ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ…
ମୋବାଇଲ୍ ସ୍କ୍ରିନରେ ପ୍ରତିଫଳିତ ହେଉଥିବା ୟୁ ପି ଏସ୍ ସି ପରୀକ୍ଷା ଫଳକୁ ତନ୍ନ ତନ୍ନ କରି ଆଉଥରେ ଆଖି ବୁଲାଇ ଆଣିଲା ଆଶା। ହଠାତ୍ ତା’ର ଆଖି ଅଟକିଗଲା ଗୋଟିଏ ନମ୍ବର ଉପରେ । ସେଇଟିକୁ ଜୁମ୍ କରି ଆଉଥରେ ପଢିଲା ପରେ ମନକୁ ମନ ଗୁଣୁଗୁଣେଇଲା ଏବଂ ଖଟ ଉପରୁ ଉଠିଯାଇ ସେଇ ଘର ଥାକ ଉପରେ ରଖା ହୋଇଥିବା ତା’ର ଫାଇଲଟି ଖୋଲି କାଗଜ ଟିଏ ଟାଣି ଆଣିଲା। ସେଇଟି ଥିଲା ରାଜସ୍ଥାନ ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ତା’ର ଆଡ୍ମିଟ୍ କାର୍ଡ୍ । ସେଇ କାର୍ଡରେ ଥିବା ତା’ର ରୋଲ୍ ନମ୍ବର ଏବଂ ରାଜସ୍ଥାନ ସିଭିଲ୍ ସର୍ଭିସେସ୍ ପରୀକ୍ଷାଫଳରେ ସେ ଦେଖିଥିବା ରୋଲ୍ ନମ୍ବରକୁ ପୁନଃଶ୍ଚ ମିଳାଇ ଦେଖିଲା ଆଶା।“ ନାଁ, ତା’ର ଦେଖିବାରେ କୌଣସି ଭୁଲ୍ ହୋଇନାହିଁ, ଏଇ ରୋଲ୍ ନମ୍ବରଟି ତ’ ତା’ ର “ ବୋଲି ନିଶ୍ଚିତ ହେଲାପରେ ତା’ ଆଖିରୁ ଲୁହ ଝରି ପଡିଲା ।
ସେ ଚିତ୍କାର କରି ଉଠିଲା “ ବାବା ! ବାବା ! ରୋନୁ ! ମିଲୁ ! ସମସ୍ତେ ଦେଖିବ ଆସ , ମୁଁ ରାଜସ୍ଥାନ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ପାଶ୍ କରିଛି, ମୁଁ ରାଜସ୍ଥାନ ସିଭିଲ୍ ସର୍ଭିସେସ୍ ପରୀକ୍ଷା ରେ ପାଶ୍ କରିଛି, ଏଇ ଦେଖ ପରୀକ୍ଷା ଫଳ ବାହାରିଛି! ମୋ’ ନାଆଁ ଅଛି ସେଥିରେ । ” ଅପୂର୍ବ ପୁଲକରେ ଥରି ଉଠୁଥିଲା ଆଶାର କଣ୍ଠସ୍ବର।
ଆନନ୍ଦାତିଶଯ୍ୟରେ ସାରା ଶରୀର ତା’ର ଜଡସଡ ହୋଇ ଉଠୁଥିଲା। ତା’ର ଇଚ୍ଛା ହେଉଥିଲା ସେ ରାସ୍ତା ଉପରେ ସାରା ସଂସାରକୁ ବଡ ପାଟିରେ ଚିତ୍କାର କରି ସମସ୍ତଙ୍କୁ ଏଇ କଥା ଜଣାଇ ଦିଅନ୍ତା , କହନ୍ତା “ ଦେଖ ! ମୁଁ ଆଜି ହାତ ମୁଠାରେ ଚାନ୍ଦ ଧରିଛି , ଜୀବନରେ ସଫଳତା ର ସୀମା ଛୁଇଁଛି, ତୁମେମାନେ ଆଉ ମୋତେ ହେୟ ମନେ କରି ପାରିବ ନାହିଁ, ନୀଚ୍ଚ ଜାତିର କହି ଆଡେଇ ଯାଇ ପାରିବ ନାହିଁ, ତୁଚ୍ଛ ଝାଡୁଦାରଟିଏ କହି ଘୃଣା କରି ପାରିବ ନାହିଁ , ସ୍ୱାମୀ ପରିତ୍ୟକ୍ତା