ହ୍ୟୁଷ୍ଟନ: ଆମେରିକାର ହ୍ୟୁଷ୍ଟନଠାରେ ରଥଯାତ୍ରା ଉତ୍ସବ । ପବିତ୍ର ଚତୁର୍ଦ୍ଦଶ ବାର୍ଷିକ ରଥଯାତ୍ରା ପର୍ବ ମହାସମାରୋହନରେ ପାଳିତ ହୋଇଯାଇଛି । ଓ.ସି.ସି ମଧ୍ୟରେ ସ୍ଥାପିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସମ୍ମୁଖରେ ନୃସିଂହ ହଭନ, ରଥ ବାସ୍ତୁ ପୂଜା, ନାମଯଜ୍ଞ, ମଙ୍ଗଳ ଆଳତୀ, ବନ୍ଦାପନା ଆଦି ପୂଜାର୍ଚ୍ଚନା ଯଥାବିଧି ଅନୁଷ୍ଠିତ ହୋଇଥିଲା । ଏହାପରେ ଜଗନ୍ନାଥ ଅଷ୍ଟକମ୍, ଗୀତ ଗୋବିନ୍ଦ ଓ ଦଶାବତାର ଗାୟନ ତଥା ଭଗବତ ଗୀତା ପାଠ କରାଯାଇଥିଲା । ମଧ୍ୟାହ୍ନରେ କେନ୍ଦ୍ରର ଆନନ୍ଦବଜାର ଭାବରେ ନାମିତ ପାକଶାଳାରେ ପ୍ରସ୍ତୁତ ୫୬ଭୋଗ ଠାକୁରଙ୍କୁ ଅର୍ପଣ
କରାଯାଇ ବିଶ୍ରାମ ଦିଆଯାଇଥିଲା ।
ଅପରାହ୍ନ ଅଢ଼େଇଟାରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଉପଚାର ପୂଜା ଏବଂ ରଥ ପାଇଁ ଆଜ୍ଞାମାଳ ଗ୍ରହଣ ପ୍ରଭୃତି ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା । ଉପସ୍ଥିତ ପ୍ରାୟ ୫୦୦ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆନନ୍ଦ ସହ ଭକ୍ତମାନଙ୍କର ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ତଥା ଶଙ୍ଖ, ଘଣ୍ଟ, କର୍ତ୍ତାଳ, ମର୍ଦ୍ଦଳ ନାଦ ଦ୍ୱାରା ଚାରି ଠାକୁରଙ୍କୁ ପହଣ୍ଡି ରୋଷଣୀ କରାଯାଇ ରଥ ଉପରକୁ ଅଣାଯାଇଥିଲା । ସୁନ୍ଦର, ସୁଶୋଭିତ ଏବଂ ନାନା ରଙ୍ଗବେରଙ୍ଗ କପଡ଼ାରେ ଓ ସୁସଜ୍ଜିତ ରଥ ଉପରେ ଜଗତର ନାଥ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀସୁଦର୍ଶନ ବିରାଜମାନର ଦୃଶ୍ୟ ଥିଲା ।
ସନ୍ଧ୍ୟା ସାଢ଼େ ୭ଟା ବେଳେ ଭୁବନେଶ୍ୱରରୁ ଆସିଥିବା ବଂଶୀଧର ଲେଙ୍କା ରଥ ଉପରେ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମାପନ କରିବା ପରେ ରଥ ଟଣା ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଏହି ଅବସରରେ ରଥଯାତ୍ରାର ବିଶେଷ ଆକର୍ଷଣ ଭାବରେ ସ୍ଥାନୀୟ ଚିକିତ୍ସକମାନଙ୍କ ଦ୍ୱାରା ଏକ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଥିଲା । ଶେଷରେ ପ୍ରତିଷ୍ଠିତ ଓ ଉଦୀୟମାନ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ, ସମ୍ବଲପୁରୀ ଓ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରାଯାଇଥିଲା ।
Comments are closed.