Latest Odisha News

ଶ୍ରୀମନ୍ଦିରରୁ ଆଜ୍ଞାମାଳ ପାଇବା ପରେ ଆରମ୍ଭ ହେଲା ରଥକାଠ ଚିରଟ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରଥକାଠ ଚିରଟ କାର୍ଯ୍ୟ ଆଜି ପବିତ୍ର ଶ୍ରୀରାମ ନବମୀରେ ଆରମ୍ଭ ହୋଇଛି । ପୁରୀ ଶ୍ରୀମନ୍ଦିରରୁ ଆଜି ଆଜ୍ଞାମାଳ ପାଇବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରଥକାଠ ଚିରଟ ଲାଗି ଆନୁଷ୍ଠାନିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅମିନଙ୍କ ସହିତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଆଜ୍ଞାମାଳ ନେଇ କଟକସ୍ଥିତ ଖପୁରିଆ ଓଏଫଡିସିର କରତ କଳରେ ପହଞ୍ଚାଇଥିଲେ ।

ଆଜି ମଧ୍ୟ ଖପୁରିଆର ସ ମିଲଠାରେ ରଥକାଠ ଚିରଟ ଆରମ୍ଭ ହୋଇଛି । ଆସନ୍ତା ୨୬ ଏପ୍ରିଲ୍ ଅର୍ଥାତ୍ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ପାରମ୍ପରିକ ଭାବେ ଆରମ୍ଭ ହେବ । ରଥଖଳାରେ ରହିଥିବା ରଥକାଠରେ ମହାରଣା ସେବକମାନେ ରଥ ନିର୍ମାଣ କରିବେ ।

ପବିତ୍ର ରାମନବମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଚିରା ଅନୁକୂଳ ହୋଇଛି । କଟକ ଖପୁରିଆ ସ୍ଥିତ ଓଏଫଡିସିର କରତ କଳରେ ଏହି କାଠ ଚିରା ଅନୁକୂଳ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର  ମୁଦିନିଧି ଦଳ ଆଜ୍ଞାମାଳ ନେଇ ପହଞ୍ଚିବା ପରେ ପୂଜାର୍ଚନା କରାଯାଇ କାଠ  ଚିରା ଆରମ୍ଭ ହୋଇଥିଲା । ତିନି ରଥ ପାଇଁ ତିନୋଟି କାଠ ପୂଜା କରାଯାଇ ଚିରା ଯାଇଥିଲା ।

ରଥଯାତ୍ରା ପାଇଁ ପ୍ରତି ବର୍ଷ ରାମନବମୀରେ ରଥକାଠ ଚିରା ଅନୁକୂଳ ହୋଇଥାଏ । ପରେ ଏହି ଚିରା ଯାଇଥିବା କାଠ ରଥ ନିର୍ମାଣରେ ବ୍ୟବହୃତ ହୋଇଥାଏ ।

ପବିତ୍ର ଅଖୟ ତୃତୀୟାରେ ରଥ ନିର୍ମାଣ କାମ ବିଧିବଦ୍ଧ ଭାବେ ଆରମ୍ଭ ହୋଇ ରଥ ସଂହିତା ଅନୁସାରେ ତିନି ରଥ ପାଇଁ ମୋଟ ୮୬୫ଖଣ୍ଡ କାଠ ଦରକାର ହୋଇଥାଏ । ୧୯୩ଟି କାଠ ଥିବା ବେଳେ ଏଥର ୬୭୨ଖଣ୍ଡ କାଠ ଦରକାର ହେବ । ସେଥିମଧ୍ୟରୁ ୨୬୬ଖଣ୍ଡ ଖପୁରିଆ କରତ କଳରେ ଚିରଟ ପାଇଁ ଯିବ । ବାକି ରଥଖଳାରେ ରଖି ରଥ ତିଆରିରେ ସିଧାସଳଖ ବ୍ୟବହାର ହେବ ।

ଏବେ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଜନିତ କଟକଣା ରହିଥିବା ଯୋଗୁଁ ସମସ୍ତ ନିୟମାବଳୀକୁ ପାଳନ କରିବା ସହିତ ରଥ ନିର୍ମାଣ ହେବ ବୋଲି ସୂଚନା ମିଳିଛି । ତେବେ ରଥଯାତ୍ରା ବେଳକୁ କଟକଣା ଉଠିଯାଇଥିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା ପୋଷଣ କରିଛନ୍ତି ।

Leave A Reply

Your email address will not be published.