କହି ଲାଞ୍ଛିତ କରି ପାରିବ ନାହିଁ । ତୁମେମାନେ ସିନା ମୋତେ ସମ୍ମାନ ଦେଇନାହଁ ହେଲେ ମୁଁ ମୋ’ ନିଜର ପରିଶ୍ରମ, ନିଜର କର୍ମନିଷ୍ଠାରେ ତୁମ ପାଖରୁ ସମ୍ମାନୀୟା ହେବାର ଯୋଗ୍ୟତା ଅର୍ଜନ କରିଛି, ନିଜକୁ ନିଜେ ପ୍ରତିପାଦିତ କରି ପାରିଛି । ଆସ, ମୋତେ ଦେଖ ! ଭଲ କରି ଦେଖ ! ମୁଁ ସେଇ ଆଶା ନାଏକ, ଯାହାକୁ ତୁମେମାନେ ନୀଚ୍ଚ ଝାଡୁଦାର ବୋଲି ଘୃଣା କର , ପତି ପରିତ୍ୟକ୍ତା ବୋଲି ସର୍ବଭୋଗ୍ୟା ମନେକର, ମୁଁ ସେଇ ଆଶା ନାଏକ । ନିଜେ ନିଜକୁ ଗଢିଛି ମଣିଷ ଭଳି ମଣିଷଟିଏ ହୋଇଛି, ତୁମ ମାନଙ୍କର ସବୁ ପ୍ରଶ୍ନର ଉତ୍ତର ଏବେ ଅଛି ମୋ’ ପାଖରେ ।”
ଝିଅର ବଡ ପାଟି ଶୁଣି “କ’ଣ ହେଲା କି ମା’? “ କହି ବାଡି ପଟେ କାମ କରୁଥିବା ସୁଦାମ ନାଏକ ଧାଇଁ ଆସିଲା ଘର ଭିତରକୁ। । ବାଡିପଟେ ବାରଣ୍ଡାରେ ବସି ସ୍କୁଲର ପାଠ କରୁଥିବା ପୁଅ ଝିଅ ଦୁଇଜଣ ମଧ୍ୟ ପାଠ ଛାଡି ଦୌଡି ଆସିଲେ ଘର ଭିତରକୁ । ମାଆକୁ ଏମିତି ପ୍ରଗଳ୍ଭ ହୋଇ ଗପିବାର ଦେଖି ଥମକି ଗଲେ ସେମାନେ। ସୁଦାମଙ୍କୁ ଧରି ପକାଇ ପାଗଳୀ ଭଳି ଅଗଣାରେ ଚାରିପଟ ଘୁରି ଘୁରି ବହେ ନାଚିଗଲା ଆଶା । କହି ଉଠିଲା ” ବାବା, ଏଇ ଦେଖ, ଏଇ ମୋବାଇଲରେ ମୋ’ ରୋଲ୍ ନମ୍ବର । ମୁଁ ଆମ ରାଜ୍ୟର ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ବାବା ! ଟ୍ରେନିଂ ପରେ ଦେଖିବ ନିଶ୍ଚୟ ସବ୍ କଲେକ୍ଟର ଟିଏ ହୋଇ ଜଏନ୍ କରିବି ଏଇ ରାଜ୍ୟର କୌଣସି ଜିଲ୍ଲାରେ । ଆଉ ତୁମକୁ ତୁମ ଝିଅ ପାଇଁ ଲଜ୍ଜିତ ହେବାକୁ ପଡିବନି, ତୁମକୁ ଏ ଝାଡୁଦାର କଲୋନୀରେ ଏଇ ବଖୁରିକିଆ ଘରେ ଅଣନିଶ୍ବାସୀ ହୋଇ ରହିବାକୁ ପଡିବନି। ବହୁତ କଷ୍ଟ ସହିଛ ମୋ’ ପାଇଁ ବାବା ! ଏବେ ମୁଁ ତୁମକୁ ଆଉ ମୋ’ ପିଲା ଦୁହିଁଙ୍କୁ ଜୀବନର ସବୁ ସୁଖ ଦେବି। ବାବା ! ତୁମେ କହୁଥିଲ ନା’ “ ତୁ ମୋ’ର ଝିଅ ନୁହେଁ ପୁଅ ! “ଆଜି ତୁମ କଥା ସତ ହୋଇଛି। ପ୍ରଭୁ ଜଗନ୍ନାଥ ତୁମ ଡାକ ଶୁଣିଛନ୍ତି। ଆଜି ଆମର ଦିନ ଆସିଛି ବାବା ! ତୁମେମାନେ ସମସ୍ତେ ହସ, ସମସ୍ତେ ଖୁସି ହୁଅ।”
