ଭୁବନେଶ୍ବର: ବାଘୁଣୀ ଜିନତକୁ ନେଇ ଆମ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସହ ଚାଲିଛି ବାକଯୁଦ୍ଧ। ପୁଣି ବାଘକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୟାନ ରଖିଥିଲେ। ତାର ଜବାବ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ। ମମତାଙ୍କ ବୟାନ ଉପରେ ସେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରୁ ଆଉ କିଛି ବାଘ ପଶ୍ଚିମବଙ୍ଗ ଯାଇନି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେମିତି ସମ୍ମାନ ଦେବେ, ସେମିତି ସମ୍ମାନ ପାଇବେ। ଆଇନ୍ ସବୁ ରାଜ୍ୟ ପାଇଁ, ଏହାକୁ ସମସ୍ତେ ମାନିବାର ଆବଶ୍ୟକତା ରହିଛି।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଆହୁରି କହିଛନ୍ତି, କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଓ ଓଡ଼ିଶାରେ ବିଜେପିର ମୋହନ ଚରଣ ମାଝୀଙ୍କ ସରକାର ଅଛି ବୋଲି ତାଙ୍କର ଓଡ଼ିଶା ପ୍ରତି ଟିକେ ଆକ୍ରୋଶ ରହିଛି। ଆମ ପାଖରେ ପର୍ଯ୍ୟାପ୍ତ ଜଙ୍ଗଲ ରହିଛି। ଜଙ୍ଗଲ ଯେଉଁଠି ଅଛି ଜୀବଜନ୍ତୁ ସେଠାକୁ ଯିବେ। ବାଘ ରଖିବା ପାଇଁ ଆମ ପାଖରେ ଜାଗା ନ ଥିଲେ ଶିମିଳିପାଳ ଭଳି ଅଭୟାରଣ୍ୟ କେମିତି ଅଛି ? ଜାତୀୟ ଜଙ୍ଗଲ ନିୟମ ଅନୁସାରେ ସବୁ ସରକାର ସହଯୋଗ କରିବା ଉଚିତ। ସବୁ ସରକାରଙ୍କ ସହଯୋଗ ଆମେ ଆଶା କରୁଛୁ। ଆମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ସେଠାକାର ବନ ବିଭାଗକୁ ଧନ୍ୟବାଦ ଦେଉଛୁ ବୋଲି ମନ୍ତ୍ରୀ କହିଛନ୍ତି।