Latest Odisha News

ଦାମୀ କାରକୁ ଶସ୍ତାରେ ବିକ୍ରି କରିବାର ଲୋଭ ଦେଖାଇ କିଭଳି ଠକିଥିଲେ ତିନି ଅଭିଯୁକ୍ତ, ପଢ଼ନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ଦାମୀ କାର ଯଦି ନିଜ ପକେଟକୁ ସୁହାଇଲା ଭଳି ଦାମରେ ମିଳିଯିବ ତାହେଲେ କିଏ ବା ହାତଛଡା କରିବ। ଆବଶ୍ୟକ ପଡିଲେ ଆଉ କିଛି ଅଧିକ ଟଙ୍କା ନିବେଶ କରି ସେହି ମନଲୋଭା କାରକୁ ଆଣି ଚଢିବାରେ ଏବଂ ନିଜ ଥାଟବାଟ ଦେଖାଇବାରେ ସଉକ ରଖୁଥିବା ଲୋକଙ୍କ ପାଇଁ ଏବେ ହେଜିବାର ସମୟ ଆସିଛି। କାରଣ ବଡ ଗାଡିକୁ ଶସ୍ତାରେ ପାଇଲେ ପକେଟରେ ଲାଗିପାରେ ଚୂନ। ଥାନା ବାବୁଙ୍କ ସମେତ ଅନେକ ବଡ ବଡିଆ ଏହି ଜାଲରେ ଫସିବା ପରେ ଶେଷରେ ଗିରଫ ହୋଇଛନ୍ତି ତିନି ଜଣ ଦଲାଲ ବା ଠକ।

ଏହି ଠକେଇ ଗ୍ୟାଙ୍ଗର ମୁଖିଆ ଶିବରାମ୍ ଗୌଡ଼ ଓ ଅକ୍ଷୟ ଗୌଡ଼କୁ ଭୁବନେଶ୍ୱରରୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଥିବା ବେଳେ ଅକ୍ଷୟ ଗୌଡ଼ର ପତ୍ନୀ ଉସାରାଣୀ ବାରିକଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି। ୫୦ ପ୍ରତିଶତ ଡିସକାଉଣ୍ଟରେ ଦାମୀ କାର ବିକ୍ରି କରିବାକୁ ସୋଶିଆଲ ମିଡିଆ ସମେତ ଓଏଲଏକ୍ସ ଭଳି ଆପ୍ସରେ ବିଜ୍ଞାପନ ଦେଇଥିଲେ। ଗିରଫ ପରେ କମିଶନରେଟ ପୋଲିସ କହିଛି, ଏହି ଠକମାନେ ୧୦ ଲକ୍ଷ ଟଙ୍କାର କାର ୬ ଲକ୍ଷ, ୧୮ ଲକ୍ଷ ଟଙ୍କାର କାର ୯ ଲକ୍ଷ ଟଙ୍କାରେ ମିଳିବ ଲୋକଙ୍କୁ ଏଭଳି ଲୋଭନୀୟ ଅଫର୍ ଦେଖାଇ ବଜାରରୁ ଆଡଭାନ୍ସ ଟଙ୍କା ନେଉଥିଲେ। ପରେ ଫେରାର ହୋଇଯାଉଥିଲେ। ଏବେ ଆପଣ ପ୍ରଶ୍ନ କରିବେ ଯେଉଁମାନେ ଟଙ୍କା ଦେଉଥିଲେ କାର କିଣିବାକୁ ସେମାନେ କିଭଳି ଏମାନଙ୍କୁ ବିଶ୍ବାସ କରୁଥିଲେ?

