Latest Odisha News

BREAKING NEWS

ପିଲା ଚୋରି ଗୁଜବ ଓ ଭିଡ଼ ହିଂସା ଘଟଣାରେ ପୋଲିସର ଫ୍ଲାଗ ମାର୍ଚ୍ଚ, ଗିରଫଦାରୀ ସଂଖ୍ୟା ୨୪କୁ ବୃଦ୍ଧି

ରାୟଗଡ଼ା: କଲ୍ୟାଣସିଂହପୁରରେ ସମ୍ପ୍ରତି ପିଲା ଚୋରି ଗୁଜବକୁ କେନ୍ଦ୍ର କରି ଘଟିଥିବା ଭିଡ଼ ହିଂସା ପରେ ପରିସ୍ଥିତିକୁ ସ୍ୱାଭାବିକ ରଖିବା ଏବଂ ସାଧାରଣ ଲୋକଙ୍କ ମନରେ ଆଇନ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏସପିଙ୍କ ନିର୍ଦ୍ଦେଶ କ୍ରମେ କଲ୍ୟାଣସିଂହପୁର ପୋଲିସ ଏହି ଫ୍ଲାଗ ମାର୍ଚ୍ଚ ଆୟୋଜନ କରିଥିଲା। ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ଥାନା ପରିସରରୁ ଆରମ୍ଭ ହୋଇ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଏହି ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ସମୟରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରିବା, କୌଣସି ଅପ୍ରମାଣିତ ସୂଚନା ପ୍ରଚାର ନ କରିବା ଏବଂ ଆଇନକୁ ନିଜ ହାତକୁ ନ ନେବା ପାଇଁ ସଚେତନ କରିଥିଲେ।

ସମ୍ପ୍ରତି ପିଲା ଚୋରି ସନ୍ଦେହକୁ କେନ୍ଦ୍ର କରି କଲ୍ୟାଣସିଂହପୁର ଅଞ୍ଚଳରେ ଭିଡ଼ ହିଂସା ଘଟିଥିବା ବେଳେ, ଏପରି ଘଟଣାର ପୁନରାବୃତ୍ତି ରୋକିବା ଓ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଯେକୌଣସି ସନ୍ଦେହଜନକ ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ଅବଗତ କରିବାକୁ ମଧ୍ୟ ଲୋକଙ୍କୁ ଅନୁରୋଧ କରାଯାଇଛି। ଏହି ସମ୍ପର୍କ ରେ କାହାରି ପ୍ରତିକ୍ରିୟା ମିଳିପାଇନାହିଁ। ଗତ ମଙ୍ଗଳବାର ଦିନ ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ଭିଡହିଂସା ଓ ବର୍ବରତା ଘଟଣାରେ ପୋଲିସ ବଡ ଧରଣର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି। ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ଭିଡିଓ ଫୁଟେଜ୍ ଏବଂ ପାରିପାର୍ଶ୍ବିକ ଅନୁସନ୍ଧାନ ପରେ ପ୍ରଥମେ ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବାବେଳେ ପରେ ପୁଣି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାୟଗଡା ପୋଲିସ।

ଗତକାଲି ପୁଣି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାୟଗଡା ପୋଲିସ। ଏସବୁକୁ ମିଶାଇ ଗିରଫ ସଂଖ୍ୟା ୨୪ ରେ ପହଞ୍ଚିଲା। ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖ ଦିନ ଦିଲ୍ଲୀରେ ଏକ ବର୍ଷିଆ ଫେଲୋଶିପ୍ କରୁଥିବା ଜଣେ ଯୁବତୀଙ୍କ ସହ ଘଟିଥିବା ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ପିଲା ଚୋର ଭାବି ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କୁ ଗତ ମଙ୍ଗଳବାର ଦିନ ମରଣାତ୍ମକ ଆକ୍ରମଣ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏକ୍ସପୋଜର୍ ଭିଜିଟ୍ ସାରି ଫେରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହର ଶିକାର ହେବା ସହ ତାଙ୍କ ସହ ଦୁର୍ବ୍ୟବହାର ଓ ମାଡ଼ମାରି, ପିନ୍ଦିଥିବା ପୋଷାକ ଚିରି ଦେଇଥିଲେ।

କିଛି ଲୋକ ମାରନି ମରିଯିବି ବୋଲି ପାଟି କରୁଥିବା ବେଳେ କିଛି ଲୋକ ଉତ୍ତେଜିତ ହୋଇ ଯୁବତୀକୁ ମାଡ଼ ମାରି ପିନ୍ଧିଥିବା ପୋଷାକ ଚିରି ଉଲଗ୍ନ କରିଦେଇଥିଲେ। ଯୁବତୀ ଜଣକ ହାତ ଯୋଡି ନ ମାରିବା ପାଇ ନେହୁରା ହେଉଥିଲେ ମଧ୍ୟ ଲୋକମାନେ ମାରି ଚାଲିଥିଲେ। ଘଟଣାସ୍ଥଳରେ ଥିବା ଜଣେ ଯୁବକ ପିନ୍ଧିଥିବା ପୋଷାକ ଆହତ ଯୁବତୀଙ୍କୁ ପିନ୍ଧିବା ପାଇଁ ଦେଇଥିବା ବେଳେ ଯୁବତୀଙ୍କୁ ଉଦ୍ଧାର କରି ପୋଲିସର ଜିମା ଦେଇଥିଲେ। ପରେ ପୋଲିସ ଖବର ପାଇ ଉକ୍ତ ଯୁବକ ଯୁବତୀଙ୍କୁ ଉତ୍ୟକ୍ତ ଲୋକଙ୍କ ଠାରୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ରାଜ୍ୟ ସରକାର ଗୁରୁତର ସହିତ ନେଇ ରେଡଫ୍ଲାଗ ଅନ୍ତର୍ଭୁକ୍ତ କରିଛନ୍ତି।

Leave A Reply

Your email address will not be published.