Latest Odisha News

ରତ୍ନ ଭଣ୍ଡାର ଚାବି ଗାଏବ ପଛରେ ବିଜେଡି, ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟ ହେବ ସାର୍ବଜନୀନ

ଅନୁଗୁଳ: ଆଜି ପୁରୀରେ ମଗା ରୋଡ ଶୋ’ ପରେ ଅନୁଗୁଳବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦୀ । ଅନୁଗୁଳରେ ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରତ୍ନ ଭଣ୍ଡାର ଚାବି ୬ ବର୍ଷ ହେଲା ମିଳୁନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିଜ କବ୍ଜାରେ ରଖିଥିବା ଭ୍ରଷ୍ଟାଚାରୀମାନେ ହିଁ ଦାୟୀ  ବୋଲି କହି ତେରଛା ନିଶାନା କରିଛନ୍ତି ମୋଦୀ । ଢେଙ୍କାନାଳରେ ଓଡିଆରୁ ନିଜର ଅଭିଭାଷଣ ଆରମ୍ଭ କରି ବିଜେଡିର କଳାଚିଠା ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ।

କହିଛନ୍ତି, ବିଜେଡି ଶାସନରେ ନାଁ ଓଡିଶାର ସମ୍ପଦ ସୁରକ୍ଷିତ ଅଛି ନାଁ ଓଡିଶାର ସଂସ୍କୃତି । ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ବି ଏଥିରୁ ବାଦ୍ ପଡିନାହିଁ  । ଗତ ୬ ବର୍ଷରୁ ରତ୍ନ ଭଣ୍ଡାର ଚାବିର କିଛି ସୂଚନା ନାହିଁ  । ଆମ ଘରର ଚାବି ହଜିଗଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥାଉ ଆଉ ଚାବି ମିଳିଯାଏ  । ଏଠି ୬ ବର୍ଷ ହେଲା ଚାବି ମିଳୁନାହିଁ । ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିଜ କବ୍ଜାରେ ରଖିଥିବା ଲୋକ ହିଁ ଦାୟୀ । ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି ଯେଉଁ ତଦନ୍ତ ହୋଇଥିଲା ସେଥିରେ କ’ଣ ଥିଲା ? ଯାହାକୁ ବିଜେଡି ସରକାର ଦବେଇଛି । ଓଡିଶାରେ ବିଜେପି ସରକାର ଆସିବା ଦରକାର । ଓଡିଶାରେ ବିଜେପି ସରକାର ଆସିବା କ୍ଷଣି ହିଁ କ୍ଷୀର ଓ ପାଣି ଅଲଗା କରିବ ।  ବିଜେପି ସରକାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ ।

ସେ ଆହୁରି ମଧ୍ୟ କହିଛନ୍ତି, ସବୁଠି ମୋଦୀ ସରକାରଙ୍କୁ ହିଁ ୩ୟ ଥର ପାଇଁ କ୍ଷମତାସୀନ କରିବାକୁ ବିପୁଳ ସଂଖ୍ୟରେ ସମର୍ଥନ ମିଳୁଛି । ଏଥର ଓଡିଶାରେ ବି ପ୍ରଥମ ଥର ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି । ଆପଣମାନେ ବିଜେଡି ସରକାର ଉପରେ୨୫ ବର୍ଷ ଭରସା କରିଛନ୍ତି । ଆଜି ପ୍ରତ୍ୟେକ ଓଡିଶାବାସୀ ଏହା ହୃଦୟଙ୍ଗମ କରୁଛନ୍ତି ଏହି କିଛି ବର୍ଷରେ ଓଡିଶା କ’ଣ ଉପଲବ୍ଧି କରିଛି । ଆଜି ବି ଓଡିଶାରେ କୃଷକ ଚିନ୍ତାରେ, ଆଜି ବି ଓଡିଶାର ଯୁବ ଗୋଷ୍ଠୀ ଦାଦନ ପାଇଁ ବାହାରକୁ ଯାଉଛନ୍ତି । ସବୁଠୁ ବଡ କଥା ହେଉଛି ଆଦିବାସୀ କ୍ଷେତ୍ର ଯେଉଁଠି ଜଳ, ଜଙ୍ଗଲ, ଜୀବନ ରହିଛି, ଖଣି ସମ୍ପଦ ରହିଛି ସେଠି ସବୁଠୁ ଅସୁବିଧାରେ ଲୋକେ । ଏତେ ସମୃଦ୍ଧ ଓଡିଶାର ଜନସାଧାରଣ ଏତେ ଗରିବି ଭିତରେ ବଞ୍ଚିବାକୁ ବାଧ୍ୟ କାହିଁକି ହେଉଛନ୍ତି ?