ସୁଦାମ ନାଏକ ବଲବଲ କରି ଚାହିଁଥିଲା ଝିଅ ର ମୁହଁ କୁ। ତା’ କଥାର ବିନ୍ଦୁ ବିସର୍ଗ ମଧ୍ୟ ବୁଝି ପାରୁନଥିଲା । ଖାଲି ଏତିକି ଜାଣୁଥିଲା ଯେ ଆଶା କିଛି ଗୋଟାଏ ପାଇଛି ଏ ମୋବାଇଲ୍ ଭିତରୁ, ଯାହା ତା’ ପାଇଁ ଖୁସି ନେଇ ଆସିଛି । ପିଲା ଦି’ଜଣ ମାଆକୁ କୁଣ୍ଢାଇ ଧରି ଖୁସି ହେଉଛନ୍ତି ।ସମସ୍ତଙ୍କ ମୁହଁ ରେ ଖୁସି ର ଝଲକ ଦେଖି ସୁଦାମ ଭାବିଲା ନିଶ୍ଚୟ କିଛି ଖୁସି ଆସିଛି ତାଙ୍କ ଘରକୁ।
ରାଜସ୍ଥାନ ପୌରପାଳିକାର ଝାଡୁଦାର ସୁଦାମ ନାଏକ । ଚାରି ପାଞ୍ଚଟା ପିଲା ପେଟରୁ ମରିବା ପରେ ତା’ ସ୍ତ୍ରୀ ପୁନି ଜନ୍ମ ଦେଇଥିଲା ଏଇ ଆଶାକୁ। କିଛିଦିନ ପରେ ଶକ୍ତ ବେମାର ପଡିଥିଲା ପୁନି। ଦାରିଦ୍ର୍ଯର କଷାଘାତରେ ନିଷ୍ପେଶିତ ହୋଇ ଭଲ କରି ମୁଠାଏ ଖାଇବାକୁ ପାଉନଥିବା ସୁଦାମ ପୁନିର ଚିକିତ୍ସା କରିବା ପାଇଁ ଅର୍ଥ ଆଣିଥାନ୍ତା କୁଆଡୁ? ସେଇ ବେମାରୀରେ ପଡି ପଡି ପୁନି ଚାଲିଗଲା ସେ ପୁରକୁ । ସୁଦାମର ସଂସାର ଉଜୁଡିଗଲା । ଏଇ ଆଶା ସେତେବେଳକୁ ହୋଇ ଥିଲା ମାତ୍ର ପାନ୍ଚ ବର୍ଷର ଟିକି ଝିଅଟିଏ ।
ତା’ରି ମୁହଁ କୁ ଚାହିଁ ,ତା’ରି ଭବିଷ୍ୟତ କଥା ଚିନ୍ତା କରି ଆଉ ଦ୍ୱିତୀୟ ବିବାହ କଲା ନାହିଁ ସୁଦାମ। ବାପ ମାଆ ଉଭୟ ହୋଇ ପାଳିଥିଲା ଆଶାକୁ। ଦିନ ରାତି ଏକାକାର କରି ଖଟିଥିଲା ।ଭାବିଥିଲା ଆଶା କୁ ପାଠ ଶାଠ ପଢାଇ ମଣିଷ ଭଳି ମଣିଷ ଟିଏ କରିବ, ତା’ ଭଳି ଝାଡୁଦାର ହେବ ନାହିଁ ଆଶା । ଭଲ ଘରର ମଣିଷଙ୍କର ଭଳି ଆଶା ଭଲ ଚାକିରୀ ବାକିରୀ କରିବ, ଭଲରେ ଦି’ମୁଠା ଖାଇବ, ଭଲ ଲୁଗା ଦି’ଖଣ୍ଡ ପିନ୍ଧିବ, ତା’ ମାଆ ଭଳି ଭୋକ ଦୁଃଖ ରେ ପଢି ମରିବାକୁ ପଡିବନି ତା’କୁ।
ପିଲାଟି ଦିନରୁ ଭଲ ପାଠ ପଢୁଥିଲା ଆଶା। ଦଶମ ବୋର୍ଡ ପରୀକ୍ଷାରେ ଫାଷ୍ଟ୍ ଡିଭିଜନ ପାଇଥିଲା । କଲେଜରେ ପଢିବା ପାଇଁ ଖୁବ୍ ଇଚ୍ଛା ଥିଲା ଆଶାର । ହେଲେ ଦୁନିଆଁର ଗତି ଦେଖି ଝାଡୁଦାର ବସ୍ତିର ଏଇ ଏକୁଟିଆ ଘରେ ଯୁବତୀ ଝିଅକୁ ଏକା ରଖି କାମକୁ ଯିବାର ସାହାସ ହେଉନଥିଲା ସୁଦାମର। ଆଶା ତା’ ଭଳି ଶ୍ୟାମଳ ରଙ୍ଗର