Latest Odisha News

BREAKING NEWS

ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ଏସଓପି ଭୁଲି ବାଇକରେ ମାଓ ଅଞ୍ଚଳ ଗସ୍ତ କଲେ ଜିଲ୍ଲାପାଳ

ରାୟଗଡ଼ା: ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ନକ୍ସଲ ପ୍ରବଣ ଅଞ୍ଚଳରେ ରାୟଗଡ଼ା ଜିଲାପାଳ ସ୍ୱଧା ଦେବ ସିଂ ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ପାହାଡ଼ ପାରସାଲୀ ପଞ୍ଚାୟତ ଲାଖପଦର ଗାଁକୁ ଗସ୍ତ କରିଛନ୍ତି ଜିଲାପାଳ ସ୍ୱଧା ଦେବ ସିଂ ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା । ଏହି ଗାଁ ସବୁବେଳେ ଖଣି ଖନନ ବିରୋଧକୁ ନେଇ ଚର୍ଚ୍ଚାରେ ରହି ଆସୁଛି । ଏହାର ସୁଯୋଗ ନେଇ ମାଓବାଦୀ ମାନେ ମଧ୍ୟ ନିଜ ଆଶ୍ରୟ ସ୍ଥଳୀ ଭାବେ ଏହି ଅଞ୍ଚଳକୁ ବ୍ୟବହାର କରୁଛନ୍ତି ।

ଯଦିଓ ବିଗତ ଦୁଇ ବର୍ଷ ମଧ୍ୟରେ ମାଓବାଦୀ ଏହି ଅଞ୍ଚଳରେ ସେଭଳି କିଛି ଅଘଟଣ ଘଟାଇନାହାନ୍ତି ତଥାପି ଏବେ ମଧ୍ୟ ଜିଲ୍ଲା ପୋଲିସ ମାଓବାଦୀ ସମ୍ବେଦନଶୀଳ ଅଞ୍ଚଳ ଭାବେ ଲାଖପଦରକୁ ଚିହ୍ନଟ କରିଛି । ଏବେ ମଧ୍ୟ ଏହି ଅଞ୍ଚଳକୁ ଚାରି ଚକିଆ ଯାନ ଯିବା ପାଇଁ ରାସ୍ତା ଟିଏ ନାହିଁ । ତେବେ ସ୍ଵାଧିନତାର ୭୫ ବର୍ଷ ପରେ ମଧ୍ୟ ଏଠି ବସବାସ କରୁଥିବା  ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ଆଖି ଦୃଶିଆ ବିକାଳ ହୋଇନାହିଁ ।

ଗାଁର ସ୍ଥିତି ପରଖିବା ସହ ସିଧାସଳଖ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଲାଖପଦର ଗାଁରେ ପହଞ୍ଚି ଥିଲେ ଜିଲାପାଳ ସ୍ୱଧା ଦେବ ସିଂ ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା । ସେଠାରେ ନିୟମଗିରି ସୁରକ୍ଷା ମଞ୍ଚର ସଭାପତି ସିକକା ଲଦ, ଯୁବ ସଭାପତି ସମ୍ବା କୁଲୁସିକା ଓ ଡ୍ରିଞ୍ଜ ଶିକକାଙ୍କ ସହିତ ଆଲୋଚନା କରିବା ସହ ଡଙ୍ଗରିଆ କନ୍ଧଙ୍କ ଦ୍ଵାରା ପ୍ରସ୍ତୁତ ମଣ୍ଡିଆ ଜାଉ ଭଳି କିଛି ଖାଦ୍ୟ ବି ଖାଇଥିଲେ ।

ଏହି ଗସ୍ତ ସମୟରେ ସେଠାରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧମାନଙ୍କ ଜୀବନ ଯାପନ ଶୈଳୀ ଓ ସମସ୍ୟାକୁ ନେଇ ଡଙ୍ଗରିଆଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । ହେଲେ ସବୁଠାରୁ ବଡ଼ କଥା ୨୦୧୧ ମସିହାରେ ତତ୍ କାଳୀନ ମାଲକାନଗିରି ଜିଲ୍ଲାପାଳ ଆର. ଭିନିଲକ୍ରୀଷ୍ଣା ମାଲକାନଗିରିର ମାଓ ପ୍ରବଣ ବିଚ୍ଛିନ୍ନାଞ୍ଚଳରେ ଉନ୍ନୟନ କାମର ସମୀକ୍ଷା ସାରି ଫେରିବା ବାଟରେ ମାଓବାଦୀ ଜିଲ୍ଲାପାଳଙ୍କ ସହ ଯାଇଥିବା ଦୁଇ ଯନ୍ତ୍ରୀଙ୍କୁ ଅପହରଣ କରି ନେଇଥିଲେ ।

ସେହି ସମୟରେ ରାଜ୍ୟ ତଥା କେନ୍ଦ୍ର ସରକାର ଭିଆଇପି, ଭିଭିଆଇପି, ଜିଲ୍ଲାପାଳ ମାନଙ୍କ ପାଇଁ ନକ୍ସଲ ପ୍ରଭାବିତ ଜିଲ୍ଲା ଗସ୍ତ କିମ୍ବା ଜିଲ୍ଲା ଭିତରେ ନକ୍ସଲ ପ୍ରବଣ ଅଞ୍ଚଳ ଗସ୍ତ ସମୟରେ ଏସଓପି ପ୍ରଣୟନ କରିଛନ୍ତି । ଯାହାକୁ କଡ଼ାକଡ଼ି ମାନିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଜିଲ୍ଲାପାଳଙ୍କ ମାଓ ପ୍ରବଣ ଅଞ୍ଚଳ ଗସ୍ତ ବେଳେ ଯେଭଳି ଜିଲ୍ଲା ପ୍ରଶାସନ ଏସଓପି ଭୁଲିଗଲା ତାକୁ ନେଇ ଚର୍ଚ୍ଚା ଜୋର ହେଉଛି ।

Leave A Reply

Your email address will not be published.