Latest Odisha News

BREAKING NEWS

ଆରବିଆଇର ବଡ କାର୍ଯ୍ୟାନୁଷ୍ଠାନ, ୩ ବ୍ୟାଙ୍କ ସମେତ ଏକ କମ୍ପାନୀ ଉପରେ ଜରିମାନା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ କାର୍ଯ୍ୟାନୁଷ୍ଠାନ । ୪ ବ୍ୟାଙ୍କ ସମେତ ଏସଜି ଫିନସର୍ଭ ଲିମିଟେଡ୍ ଉପରେ ଲଗାଇଲା ଲକ୍ଷାଧିକ ଟଙ୍କାର ଜରିମାନା । ପଞ୍ଜୀକରଣ ପ୍ରମାଣପତ୍ର ସହ ଜଡିତ କିଛି ସର୍ତ୍ତ ପାଳନ ନକରିବାରୁ କମ୍ପାନୀ ଉପରେ ଜରିମାନା ଲଗାଇଛି ଆରବିଆଇ । ଏସଜି ଫିନସର୍ଭ ପୂର୍ବରୁ ମୁଙ୍ଗିପା ସିକ୍ୟୁରିଟିସ୍ ଭାବରେ ଜଣାଶୁଣା । ସମୟ ସମୟରେ ଆରବିଆଇ ଆର୍ଥିକ ସଂସ୍ଥାଗୁଡ଼ିକର ନନ୍-କଂପ୍ଲାଇନ୍ସ ଉପରେ ନଜର ରଖିଥାଏ ଏବଂ ପେନାଲ୍ଟି ଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥାଏ ।

ଆରବିଆଇ କହିଛି ଯେ, ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ କମ୍ପାନୀର ଆର୍ଥିକ ବିବରଣୀରେ ସାର୍ଟିଫିକେଟ୍ ଅଫ୍ ରେଜିଷ୍ଟ୍ରେସନ୍ (କୋଆର) ସହିତ ଜଡିତ ନିର୍ଦ୍ଦିଷ୍ଟ ସର୍ତ୍ତଗୁଡିକର ପାଳନ ନ କରାଯିବାର ତଥ୍ୟ ପ୍ରକାଶ ପାଇଛି । ରିଜର୍ଭ ବ୍ୟାଙ୍କ ଦ୍ଵାରା ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, କମ୍ପାନୀ ସିଓଆରର ନିର୍ଦ୍ଦିଷ୍ଟ ସର୍ତ୍ତଗୁଡିକ ପାଳନ ନକରିବା ସତ୍ତ୍ୱେ ମଧ୍ୟ ଲୋକମାନଙ୍କଠାରୁ ଜମା ରୂପେ ଟଙ୍କା ନେଇଛି ଏବଂ ଋଣ ଦେଇଛି । ତେବେ ଏହି ନିର୍ଦ୍ଧିଷ୍ଟ ସର୍ତ୍ତଗୁଡିକ ପାଳନ ନକରିବା କାରଣରୁ କମ୍ପାନୀ ଉପରେ ୨୮.୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଆରବିଆଇ ।

ସେହିପରି ଅରୁଣାଚଳ ପ୍ରଦେଶର ଗ୍ରାମିଣ ବ୍ୟାଙ୍କ ଉପରେ ୧୪ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଆରବିଆଇ । ଆର୍ଥିକ ମାନଦଣ୍ଡକୁ ଦୃଢ କରିବା ଏବଂ କେୱାଇସି ଉପରେ ଥିବା ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ପାଳନ ନକରିବାରୁ ବ୍ୟାଙ୍କ ଉପରେ ଏହି ଦଣ୍ଡବିଧାନ କରାଯାଇଛି। ସାଧାରଣତଃ ଏହି ପ୍ରକାର ଭୁଲ ଛୋଟ କିମ୍ବା ଗ୍ରାମାଞ୍ଚଳର ବ୍ୟାଙ୍କଗୁଡିକରେ ଘଟିଥାଏ । ଏହା ବ୍ୟତୀତ ଅନ୍ୟ କେତେକ ସମବାୟ ବ୍ୟାଙ୍କ ଉପରେ ମଧ୍ୟ ନିୟମ ଉଲ୍ଲଂଘନ ପାଇଁ ଦଣ୍ଡବିଧାନ ସ୍ଵରୁପ ଜରିମାନା ଲଗାଇଛି ଆରବିଆଇ । ଏହି ବ୍ୟାଙ୍କଗୁଡ଼ିକ ହେଉଛି ମଧ୍ୟପ୍ରଦେଶର ଜିଲ୍ଲା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ଲିମିଟେଡ୍-ଭିଣ୍ଡ, ମହାରାଷ୍ଟ୍ରର ସହରାଞ୍ଚଳ ସମବାୟ ବ୍ୟାଙ୍କ ଲିମିଟେଡ୍-ଧରଙ୍ଗାଓଁ ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀ କଳାହସ୍ତି ସମବାୟ ଟାଉନ୍ ବ୍ୟାଙ୍କ ଲିମିଟେଡ୍ ।

 

Leave A Reply

Your email address will not be published.