ନୁହେଁ, ତା’ ମାଆ ଭଳି ତୋଫା ରଙ୍ଗର ଥିଲା। ବୟସ ବଢିବାରୁ ତା’ ଉପରେ ବସ୍ତିର ଅନେକ ଲୋଲୁପ ଦୃଷ୍ଟି ଘୁରି ବୁଲୁଥିବାର ଲକ୍ଷ୍ୟ କରିଥିଲା ସୁଦାମ । ସେଥିପାଇଁ ଝିଅର ଅନିଚ୍ଛା ସତ୍ତ୍ବେ ମଧ୍ୟ ସେ ସତର ବର୍ଷର ଝିଅକୁ ବାହାଘର କରି ଦେଇଥିଲା ନିଜ ବିରାଦରି ଭିତରେ ଗୋଟାଏ ଭଲ ବର ଘର ଦେଖି। ଝିଅ ଗଲା ପରେ ସମ୍ପୂର୍ଣ୍ଣ ଏକା ହୋଇ ଯାଇଥିଲା ସୁଦାମ। ଏକୁଟିଆ ଘରଟା ଖାଇ ଗୋଡାଉଥିଲା ତା’କୁ। ସେଥିପାଇଁ ସୁଦାମ ମଝିରେ ମଝିରେ ଝିଅ ଘରକୁ ଯାଇ ତା’ର ଭଲ ମନ୍ଦ ବୁଝି କିଛି ପଇସାପତ୍ର ଦେଇ ଆସୁଥିଲା ।
ଜ୍ୱାଇଁ ବିକ୍ରମ ଅଟୋ ଚଳାଇ ବେଶ୍ ଦୁଇ ପଇସା ରୋଜଗାର କରୁଥିଲା। ଶାଶୁ ଶଶୁର ନଣନ୍ଦ ଦିଅର ସମସ୍ତଙ୍କୁ ବେଶ୍ ଆପଣେଇ ନେଇଥିଲା ଆଶା। ବାହାଘର ବେଳେ ଯଥାଶକ୍ତି ଯାନି ଯୌତୁକ ଦେଇଥିଲା ସୁଦାମ ତଥାପି ସନ୍ତୁଷ୍ଟ ନଥିଲେ ବିକ୍ରମର ପରିବାର । କିନ୍ତୁ ରୋଜଗାରିଆ ବାପାର ଏକମାତ୍ର କନ୍ୟା ବାପଠାରୁ ଆହୁରି ଆଣୁ ବୋଲି ଶାଶୁଘରେ ସଭିଏଁ ଚାହୁଁଥିଲେ । ସବୁଦିନେ ପରିବାରରେ ଖିଟ୍ ଖାଟ୍ ଲାଗି ରହୁଥିଲା। ଆଶା ମନରେ କଷ୍ଟ ପାଇଲେ ବି ବାପକୁ ଜଣାଉନଥିଲା। କାଳେ ବାବାଙ୍କର ମନ କଷ୍ଟ ହେବ ବୋଲି ନିଜେ ପଥର ହୋଇ କହୁଥିଲା ସବୁ।ପାଞ୍ଚ ବର୍ଷ ଭିତରେ ଦୁଇଟି ସନ୍ତାନର ମାଆ ହୋଇଥିଲା ଆଶା। ଧୀରେ ଧୀରେ ଆଶାର ସଂସାର ବଢୁଥିଲା ଆଉ ତା’ ସହିତ ଅଭାବ ମଧ୍ୟ ବଢୁଥିଲା। ଅଭାବରୁ ପରିବାରରେ ଅଶାନ୍ତି ବଢୁଥିଲା। ସାଙ୍ଗସୁଖରେ କେତେବେଳେ କେମିତି ଟିକିଏ ପିଆପିଇ କରୁଥିବା ବିକ୍ରମର ଏବେ ପିଇବା ଟା ଅଭ୍ୟାସ ରେ ପଡିଯାଇଥିଲା। ଟିକିଏ ଟିକିଏ କଥାରେ ଆଶା ଉପରକୁ ହାତ ଉଠାଉଥିଲା ବିକ୍ରମ। ଶାଶୁ ଶଶୁର ଆଶାକୁ ସାନ୍ତ୍ବନା ଦେବା ପରିବର୍ତ୍ତେ ପୁଅ ପଟିଆ ହୋଇ ଆଉ ଦି’ପଦ ଶୁଣାଉଥିଲେ। ସେଦିନ କାମ ସାରି ଅବେଳଟାରେ ଘରକୁ ଫେରିବା ବାଟରେ ଦି’କିଲୋ ପାଚିଲା ଆମ୍ବ ଧରି ଝିଅ ଘରକୁ ପଶିଲା ସୁଦାମ। ଘର ଭିତରୁ ଦୁମ୍ ଦାମ୍ ଭୁଷ୍ ଭାଷ୍ ଶବ୍ଦ ସହିତ ଆଶାର କରୁଣ କାନ୍ଦଣା ଶୁଣି ପାଦ ଦୁଇଟା ଥମିଗଲା