ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୮ତମ ସିଜନ୍ର ଅଷ୍ଟମ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦମ୍ବରମ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍ରେ ସିଏସ୍କେ ଅଧିନାୟକ ଋତୁରାଜ ଗାୟକୱାଡ଼ ଟସ୍ ଜିତି ପ୍ରଥମେ ବୋଲିଂ ନେବାକୁ ନିଷ୍ପତ୍ତି ନେଇଥିଲେ। ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୯୬ ରନ୍ ସଂଗ୍ରହ କରିଥିଲା। ସିଏସ୍କେ ଆଗରେ ୧୯୭ ରନ୍ର ଲକ୍ଷ୍ୟ ରହିଥିଲା।
ମ୍ୟାଚ୍ ଶେଷରେ ଆରସିବି ଚେନ୍ନାଇକୁ ୫୦ ରନ୍ରେ ପରାସ୍ତ କରି ବିଜୟୀ ହୋଇଛି। ଆରସିବି ଦେଇଥିବା ୧୯୭ ରନ୍ର ଟାର୍ଗେଟକୁ ସିଏସ୍କେ ହାସଲ କରିପାରି ନଥିଲା ଏବଂ ୮ ଓ୍ଵିକେଟ୍ ହରାଇ ୧୪୬ ରନ୍ରେ ସୀମିତ ରହିଥିଲା। ବଡ଼କଥା ହେଲା, ୧୭ ବର୍ଷ ପରେ ଆରସିବି ଚେନ୍ନାଇର ଘରୋଇ ମୈଦାନ ଚେପକରେ ସିଏସ୍କେକୁ ହରାଇଛି। ଏହା ପୂର୍ବରୁ ଆଇପିଏଲ୍ର ପ୍ରଥମ ସିଜନ୍ରେ ଏହି ମୈଦାନରେ ଆରସିବି ସିଏସ୍କେକୁ ପରାସ୍ତ କରିଛି।
ଚେନ୍ନାଇ ଏହି ସିଜନ୍ର ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ୪ ଓ୍ଵିକେଟ୍ରେ ହରାଇଥିବା ବେଳେ ଆରସିବି ମଧ୍ୟ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରି ନିଜର ଦମ୍ ଦେଖାଇଥିଲା। କିନ୍ତୁ ଏହି ମ୍ୟାଚ୍ରେ ସିଏସ୍କେର ପ୍ରଦର୍ଶନ ନୈରାଶଜନକ ରହିଥିଲା। ପାୱାର ପ୍ଲେରେ ସିଏସ୍କେ ୩ଟି ଓ୍ଵିକେଟ୍ ହରାଇ ଦେଇଥିଲା। ଦ୍ୱିତୀୟ ଓଭରରେ ଜୋଶ୍ ହେଜଲଉଡ୍, ରାହୁଲ ତ୍ରିପାଠୀ (୫) ଓ ଅଧିନାୟକ ଋତୁରାଜ ଗାୟକୱାଡ଼ (୦)ଙ୍କୁ ଆଉଟ୍ କରିଥିଲେ। ଏହାପରେ ଭୁବନେଶ୍ୱର କୁମାର ଦୀପକ ହୁଡ୍ଡାଙ୍କୁ ପାଭିଲିୟନ ଫେରାଇଥିଲେ। ସାମ୍ କରନ୍ ମାତ୍ର ୮ ରନ୍ କରି ଲିଭିଙ୍ଗଷ୍ଟୋନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ସେତେବେଳେ ସିଏସ୍କେର ସ୍କୋର ୪ ଓ୍ଵିକେଟ୍ରେ ୫୨ ରନ୍ ହୋଇଥିଲା।
ଆରସିବିର ବ୍ୟାଟିଂ ଆରମ୍ଭରେ ବିରାଟ କୋହଲି ଓ ଫିଲ୍ ସଲ୍ଟଙ୍କ ଆକ୍ରମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା। ସଲ୍ଟ ୩୨ ରନ୍ କରି ଆଉଟ୍ ହୋଇଥିବା ବେଳେ ବିରାଟ କ୍ରିଜ୍ରେ ରହି ପାରିକୁ ସମ୍ଭାଳିଥିଲେ। ତେବେ କୋହଲି ୩୦ ବଲ୍ରୁ ୩୧ ରନ୍ କରି ଆଉଟ୍ ହୋଇଥିଲେ। ଆରସିବିର ଏହି ବିଜୟ ଚେପକରେ ଏକ ଐତିହାସିକ ମୋଡ଼ ସୃଷ୍ଟି କରିଛି।
Comments are closed.