ନୂଆଦିଲ୍ଲୀ: ଇଂଲଣ୍ଡ ଟିମ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । କୋଚ ବ୍ରେଣ୍ଡନ ମ୍ୟାକକୁଲାମଙ୍କ ବେଜବଲ ଫର୍ମୂଲା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । କ୍ରମାଗତ ୩ଟି ଟେଷ୍ଟ ହାରି ଅଷ୍ଟ୍ରେଲିଆ ନିକଟରୁ ଆଶେସ ସିରିଜ ହାତଛଡା କରିଥିବା ଇଂଲଣ୍ଡ ଟିମ ସମାଲୋଚିତ ହୋଇଛି । ରିପୋର୍ଟ ମୁତାବକ ଆଶେସ ପରେ ମ୍ୟାକକୁଲାମ ବିଦା ହେବା ଏକପ୍ରକାର ନିଶ୍ଚିତ । ଇତି ମଧ୍ୟରେ ପୂର୍ବତନ ଇଂଲଣ୍ଡ ବୋଲର ମୋଂଟି ପନେସର ଭାରତର ରବି ଶାସ୍ତ୍ରୀଙ୍କୁ କୋଚ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏକ ସାକ୍ଷାତକାରରେ ସେ ଏହି କଥା କହିଛନ୍ତି ।
ଯାହାକୁ ନେଇ ଆଲୋଚନା ଜୋର ଧରିଛି । ଶାସ୍ତ୍ରୀ ଏକମାତ୍ର କୋଚ ଯିଏକି ମ୍ୟାକକୁଲାମଙ୍କ ସ୍ଥାନ ନେଇପାରିବେ । ପାନେସର କୋଚ ଭାବେ ଶାସ୍ତ୍ରୀଙ୍କ ରେକର୍ଡ ମଧ୍ୟ ସମ୍ମୁଖକୁ ଆଣିଛନ୍ତି । ୨୦୧୮ରୁ ୨୦୨୧ରେ ତାଙ୍କ ପ୍ରଶିକ୍ଷଣରେ ଅଷ୍ଟ୍ରେଲିଆ ଗସ୍ତରେ ସିରିଜ ହାତେଇଥିଲେ । ଅଷ୍ଟ୍ରେଲିଆକୁ କିପରି ହରାଯିବ ତାହା ଶାସ୍ତ୍ରୀଙ୍କୁ ଭଲ ଭାବେ ଜଣାଅଛି । କୋଚ ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କ କମ୍ବିନେଶନ ଭାରତକୁ ଟେଷ୍ଟ କ୍ରିକେଟରେ ଅନେକ ସଫଳତା ପ୍ରଦାନ କରିଥିଲା ।