ତା’ର। କବାଟ ପାଖରେ କାନ ଡେରିଲା ସେ, ଭିତରୁ ଶୁଭୁଥିଲା “ ମାରନା’ ! ଆଉ ମାରନା’ ମତେ, ଛାଡିଦିଅ , ଆଉ ସହି ପାରିବିନି, ଦେଖ ମୋ’ ଦେହରେ ଜର ଭର୍ତ୍ତି,ଛୁଆ ଗୁଡା କି ବିକଳ ହୋଇ ଚାହିଁଛନ୍ତି, ଆଃ.. ଆଃ ବୋଉ ଲୋ …” ବିକଳ ହୋଇ କାନ୍ଦୁଥିଲା ଆଶା। ତା’ ସାଥିରେ ଶୁଭୁଥିଲା ବିକ୍ରମର ମାଡ ସହିତ ଅଶ୍ରାବ୍ୟ ଗାଳି ।
ସୁଦାମ ଦେହରେ ନିଆଁ କରି ଯାଉଥିଲା। ରାଗରେ ଥରଥର ହୋଇ କମ୍ପି ଉଠୁଥିଲା ସାରା ଶରୀର। ମା’ ଛେଉଣ୍ଡ ଝିଅଟିଏ ବୋଲି ଆଶାକୁ ରାଜକୁମାରୀ ଭଳି ପାରିଥିଲା ସୁଦାମ। ତା’ ଦେହରେ ଚିପ ଛୁଆଁଇ ନଥିଲା କେବେ, ଆଜି ପୁଣି ତା’ର ଏ ଦୁର୍ଦ୍ଦଶା ଦେଖିବାକୁ ପଡିଲା ତା’କୁ । ରାଗରେ ଘରର କବାଟ କୁ ଦି’ ଗୋଇଠା ପକାଇଲା ସୁଦାମ। କବାଟ କେଁ କରି ଖୋଲିଗଲା । ଘର ଭିତରର ଦୃଶ୍ୟ ଆହୁରି ଝିଞ୍ଜାରି ଦେଲା ସୁଦାମ କୁ। ତା’ ଧୈର୍ଯ୍ୟ ର ବନ୍ଧ ଭୁଷୁଡି ପଡୁଥିଲା…
ତଳେ ପଡି ବିକଳ ହୋଇ କାନ୍ଦୁଥିଲା ଆଶା, ମୁଣ୍ଡ ବାଳ ଖୋଲିଯାଇ ତଳେ ଲୋଟୁଥିଲା, ଖଟ ଧାରରେ ମୁଣ୍ଡ ମାଡ ହୋଇ ଫାଟି ଯାଇ ଧାର ଧାର ରକ୍ତ ବୋହି ପଡୁଥିଲା, ଲୁଗାପଟା ଅସ୍ତବ୍ଯସ୍ତ …. ବିକ୍ରମ ପାଟିରୁ ବାହାରୁଥିବା ମଦ ଗନ୍ଧ ସବୁ କାହାଣୀ କହୁଥିଲା। ଧାଇଁ ଯାଇ ଝିଅକୁ କୋଳେଇ ନେଲା ସୁଦାମ । ଛୁଆ ଦୁଇଟା ଗୋଟାଏ କୋଣକୁ ଠିଆ ହୋଇ ଥରଥର କମ୍ପୁଥିଲେ । ଝିଅକୁ ତଳୁ ଉଠାଇ ଆଣିଲା ଏବଂ ନାତି ନାତୁଣୀ ଦୁହିଁଙ୍କୁ ଛାତିରେ ଜଡେଇ ଧରି ଚୁପ୍ ଚାପ୍ ସେ ଘରୁ ବାହାରି ଆସିଲା ଏକମୁହାଁ ହୋଇ ନିଜ ଘରକୁ ।
ଆଶା ଜୀବନର ଗୋଟିଏ ଅଧ୍ୟାୟ ସେଇଠି ସମାଧି ନେଇଥିଲା । ଝିଅ କୁ ଆଉଥରେ ନୂଆ ଜୀବନ ଆରମ୍ଭ କରିବାକୁ ସର୍ବତୋଭାବେ ସାହସ ଦେଇଥିଲା ସୁଦାମ। ଆଶା ମଧ୍ୟ ନିଜ ପିଲାମାନଙ୍କୁ ମଣିଷ କରିବା ପାଇଁ ଅତୀତକୁ ଦୁର୍ଘଟଣା ଭାବି ଭୁଲିଯାଇ ପୁଣିଥରେ ନୂଆ ଜୀବନ ଆରମ୍ଭ କରିଥିଲା। କଲେଜରେ ନାଆଁ ଲେଖାଇ ଅଧାରେ ଛାଡିଥିବା ପାଠକୁ ଆରମ୍ଭ କରିଥିଲା ପୁଣି ଥରେ। ଦୁଇଗୁଣ ଉତ୍ସାହ ନେଇ ପାଠ ପଢି ଗ୍ରାଜୁଏଟ୍ ହୋଇଥିଲା। ଭଲ ଚାକିରୀଟିଏ ଖୋଜିବାକୁ କମ୍ କଷ୍ଟ କରିନଥିଲା ସେ। ହେଲେ କେଉଁଠି ବୟସ ତ’ କେଉଁଠି ଜାତି ତା’ର ସଫଳତାରେ ଅନ୍ତରାୟ ସାଜିଥିଲା। କୋଉଠି ଚାକିରୀ ଦେବା ଆଳରେ ଇଜ୍ଜତକୁ ବାଜି ଲଗାଇବାକୁ ଇଶାରା ମିଳୁଥିଲା। ଡରି ଯାଉଥିଲା ଆଶା । ନିଜର ଅବସର ସମୟ ପାଖେଇ ଆସିବାରୁ ସୁଦାମ ମଧ୍ୟ ଆଶା ଓ ତା’ ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତା କରି ଅସ୍ଥିର ହୋଇ ପଡୁଥିଲା। ତା’ର ଚାକିରୀ ସରିବା ପରେ କ’ଣ ହେବ ଆଶା ଆଉ ତା’ ଦୁଇ ପିଲା ଙ୍କ ଅବସ୍ଥା? କେମିତି ଚଳିବ ଏ ସଂସାର?? ଏକା ଏକା କେମିତି କାଟିବ ଝିଅ ତା’ର ଜୀବନ ?ସେଇ ଚିନ୍ତା ଘାରୁଥିଲା ସୁଦାମକୁ।
ଶେଷରେ ନିଜ ଅଫିସରେ ବାବୁ ମାନଙ୍କୁ ବହୁତ କୁହାବୋଲା କରି ଆଶା ପାଇଁ ଝାଡୁଦାର ଚାକିରୀଟିଏ ଯୋଗାଡ କରିଦେଇଥିଲା ସୁଦାମ। “ନାହିଁ ମାମୁଁଠାରୁ କଣାମାମୁଁ ଭଲ” ଭାବି ଅନନ୍ୟୋପାୟ ହୋଇ ଆଶା ସେଇ ଝାଡୁଦାର ଚାକିରୀରେ ଯୋଗ ଦେଇଥିଲା। ଥିଲା ବଡ ଚାକିରୀଟିଏ କରି ନିଜ ବାପା ଆଉ ପିଲାମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଲାଗି ତା’ର ଇଚ୍ଛା କିନ୍ତୁ ମରି ନଥିଲା । ଚିରଦିନ ଅବହେଳିତ , ନିଷ୍ପେଶିତ, ନିର୍ଯ୍ଯାତିତ ହୋଇ ଆସିଥିବା ଆଶା ଚାହୁଁଥିଲା ସମାଜରେ ନିଜର ସ୍ଥାନଟିଏ ତିଆରି କରିବ ଯେଉଁଠି ତାକୁ ଆଜି ଭଳି ଲିଙ୍ଗଗତ କି ଜାତିଗତ ହୀନମନ୍ୟତା ଭୋଗିବାକୁ ପଡିବନି କି କାହାରି ଅତ୍ୟାଚାର ସହିବାକୁ ପଡିବନି। ଟିଭିରେ ତା’ ଭଳିଆ ଅନେକ ଗରିବ ଘର ପିଲାଙ୍କୁ ପ୍ରଶାସନିକ ଅଧିକାରୀ ଭାବରେ ନିଜ ଜୀବନ ଆଉ ସଂଙ୍ଘର୍ଷର କାହାଣୀ କହିବାର ଶୁଣିଥିଲା , ବହିରେ ମଧ୍ୟ ପଢିଥିଲା। ସେଇ ସବୁ ନିଜ ହାତଗଢା ମଣିଷମାନଙ୍କୁ ଦେଖି ତାଙ୍କରି ଭଳି ପ୍ରଶାସନିକ ଅଧିକାରୀଟିଏ ହେବାଲାଗି ଲକ୍ଷ୍ୟ ରଖି ନିଜର ପଢାପଢି ଜାରି ରଖିଥିଲା ସେ ।ସେଥିପାଇଁ ଆବଶ୍ୟକ ବିଭିନ୍ନ ପରୀକ୍ଷା ମଧ୍ୟ ଦେଉଥିଲା । ଦୁଇ ହଜାର ଅଠର ମସିହାରେ ଦେଇଥିବାରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷା ରେ ଖୁବ୍ ଭଲ କରିଥିଲା ବୋଲି କହୁଥିଲା ଆଶା। ହେଲେ କରୋନା ଆତଙ୍କ ଯୋଗୁଁ ସେ ପରୀକ୍ଷା ଫଳ ଏ ଯାଏଁ ବାହାରି ନଥିଲା।
