Latest Odisha News

BREAKING NEWS

ଦୋକାନ ଘର ଦେବା ନାଁରେ ୯ ଲକ୍ଷ ଠକେଇ, ରିଅଲ ଇଷ୍ଟେଟ ସଂସ୍ଥାର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱକ: ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲୁ) ଓଡ଼ିଶା ହୋମ୍ସ ଓ କମର୍ସିଆଲ୍ସ ପ୍ରା.ଲି.ର ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଗିରଫ କରିଛି । ଅଭିଯୋଗ ଅନୁସାରେ, ସରୋଜଙ୍କ ସଂସ୍ଥା ଭୁବନେଶ୍ୱର ଅଶୋକନଗରରେ ଦୋକାନ ଘର ଯୋଗାଇ ଦେବା ଲାଗି ବ୍ୟବସାୟୀଙ୍କ ଠାରୁ ୯ କୋଟି ଟଙ୍କା ନେଇଥିଲା ।

ଆଜି ସରୋଜକୁ କଟକ ଓପିଆଇଡି କୋର୍ଟ ଚାଲାଣ କରାଯାଇଛି । ଆଇଆରସି ଭିଲେଜର କଲ୍ୟାଣ ମିଶ୍ରଙ୍କ ଅଭିଯୋଗ କ୍ରମେ ବୁଧବାର ସରୋଜକୁ ଗିରଫ କରିଥିଲା ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା ।

ଇଓଡବ୍ଲୁର ସୂଚନା ଅନୁସାରେ, ୫ ଜଣ ଜମି ମାଲିକ ମା ବସୁଧା ହୋମ୍ସ ସହ ଚୁକ୍ତି ସ୍ୱାକ୍ଷର କରିବା ସହ ପାୱାର ଅଫ୍ ଆଟର୍ଣ୍ଣି ଦେଇଥିଲେ । ଯେଉଁଥିରେ ୨୦୧୨ରୁ ଖାରବେଳନଗରରେ ସ୍ନିଗ୍ଧା ପ୍ରଧାନ ମିଳିତ ଭାବେ ନିର୍ମାଣ ଆରମ୍ଭ କରିଥିଲେ । ପରେ ମା ବସୁଧା ହୋମ୍ସ ଏବଂ ଓଡ଼ିଶା ହୋମ୍ସ ଓ କମର୍ସିଆଲ୍ସ ମଧ୍ୟରେ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ନେଇ ବୁଝାମଣା ହୋଇଥିଲା ।

୨୦୧୩-୨୦ ମସିହା ମଧ୍ୟରେ ରିଅଲ୍ ଇଷ୍ଟେଟ ସଂସ୍ଥା ବସୁଧା ହୋମ୍ ପ୍ରୋଜେକ୍ଟରେ ୧୨୯ ବାଣିଜ୍ୟିକ କୋଠା ଲାଗି ୯ କୋଟି ଟଙ୍କା ଜମା ସଂଗ୍ରହ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସଂସ୍ଥା ନା ଘର ଯୋଗାଇଥିଲା ନା ଟଙ୍କା ଫେରାଇ ଥିଲା ।

ଏପରିକି ବିଡିଏର ଅନୁମତି ନନେଇ ତୃତୀୟ ମହଲାରେ ବ୍ୟବସାୟିକ କୋଠା ନିର୍ମାଣ ହେଉଥିଲା । ତୃତୀୟ ମହଲା ପାଇଁ ମଧ୍ୟ ଆଗୁଆ ଅର୍ଥ ନିଆଯାଇଥିଲା । ଏପରିକି ଜମା ଟଙ୍କା ପାଇବା ପରେ କମ୍ପାନୀ ଜମି ମାଲିକଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ୨୦ କୋଟିର ଠକେଇ ମାମଲାରେ ଗଣପତି ହୋମ୍ସ ପ୍ରୋଜେକ୍ଟର ୨ ନିର୍ଦ୍ଦେଶକ ମନୋଜ ପଣ୍ଡା ଓ ଅରବିନ୍ଦ ସାନ୍ତରା ଗିରଫ ହୋଇଥିଲେ । ପଣ୍ଡା ଏବେ ବି ଜେଲରେ ଅଛି । ଏବେ ଗିରଫ ହୋଇଥିବା ସରୋଜ ମଧ୍ୟ ଉକ୍ତ ମାମଲାରେ ସମ୍ପୃକ୍ତ ଥିବା କହିଛି ଇଓଡବ୍ଲୁ ।

Leave A Reply

Your email address will not be published.