛି, ୪ଟି ର ଅଧା ହୋଇଛି ଏବଂ ବାକି ଗୁଡ଼ିକର ନକ୍ସା କାମ ଚାଲିଛି । ମଝିରଥର ଗୁଜରେ ସିଂହ ବିରାଳ ଖୋଦେଇ କାମ ୫ଟି ସରିଥିବା ବେଳେ ୪ଟିର କାର୍ଯ୍ୟ ଚାଲିଛି ଏବଂ ୩ଟି ଗୁଜରେ ସିଂହ ବିରାଳ ନକ୍ସା ଅଙ୍କା ଚାଲିଛି । ବଡ଼ ରଥର ୧୬ଟି ଗୁଜ ମଧ୍ୟରୁ ୬ଟି ଗୁଜରେ ସିଂହ ବିରାଳ ଖୋଦେଇ କାର୍ଯ୍ୟ ସରିଥିବା ବେଳେ ୬ଟି ଗୁଜରେ ସିଂହ ବିରାଳ କାର୍ଯ୍ୟ ଖୋଦେଇ ଚାଲିଛି ।

ଅନ୍ୟାନ୍ୟ ରୂପ ଖୋଦେଇ ଯଥା – ନର ବିରାଳ, ଗଜ ବିରାଳ, ସିଂହ ବିରାଳ ଇତ୍ୟାଦି ସ୍ନାନ ପୂର୍ଣ୍ଣମୀ ପରେ କରାଯାଏ ବୋଲି ରୂପକାର ସେବକଙ୍କ ଠାରୁ ପ୍ରକାଶ ।

ଦୋଳବେଦୀଠାରେ ସ୍ଥାପିତ ଅସ୍ଥାୟୀ ଶାଳରେ ଓଝା ସେବକଙ୍କ ଦ୍ୱାରା ତିନିରଥ ପାଇଁ, ବଳା ୮୪ଟି, ପନ୍ଦାର ୮୪ଟି, ଅରକଣ୍ଟା ୧୩୪୪ଟି, ଦଣ୍ଡା କଣ୍ଟା ୪୦୦ ପରେ ସେହିପରି ତୁମ୍ବ ପାଇଁ ପନ୍ଦାର ଚାବି ୧୬୮ଟି ଆବଶ୍ୟକ ଥିବା ବେଳେ ସବୁଥିରୁ ୫୦ଟି ଲେଖାଏଁ ତିଆରି ହୋଇଥିବା ଓଝା ସେବକ, ଦାସରଥି ମହାରଥି ଏବଂ ଅର୍ଜୁନ ମହାରଣାଙ୍କ ଠାରୁ ସୂଚନା ମିଳିଛି ।

ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୂକ୍ତ ସେବକ ମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ରହିଥିବା ଜଣାଯାଇଛି ।

ସମ୍ଭାବ୍ୟ ଅମ୍ଫାନ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ମେ ୧୯ ଓ ୨୦ ତାରିଖ ଦୁଇଦିନ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Leave A Reply

Your email address will not be published.