ତିନି ବର୍ଷ ପରେ ଆଜି ବୋଧହୁଏ ସେଇ ପରୀକ୍ଷା ଫଳ ବାହାରିଛି , ସେଇଥିପାଇଁ ଆଶା ଏତେ ଖୁସି । ଝିଅର ଖୁସି ଆପେ ଆପେ ସଞ୍ଚରି ଆସିଲା ସୁଦାମର ଓଠକୁ। ଆଗେଇ ଯାଇ ଝିଅ ମୁଣ୍ଡରେ ହାତ ରଖିଲା ସୁଦାମ । ଲୁହ ଛଳଛଳ ଆଖିରେ କହିଲା ” ମୁଁ ଜାଣିଥିଲିରେ ମାଆ ! ତୋ’ ପରିଶ୍ରମର ଫଳ ଦିନେ ତତେ ମିଳିବ, ଭଗବାନ ବଡଲୋକ ମା’ । ନିଶ୍ଚୟ ଦିନେ ସେ ତୋ’ର ଦୁଃଖ ଦୂର କରିବେ। ଆଚ୍ଛା କହ ତ ! ତୁ’ କୋଉ ପରୀକ୍ଷା ରେ ପାଶ୍ କଲୁ ? କୋଉ ଅଫିସରେ ଚାକିରୀ ମିଳିବ ସେଥିରେ ? ଆମ ଘର ପାଖାପାଖି ଜାଗାରେ ତ ? ନହେଲେ ଏକୁଟିଆ କୁଆଡେ କେମିତି ଯିବୁ ତୁ’ ? ହସି ହସି ବାପାଙ୍କ ପାଦ ଛୁଇଁ ପ୍ରଣାମ କଲା ଆଶା । କହିଲା ମୁଁ ପରା ହାକିମ ହେବି ବାବା ! ଆଉ କୋଉଠି ନୁହେଁ ମ’ , ଆମ ଏଇ ରାଜ୍ୟରେ , ଏଇ ସହରରେ। ସରକାର ଆମକୁ ଘରଦ୍ବାର, ଗାଡି ଘୋଡା , ସବୁ ଯୋଗାଇ ଦେବେ।ଆମ ଦୁଃଖ ର ଦିନ ଶେଷ ହୋଇଛି ବାବା ! ସୁଖ ଆସିଛି । ତୁମ ଝିଅ ହାକିମ ହେବ । ତୁମେ ହେବ ହାକିମର ବାପା ।
ଝିଅର କଥାରୁ କ’ଣ ବୁଝିଲା କେଜାଣି, ଦୁଇ ହାତ ଯୋଡ଼ି ନଇଁ ପଡି ମାଟିରେ ମୁଣ୍ଡ ଲଗାଇ ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲା ସୁଦାମ। ଆକାଶକୁ ଚାହିଁ ହସିଲା ବହେ । ଗୁଣୁଗୁଣୁ ହୋଇ କହିଲା “ଦେଖ ଲୋ ପୁନି ! ସେଦିନ ସପନରେ ଆସି କହୁଥିଲୁ ନା’ ମୋ’ର ’ମା’ ଛେଉଣ୍ଡ ଝିଅଟାକୁ କିଛି ନବୁଝି ନଶୁଝି ଅଳ୍ପ ବୟସରୁ ବାହାଘର କରି ତା’ ଜୀବନ ନଷ୍ଟ କରିଦେଲ ବୋଲି । ଆଜି ଦେଖ ସେ କେତେ ଜୀବନ ସଜାଡିବା ପାଇଁ ଯାଉଛି। ଠାକୁରେ ତା’କୁ ହାକିମ ଚାକିରି ଦେଇଛନ୍ତି, ତୁ ସେଇଠି ଥାଇ ଦେଖ୍, ତା’କୁ ଆଶୀର୍ବାଦ କର “। ଲୁହ ଜରଜର ହୋଇ ନାତି ନାତୁଣୀ ଦୁହିଁଙ୍କୁ କହିଲା “ ଏବେ ମୋ’ର ଆଉ ତୁମ ପାଇଁ କି ତୁମ ମା’ ପାଇଁ ଚିନ୍ତା ନାହିଁ । ସେ ଚିନ୍ତା ଠାକୁର ଦୂର କରି ଦେଇଛନ୍ତି । ଆଖିରୁ ଲୁହ ପୋଛି ପୁଣି ଥରେ ଆକାଶ କୁ ଚାହିଁ ମଥା ନତ କଲା ସୁଦାମ।
