ରାୟଗଡା: ପୁଣି ବିଜେଡିକୁ ଝଟକା । ରାୟଗଡା ଜିଲ୍ଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଗଣେଶ ସାଉନ୍ତା । ସେ କାଶିପୁର ବ୍ଲକର ଟାଣୁଆ ନେତା ଅଖିଳ ସାଉନ୍ତାଙ୍କ ପୁଅ । ଗଣେଶ ଏନେଇ ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଏବଂ ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ।
ସେ ତାଙ୍କ ଇସ୍ତଫା ପତ୍ରରେ ଦଳରେ ତୃଣମୂଳସ୍ତରରେ ନେତା ଓ କର୍ମୀଙ୍କୁ ଅଣଦେଖା ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି । ଗଣେଶ ସାଉନ୍ତାଙ୍କ ଇସ୍ତଫା ପରେ ଜିଲ୍ଲାରେ ବିଜେଡି ପାଇଁ ଅଡୁଆ ବଢୁଥିବା ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ରାଜ୍ୟରେ ଶାସନ ଗାଦି ହରାଇଥିବାବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳରୁ ଏହିଭଳି ଇସ୍ତଫା ଦେବା ବିଜେଡି ଉପରେ ଖରାପ ପ୍ରଭାବ ପକାଇବ ବୋଲି କୁହାଯାଉଛି ।