ମୁଁ ସୋମନାଥ କ୍ଷେତ୍ରରୁ ଜଗନ୍ନାଥ କ୍ଷେତ୍ରକୁ ପ୍ରଣାମ କରିବାକୁ ଆସିଛି । କିନ୍ତୁ ଓଡିଶାରେ  ଏ ଗରିବି ପରିସ୍ଥିତି ଦେଖିଲେ ମୋ ହୃଦୟରେ କଷ୍ଟ ଅନୁଭବ ହୁଏ । ଏ ସବୁର କାରଣ ବିଜେଡି ସରକାର । ଭ୍ରଷ୍ଟାଚାର କବଳରେ ଫସିରହିଛି ଓଡିଶା । କିଛି ଭ୍ରଷ୍ଟାଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଆବାସ ଓ ତାଙ୍କ କାର୍ଯ୍ୟାଳୟକୁ ନିଜ କବ୍ଜାରେ ରଖିଛନ୍ତି ।  ବିଜେଡିର ଛୋଟ ଛୋଟ ନେତା ବି କୋଟିପତି ବୋଲି କହିଲେ ମୋଦୀ । ଓଡିଶାର ବିଜେଡି ସରକାର ଓଡିଶା ବାସୀଙ୍କୁ ନିଜର ଖଣିଜ ସମ୍ପଦ ଉପଭୋଗ କରିବାକୁ ଦେଇନାହାନ୍ତି ।

୨୦୧୪ ପରଠାରୁ ଯେବେଠୁ ମୋଦୀ ସରକାରଙ୍କୁ ସୁଯୋଗ ଦିଆଯାଇଛି, ସେବେଠୁ ନୂଆ ଖଣିଖନନ ନୀତି ଲାଗୁ ହୋଇଛି । ଡିଏମଏଫ ମାଧ୍ୟମରେ ଓଡିଶାକୁ ୨୬ ହଜାର କୋଟି ଦିଆଯାଇଛି । ଯାହା ଢେଙ୍କାନାଳର ଉନ୍ନତିରେ ନିୟୋଜିତ ହେବା କଥା କିନ୍ତୁ ଏଥିରେ ବି ଭ୍ରଷ୍ଟାଚାର କରିଛି ବିଜେଡି ।

ସେହିପରି ଓଡିଶାରେ ମୋଦୀ ସରକାର ଆସିବ ବୋଲି ସେ ପୁଣି ଦୃଢୋକ୍ତି କରିଛନ୍ତି । ଓଡିଶାର ବିକାଶ ଓଡିଶା ମାଟିର ପୁଅ ହିଁ କରିପାରିବ  । ଓଡିଶାରେ ବିଜେପି ସରକାର ଆଣ । ବିଜେପି ଓଡିଶାର ପୁଅ କିମ୍ବା ଝିଅକୁ ହିଁ  ଓଡିଶାର ମୁଖ୍ୟମନ୍ତ୍ରୀ କରିବ, ଏହା ମୋଦୀଙ୍କ ଗ୍ୟାରେଣ୍ଟି । ଓଡିଶାରେ ୧୦ ଜୁନରେ ଡବଲ ଇଞ୍ଜିନ ସରକାର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ମୁଁ ଆଜି ଆପଣଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି କହିଛନ୍ତି ମୋଦୀ । ଏଥର ବିଜେଡି ସରକାର ଯିବା ନିଶ୍ଚିତ ।

Comments are closed.