ଭୁବନେଶ୍ୱର: ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନକାର୍ଡ ହିତାଧିକାରୀମାନେ ପୂର୍ବଭଳି ନିଜ କୋଟାର ଚାଉଳ ଉଠାଇପାରିବେ ଓ ଇ-କେୱାଇସି କରି ନଥିବା ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ନେଇ ସେହିପରି କୌଣସି ଅପଡେଟ ଆସିନାହିଁ।
ଚଳିତମାସ ୧୫ ତାରିଖରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ଶେଷସୁଦ୍ଧା ଇ-କେୱାଇସି କରି ନଥିବା ହିତାଧିକାରୀଙ୍କୁ ନଭେମ୍ବରରୁ ଚାଉଳ ମିଳିବ ନାହିଁ ବୋଲି କହିଥିଲେ। ଏଣୁ ସ୍ବାଭାବିକ ଭାବେ ସମସ୍ତଙ୍କ ନଜର ରହିଥିଲା, ସରକାର ଅକ୍ଟୋବର ୩୧ ତାରିଖ ଦିନ କ’ଣ ପଦକ୍ଷେପ ନେଉଛନ୍ତି ।
ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଥିବା ୩ କୋଟି ୨୪ ଲକ୍ଷ ୩୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ନଭେମ୍ବର ୩୦ ସୁଦ୍ଧା ୧୫ ଲକ୍ଷ ୪୧ ହଜାର ୪୨୩ ଜଣ ନିଜର ଇ-କେୱାଇସି କରିନାହାନ୍ତି । ରାଜ୍ୟ ବାହାରେ ଥିବା ୧ଲକ୍ଷ ୪୫ ହଜାର ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି। ମାତ୍ର ରାଜ୍ୟ ବାହାରେ କାମ କରୁଥିବା ଅନେକ ଲୋକ ବିଭିନ୍ନ କାରଣ ପାଇଁ ଏହି ପ୍ରକ୍ରିୟାରେ ସାମିଲ ହୋଇପାରୁନାହାନ୍ତି। ଏହାସହ ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଶିଶୁ ରହିଛନ୍ତି। ସେମାନଙ୍କ ସଂଖ୍ୟାକୁ ହଟାଇଲେ ଇ-କେୱାଇସି କରି ନ ଥିବା ବ୍ୟକ୍ତିଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବ ।
Comments are closed.