ବାପାଙ୍କ ଉଜ୍ବଳି ଉଠୁଥିବା ମୁହଁଟା ଖୁବ୍ ଭଲ ଲାଗୁଥିଲା ଆଶାକୁ । କୃତଜ୍ଞତା ଭରା ଦୃଷ୍ଟିରେ ବାପ କୁ ଚାହିଁ ରହିଥିଲା ଆଶା। ବାପାଙ୍କ ମୁହଁ କୁ ଚାହିଁ ଦୀର୍ଘ ନିଶ୍ବାସଟିଏ ନେଲା ସେ । ତା’ ପରିଶ୍ରମର ଫଳ ଆଜି ଈଶ୍ବର ଦେଇଛନ୍ତି ତା’କୁ । ଗୋଟାଏ ଅନ୍ଧକୂପରୁ ବାହାରକରି ଆଉ ଗୋଟିଏ ଜ୍ୟୋତି ବଳୟ ଆଡକୁ ଟାଣି ନେଉଥିଲା ଜୀବନ। ପଛରେ ରହି ଯାଉଥିଲା ଅନେକ ଅନେକ ଯନ୍ତ୍ରଣାସିକ୍ତ ମୁହୂର୍ତ୍ତ । ହୁଏତ ସେଇ ଯନ୍ତ୍ରଣାସିକ୍ତ ମୁହୂର୍ତ୍ତ ଗୁଡିକ ନଥିଲେ ,ଏଇ ପ୍ରାପ୍ତି ପାଇଁ ସେ ଲଢେଇ କରି ନଥାନ୍ତା ଜୀବନ ସହିତ। ଆଗକୁ ଆଲୋକର ପ୍ରସାରିତ ପଥ। ତା’କୁ ଆଗେଇ ଯିବାକୁ ପଡିବ, ଅତୀତକୁ ସେଇଠି ସମାଧିସ୍ଥ କରିଦେଇ । ଦୁଃସ୍ୱପ୍ନ ଭାବି ପାଶୋରି ଦେବାକୁ ପଡିବ ସବୁ । ଏଇଠୁ ଆରମ୍ଭ କରିବାକୁ ହେବ ନୂଆ ଜୀବନ ।
ଅନେକ ଆଶାର କିରଣ ବିଚ୍ଛୁରିତ ହୋଇ ଉଠୁଥିଲା ତା’ ମନରେ। ତା’ ଆଖିରେ ଅସୁମାରି ସ୍ୱପ୍ନର ବଳୟ ଦୃଶ୍ୟମାନ ହେଉଥିଲେ। ସୁଦାମ ନାଏକ, ଝାଡୁଦାରର ଝିଅ କାଲି ସବ୍ କଲେକ୍ଟର୍ ହେବ ,ଯୋଧପୁର ପୌରପାଳିକାର ଝାଡୁଦାର ଚାକିରୀ ଛାଡି ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ହେବ । ଶାଶୁଘରେ ବିତାଇଥିବା ଯନ୍ତ୍ରଣାମୟ ଜୀବନ ଆଉ ବିକ୍ରମର ଅମାନୁଷିକତାକୁ ଭୁଲି ଯାଇ ସେ ତା’ ପିଲାମାନଙ୍କୁ ସୁନ୍ଦର ଭବିଷ୍ୟତଟିଏ ଦେଇପାରିବ , ନିଜ ଚାକିରୀରେ ନିଜ କର୍ତ୍ତବ୍ୟପରାୟଣତା ଦେଖେଇବାକୁ ପଡିବ। ତା’ରି ଭଳି ଆଉ କେଇଜଣଙ୍କୁ ନର୍କରୁ ଉଦ୍ଧାର କରି ସାଧାରଣ ଜୀବନଟିଏ ଜୀଇଁବାର କଳା ଶିଖାଇବାକୁ ପଡିବ । ହାତ ଝାଡି ଅଣ୍ଟା ସଳଖିଲା ଆଶା। ତା’ ଆଗରେ ଆଗାମୀ ଭବିଷ୍ୟତର ଅନେକ ପଥ ଉଜ୍ବଳ ହୋଇ ଦିଶୁଥିଲା । ଅନେକ ଆଶାର କିରଣରେ ଝଲସି ଉଠୁଥିଲା ଆଶା ନାଏକର ମୁହଁ ।
ଶାରଳା ଭବନ
ପୋତାପୋଖରୀ
ପୋ: ନୂଆବଜାର ଜି: କଟକ
Comments are closed.