ତେବେ ଏପରି ଠକେଇ କରି ମାଲାମାଲ ହେବାର ସଉକ ରଖୁଥିବା ତିନି ଅଭିଯୁକ୍ତ ଏଥିପାଇଁ ସୁଚିନ୍ତିତ ଯୋଜନା କରି କାର୍ଯ୍ୟକାରୀ କରିଥିଲେ। ମିଳିଥିବା ସୂଚନା ଅନୁସାରେ ଏମାନେ ବିଭିନ୍ନ କମ୍ପାନୀର ଲଟେରୀ ସ୍କିମ ମାଧ୍ୟମରେ ପ୍ରାଏ ୨୦ଟି କାର ମାଗଣାରେ ଜିତିଥିଲେ। ଆଉ ସେହି କାର ଗୁଡିକୁ ଡିସକାଉଣ୍ଟ ମୂଲ୍ୟରେ କିଛି ଲୋକଙ୍କୁ ବିକ୍ରି କରିଥିଲେ। ଏହି ସମୟର ଫଟୋ ଓ ଭିଡିଓ ରେକର୍ଡିଂ କରି ପରବର୍ତୀ ସମୟରେ ଯେଉଁମାନଙ୍କ ବିଶ୍ବାସ ଜିତିବାକୁ ଲକ୍ଷ୍ୟ ରଖୁଥିଲେ ତାଙ୍କୁ ଦେଖାଉଥିଲେ। ଯାହାକୁ ଦେଖି ଅନେକ ପୋଲିସ ବାବୁ, ପୁରୁଣା ଗାଡି ସୋରୁମ ମାଲିକ ଏବଂ ଅନ୍ୟାନ୍ୟ ଲୋକ ଅଗ୍ରୀମ ଟଙ୍କା ଦେଉଥିଲେ ବୋଲି ପୋଲିସ କହିଛି। ମିଳିଥିବା ସୂଚନା ଅନୁସାରେ ଏହି ଠକ ଗ୍ୟାଙ୍ଗର ଠକିବା ଯୋଜନା ୨୦୧୫ ରୁ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା।

ଜଣେ ଅତିରିକ୍ତ ଏସପି ପାହ୍ୟର ପୋଲିସ ଅଫିସରଙ୍କ ଠାରୁ ପାଖାପାଖି ୩ କୋଟି ଟଙ୍କା ଠକିଥିବା ବେଳେ କମିଶନରେଟ ପୋଲିସର ଜଣେ ଥାନା ଆଇଆଇଇସି ମଧ୍ୟ ଏହି ଠକେଇ ଗ୍ୟାଙ୍ଗର ଶିକାର ହୋଇ ୧୪ ଲକ୍ଷ ଟଙ୍କା ହରାଇ ଥିବା ଜଣା ପଡିଛି। ତେବେ ଏହି ଗ୍ୟାଙ୍ଗରେ କିଏ କିଏ ଅଛନ୍ତି ତାକୁ ଜାଣିବାକୁ ପୋଲିସ ତଦନ୍ତ ଚଳାଇଛି।

ବଜାର ଦରର ଅଧା ଦରରେ କାର୍ ପାଇବା ପାଇଁ ଗ୍ରାହକଙ୍କୁ ଆଡଭାନ୍ସ ବାବଦରେ ୩୦ରୁ ୪୦ ହଜାର ଟଙ୍କା ଯାଏଁ ଟୋକନ ରାଶି ଜମା କରିବାକୁ ଶିବରାମ ଏବଂ ଅକ୍ଷୟ ଗ୍ରାହକଙ୍କୁ କହିଥିଲେ। ପ୍ରଥମେ ସେମାନେ ଏପରି କରି ବଜାରରୁ ୪୦ କୋଟିରୁ ଅଧିକ ଟଙ୍କା ଠକେଇ କରି ସେମାନେ ଫେରାର ହୋଇଯାଇଥିଲେ।

ଜଣେ ଅଭିଯୋଗକାରୀ ଦାବି କରିଛନ୍ତି ଯେ ସେ ଏକ ଏସୟୁଭି ପାଇଁ ୧୦ ଲକ୍ଷ ଟଙ୍କା ଦେଇଥିଲେ କାରଣ ତାଙ୍କର କିଛି ସହକର୍ମୀ ଏହି ଦମ୍ପତିଙ୍କ ଠାରୁ ସେମାନଙ୍କ କାର୍ ପାଇ ସାରିଛନ୍ତି। ମାସେ ଭିତରେ ଡେଲିଭରିର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଧୀରେ ଧୀରେ ଦୁହେଁ ତାଙ୍କୁ ଏଡ଼ାଇ ଚାଲିଥିଲେ ଏବଂ ଶେଷରେ ଫୋନ ରିସିଭ୍ କରିନଥିଲେ ପରେ ଫେରାର ହୋଇଯାଇଥିଲେ ବୋଲି ସେ ଦାବି କରିଛନ୍ତି।

ଏହି ଠକେଇର ଶିକାର ହୋଇଥିବା ବ୍ୟକ୍ତିମାନେ ରାଜଧାନୀର ପାହାଳ, ନୟାପଲ୍ଲୀ, ଖଣ୍ଡଗିରି, ଲକ୍ଷ୍ମୀସାଗର, ବଡଗଡ ଓ କ୍ୟାପିଟାଲ ଥାନାରେ ଅନେକ ଅଭିଯୋଗ କରିଥିଲେ।

Comments are closed.