Latest Odisha News

BREAKING NEWS

ରେଭେନ୍ସା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସରେ ଆବଶ୍ୟକ ସୁବିଧା ନଥିବା ଦର୍ଶାଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମୌଳିକ ସୁବିଧା ନଥିବା ଅଭିଯୋଗ କରି ସୋମବାର ଦ୍ୱିତୀୟ କ୍ୟାମ୍ପସର ପ୍ରଶାସନିକ ବ୍ଲକରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଆଇଟିଏମ୍ ଏବଂ ଆଇଏସଟି ବିଭାଗର ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ନୂଆ କ୍ୟାମ୍ପସରେ ସେମାନଙ୍କ କ୍ଲାସ୍ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛି।

ତେବେ ସହରର ସିଡିଏ ଅଞ୍ଚଳରେ ଥିବା ଦ୍ୱିତୀୟ କ୍ୟାମ୍ପସ କଲେଜ ଛକରେ ଥିବା ପୁରୁଣା କ୍ୟାମ୍ପସଠାରୁ ବହୁ ଦୂରରେ ରହିଛି। ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ ସେବା ଯୋଗାଇ ଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା।

କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ବସ୍ ସୁବିଧା ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ନଥିବାରୁ ଛାତ୍ରଛାତ୍ରୀମାନେ ନୂଆ କ୍ୟାମ୍ପସରେ ପାଠପଢ଼ା ଆରମ୍ଭ କରି ପାରୁ ନ ଥିବା ଅଭିଯୋଗ ହୋଇଛି।

ଦ୍ୱିତୀୟ କ୍ୟାମ୍ପସରେ ପାଠାଗାର, ପ୍ରାଥମିକ ଚିକିତ୍ସା ଏବଂ ମହିଳା ହଷ୍ଟେଲ ଭଳି ମୌଳିକ ସୁବିଧାର ଅଭାବ ରହିଛି ବୋଲି ଛାତ୍ରମାନେ ଦାବି କରିଛନ୍ତି।

ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି, ବିଭାଗୀୟ ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନେ ଦ୍ୱିତୀୟ କ୍ୟାମ୍ପସ ପରିଦର୍ଶନ କରି ସେମାନଙ୍କ ସହ ଆଲୋଚନା କରିଛନ୍ତି।
ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏକ କମିଟି ଗଠନ କରି ଏହାର ସ୍ଥାୟୀ ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.