Latest Odisha News

BREAKING NEWS

ଜନତାଙ୍କୁ ଆଶ୍ୱସ୍ତି; ବଢ଼ିବନି ସୁଧହାର, ଲଗାଥର ୬ ଥର ରେପୋରେଟ୍ ବୃଦ୍ଧି ପରେ ଏଥର ବ୍ରେକ୍‌

ନୂଆଦିଲ୍ଲୀ: ଲଗାତର ୬ ଥର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କର ରେପୋରେଟ୍ ବୃଦ୍ଧିରେ ବ୍ରେକ୍ ଲାଗିଛି। ଏଥର ଆର୍‌ବିଆଇ ସୁଧହାର ବଢ଼ାଇବା ନାହିଁ ବୋଲି ଘୋଷଣା କରିଛି। ଗତ ୩ ଦିନ ହେଲା ଚାଲିଥିବା ଆର୍‌ବିଆଇ ମନିଟାରୀ ପଲିସି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥର ରେପୋରେଟ୍ ବଢାଯିବ ନାହିଁ ବୋଲି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ତେବେ ବିଶ୍ୱ ସ୍ତରରେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ରହିଛି। ଯାହାର ପ୍ରଭାବ ଭାରତ ଉପରେ ବି ପଡ଼ୁଛି।  ଏସବୁ ସତ୍ତ୍ୱେ ବି ସୁଧହାର ବୃଦ୍ଧି ନ କରିବାରୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେଣୁ ପୂର୍ବ ଭଳି ରେପୋରେଟ୍ ୬.୫୦ ପ୍ରତିଶତ ରହିବ ବୋଲି ଗଭର୍ଣ୍ଣର କହିଛନ୍ତି।

ଏହା ପୂର୍ବରୁ ରେପୋରେଟ୍ ବୃଦ୍ଧି ନେଇ ଆଶଙ୍କା କରାଯାଉଥଲା। ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ମନିଟାରି ପଲିସି ବୈଠକରେ ରେପୋରେଟ୍ ସ୍ଥିର ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଥାଉକି ୨୦୨୨ରେ ଲଗାତର ୬ ଥର ରେପୋରେଟ୍ ବଢ଼ାଯାଇଥିଲା। ଫଳରେ ଋଣ ନେବା ମହଙ୍ଗା ହୋଇଯାଇଥିଲା। ଋଣ ପୈଠକର୍ତ୍ତାମାନଙ୍କୁ ଅଧିକ ସୁଧ ଦେବାକୁ ପଡ଼ୁଥିଲା। 

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ମହଙ୍ଗା ବଜାର ଦର ୫.୨ ପ୍ରତିଶତ ରହିବ ବୋଲି ଆର୍‌ବିଆଇ ଆକଳନ କରିଛି। ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ମହଙ୍ଗା ସ୍ଥିତି ୫.୧ ପ୍ରତିଶତ ରହିପାରେ ବୋଲି ଆର୍‌ବିଆଇ କହିଛି। ଚଳିତ ଆର୍ଥିକ ବର୍ଷର ସ୍ଥିତି ମହଙ୍ଗାବଜାର କମ୍ କରିବାକୁ ଆଡ଼କୁ ସୂଚନା ଦେଉଛି ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।  ଗତବର୍ଷ ମେ ମାସରେ ନିଯାଇଥିବା ଆର୍ଥିକି ନିଷ୍ପତ୍ତି ଏବେ ବି କାମ କରୁଛି ବୋଲି ସେ କହିଛନ୍ତି

ରେପୋରେଟ୍ କଣ ?

ରେପୋରେଟ୍‌ ହେଉଛି ଆର୍‌ବିଆଇ ବ୍ୟାଙ୍କକୁ ଦେଉଥିବା ଋଣର ସୁଧ ଦର। ଆର୍‌ବିଆଇ ଏଥିରେ ପରିବର୍ତ୍ତନ କଲେ ବ୍ୟାଙ୍କମାନେ ମଧ୍ୟ ଗ୍ରାହକଙ୍କୁ ଦେଉଥିବା ଋଣର ସୁଧହାରରେ ପରିବର୍ତ୍ତନ କରିଥାନ୍ତି। ଏଥିରେ ଋଣ ନେଇ ପରେ ସୁଧ ବା ଇଏମ୍ଆଇ ଦେବା ମହଙ୍ଗା ପଡିଯାଇଥାଏ।

ଶକ୍ତିକାନ୍ତ ଦାସ ଆହୁରି କହିଛନ୍ତି ଯେ ବ୍ୟାଙ୍କିଙ୍ଗ ଓ ଅଣବ୍ୟାଙ୍କିଙ୍ଗ ସଂସ୍ଥା ଭଲ ରହିଛି।  ପୂର୍ବରୁ ଆର୍ଥିକ ବର୍ଷ ୨୦୨୪ ପାଇଁ ଜିଡିପି ଅଭିବୃଦ୍ଧି ୬.୪ ପ୍ରତିଶତ ଥିବା ବେଳେ ଏଥିରେ ସାମାନ୍ୟ ବୃଦ୍ଧି କରି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିପାରେ ବୋଲି ଆର୍‌ବିଆଇ କହିଛି। ଅର୍ଥନୀତି ଉଚ୍ଚ ସ୍ଥିତିରେ ଚାଲିଛି। ଦେଶରେ ଅଭିବୃଦ୍ଧି ୭ ପ୍ରତିଶତ ହୋଇପାରେ ବୋଲି ଶକ୍ତିକାନ୍ତ ଦାସ କରିଛନ୍ତି।

 

Leave A Reply

Your email address will not be published.