Latest Odisha News

ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପଛର କାରଣ

ନୂଆଦିଲ୍ଲୀ: ୩୭୦ ଧାରା ହଟିବା ପରେ ଜାମ୍ମୁ ଓ କାଶ୍ମୀରରେ ଅନେକ କିଛି ବଦଳିିଛି । ଆଗ ଅପେକ୍ଷା ଶାନ୍ତ ରହିଛି କାଶ୍ମୀର ଉପତ୍ୟକା ।  ବର୍ତ୍ତମାନ ଚିନ୍ତା କାଶ୍ମୀରକୁ ନୁହେଁ । ଜାମ୍ମୁର ପରିସ୍ଥିତିକୁ ନେଇ ଚିନ୍ତା । ଜାମ୍ମୁ କିଛି ବର୍ଷ ଧରି ଶାନ୍ତ ଥିଲା । କିନ୍ତୁ ଗତ କିଛି ଦିନ ଧରି ଜାମ୍ମୁରେ ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି । ସୁରକ୍ଷା ବାହିନୀ ଉପରେ ଆକ୍ରମଣ ହେଉଛି । ସଦ୍ୟତମ ଆକ୍ରମଣ କଠୁଆରେ ହୋଇଛି । ସାଧାରଣ ଜନତା ଓ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଜାମ୍ମୁରେ ପୁଣି ଥରେ ଶକ୍ତି ବୃଦ୍ଧି କରିବାକୁ ଆତଙ୍କବାଦୀଙ୍କ ଉଦ୍ୟମ ସୁରକ୍ଷା ବାହିନୀ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛି । ବିଶେଷ କରି ଜାମ୍ମୁର କଠୁଆରେ ଆତଙ୍କବାଦୀଙ୍କ ଧ୍ୟାନ ପୁଣି ଥରେ କେନ୍ଦ୍ରୀଭୂତ ହେବାରେ ଲାଗିଛି । ଯେତେବେଳେ କାଶ୍ମୀର ପରିସ୍ଥିତି ଅତି ଖରାପ ଥିଲା ସେତେବେଳେ ଜାମ୍ମୁର କଠୁଆ ଥିଲା ଆତଙ୍କବାଦୀଙ୍କ ନିରାପଦ ସ୍ଥାନ ।

ଆତଙ୍କବାଦୀ ଏବେ ଜାମ୍ମୁକୁ କାହିଁକି ଟାର୍ଗେଟ କରିବା ଆରମ୍ଭ କରିଛନ୍ତି ? ଧାରା ୩୭୦ ହଟିବା ପରେ କାଶ୍ମୀର ଉପତ୍ୟକାରେ ବହୁସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା । ସେଠାରେ ସୁରକ୍ଷା ବଳୟ ଭେଦ କରିବା ଆତଙ୍କବାଦୀଙ୍କ ପାଇଁ ମୁସ୍କିଲ ହୋଇପଡିଛି । ତେଣୁ ଆତଙ୍କବାଦୀମାନେ ଏବେ ଜାମ୍ମୁକୁ ଟାର୍ଗେଟ କରୁଛନ୍ତି ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ।

ବର୍ଷା ଋତୁ ଚାଲିଥିବାରୁ ମାମଲା ଆହୁରି ସ୍ପର୍ଶକାତର ହୋଇଛି । ପ୍ରବଳ ବର୍ଷାରେ ସୀମା ଉପରେ ନଜର ରଖିବା କଷ୍ଟକର ହୁଏ । ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିଥାନ୍ତି ଆତଙ୍କବାଦୀ । ସୀମାପାର କରି ଅନୁପ୍ରବେଶ କରିବା ସହଜ ହୋଇଥାଏ । ଏହାଛଡା ହିନ୍ଦୁବହୁଳ ଜାମ୍ମୁରେ ଆକ୍ରମଣ କରି ସାଂପ୍ରଦାୟିକ ସଦ୍ଭାବ ନଷ୍ଟ କରିବାକୁ ପାକ୍ ସମର୍ଥିତ ଆତଙ୍କବାଦୀମାନଙ୍କ ଷଡଯନ୍ତ୍ର ଥାଇପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । କାରଣ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଲେ ଆତଙ୍କବାଦୀଙ୍କ ଚଳପ୍ରଚଳ ସହଜ ହେବ ।

ଧାରା ୩୭୦ ହଟିଲା ପରେ ଏ ବର୍ଷ ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଭଣ୍ଡୁର କରିବା ପାଇଁ ଅସ୍ଥିରତା ସୃଷ୍ଟି କରିବାକୁ ଚାହାନ୍ତି ଆତଙ୍କବାଦୀ । ଖୁବ୍ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବ । କିଛି ବିଶେଷଜ୍ଞଙ୍କ ମତରେ ସୀମା ଆରପଟେ କିଛି ଆତଙ୍କବାଦୀ ଓ ସେମାନଙ୍କ ପୃଷ୍ଠପୋଷକଙ୍କ ରହସ୍ୟମୟ ହତ୍ୟା ଜାମ୍ମୁରେ ଅଚାନକ ହିଂସା ବଢିବାର ଆଉ ଏକ ମୁଖ୍ୟ କାରଣ ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି । କିଛି ଦିନ ତଳେ ଆଇଏସଆଇର ଅମୀର ହମଜାକୁ ରହସ୍ୟମୟ ପାକିସ୍ତାନରେ ହତ୍ୟା କରାଯଇଥିଲା । ୨୦୧୮ ଫେବ୍ରୁଆରୀ ାଂସରେ ଜାମ୍ମୁର ସୁଜବାନ କ୍ୟାମ୍ପରେ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ହମଜା । ହମଜାର ହତ୍ୟା ପରେ ପାକିସ୍ତାନ ବିଚଳିତ ହୋଇଯାଇଛି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ଜାମ୍ମୁ ଓ କାଶ୍ମୀର ପ୍ରତି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ପାକିସ୍ତାନ ଆଉ ଏକ ଷଡଯନ୍ତ୍ର ରଚିଛି ବୋଲି ମତ ପ୍ରକାଶ ପାଇଛି । ଏଥିପାଇଁ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ଜଟିଳ ଜାମ୍ମୁକୁ ଟାର୍ଗେଟ କରାଯାଉଛି ।

Comments are closed.