Latest Odisha News

BREAKING NEWS

ସାବଧାନ! ତିନି ମାସର ଇଏମ୍‌ଆଇ ଟାଳିବା ନିଷ୍ପତ୍ତି ପାଇଁ ଦେବାକୁ ପଡିପାରେ ଅଧିକ ଆଠ ମାସର କିସ୍ତି

ଭୁବନେଶ୍ୱର: କରୋନା ପାଇଁ ଆରବିଆଇ ପକ୍ଷରୁ ଘୋଷଣା କରାଯାଇଥିବା ବିଭିନ୍ନ ପଦକ୍ଷେପ ମଧ୍ୟରେ ରହିଥିଲା ଋଣକର୍ତ୍ତାଙ୍କ ପାଇଁ ତିନି ମାସର ଇଏମଆଇ ବା ମାସିକିଆ କିସ୍ତିକୁ ଟାଳିବାର ସୁଯୋଗ । ତେବେ ବର୍ତ୍ତମାନ ବିଭିନ୍ନ ବ୍ୟାଙ୍କଗୁଡିକ ପକ୍ଷରୁ ଏ ସମ୍ପର୍କୀତ ବ୍ୟବସ୍ଥା ଓ ନିୟମାବଳୀ ଘୋଷଣା କରାଯିବା ପରେ ପ୍ରକୃତ କଥା ଉପରୁ ପରଦା ହଟିଛି ।

ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବା ଏସବିଆଇ ପକ୍ଷରୁ ନିଜ ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ଗ୍ରାହକଙ୍କୁ ଏହି ତିନି ମାସର ଇଏମଆଇ ଟାଳିବା ବେଶ୍ ମହଙ୍ଗା ପଡିବ । ବ୍ୟାଙ୍କ ପକ୍ଷରୁ ଉଦାହରଣ ସ୍ୱରୂପ କୁହାଯାଇଛି ଯେ ୧୫ ବର୍ଷ ସୁଝିବାକୁ ବାକିଥିବା ୩୦ ଲକ୍ଷ ଟଙ୍କାର ଗୃହଋଣ କ୍ଷେତ୍ରରେ ତିନି ମାସିଆ ଇଏମ୍‌ଆଇ ଟାଳିବା ବ୍ୟବସ୍ଥା ଆପଣେଇଲେ ଗ୍ରାହକଙ୍କୁ ପରବର୍ତ୍ତୀ ସମୟରେ ପ୍ରାୟ ୨.୩୪ ଲକ୍ଷ ଟଙ୍କା ଅତିରିକ୍ତ ସୁଧ ସୁଝିବାକୁ ପଡିବ । ଏହି ଅତିରିକ୍ତ ସୁଧ ଗ୍ରାହକ ଏବେ ଦେଉଥିବା ପ୍ରାୟ ୮ଟି ମାସିକ କିସ୍ତି ବା ଇଏମଆଇ ସହ ସମାନ । ଅନ୍ୟ ଅର୍ଥରେ କହିବାକୁ ଗଲେ, ତିନି ମାସ ପାଇଁ ଇଏମଆଇ ଟାଳିବାକୁ ଯାଇ ଋଣକର୍ତ୍ତା ୮ଟି ଅଧିକ କିସ୍ତି ଦେବାର ତଣ୍ଡ ଗଣିବେ ।

ସେହିଭଳି ଏସବିଆଇ ୱେବସାଇଟରେ ଦିଆଯାଇଥିବା ଅନ୍ୟ ଏକ ଉଦାହରଣ ଅନୁସାରେ ୫୪ ମାସର ଅବଧି ବାକି ଥିବା ୬ ଲକ୍ଷ ଟଙ୍କାର ଗାଡି ଲୋନ ଉପରେ ତିନି ମାସର ଇଏମଆଇ ଟାଳିଲେ ଋଣକର୍ତ୍ତାଙ୍କୁ ଅତିରିକ୍ତ ପ୍ରାୟ ୧୯ ହଜାର ଟଙ୍କାର ସୁଧ ଗଣିବାକୁ ପଡିବ । ଏହା ତାଙ୍କ ମାସିକ କିସ୍ତିର ପ୍ରାୟ ଦେଢ ଗୁଣ ।

ଏସବିଆଇ ଭଳି ଅନ୍ୟ ବ୍ୟାଙ୍କମାନେ ମଧ୍ୟ ସମାନ ପ୍ରକାର ନିୟମାବଳୀ ଜାରି କରିଛନ୍ତି । ସେଇ ଦୃଷ୍ଟିରୁ ମାସିକ କିସ୍ତି ପ୍ରଦାନ ପାଇଁ ସକ୍ଷମ ଥିଲେ ଆଦୌ ଇଏମଆଇ ଟାଳିବା ନିଷ୍ପତ୍ତି ନ ନେବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହା ଆପଣଙ୍କୁ ଅଯଥାରେ ଅଧିକ ଖର୍ଚ୍ଚାନ୍ତ କରିବ ।

Leave A Reply

Your email address will not be published.