Latest Odisha News

BREAKING NEWS

ୱାୟନାଡ ଭୂସ୍ଖଳନ ପଛର କାରଣ

ଓ୍ବାୟନାଡ: କେରଳରେ ଆଉ ଏକ ଭୟାବହ ପ୍ରାକୃତିକ ବିପର୍ଯ୍ୟୟରେ ଯାଇଛି ଅନେକ ଜୀବନ । ପ୍ରବଳ ବର୍ଷା ଜନିତ ଭୂସ୍ଖଳନରେ ୱାୟନାଡ୍ ଜିଲ୍ଲାରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ୧୫୦ରୁ ଅଧିକ ହୋଇଛି ମୃତ୍ୟୁସଂଖ୍ୟା । ୨୦୧୮ର ପ୍ରଳୟଙ୍କରୀ ବନ୍ୟା ଯୋଗୁଁ କେରଳ ଭୋଗିଥିବା ଦୁର୍ଦ୍ଦଶାକୁ ମନେ ପକାଇ ଦେଇଛି ୱାୟନାଡ୍ ଭୂସ୍ଖଳନ । ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ୱାୟନାଡ୍ ବିପର୍ଯ୍ୟୟ ରାଜ୍ୟର ବଡ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି ।

ପଶ୍ଚିମଘାଟ ପର୍ବତମାଳାରେ ଥିବା କେରଳର ଅଧିକାଂଶ ଜିଲ୍ଲା ଭୂସ୍ଖଳନ ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟର ସାମନା କରିଥାନ୍ତି । ତେବେ କାହିଁକି ଈଶ୍ୱରଙ୍କ ନିଜ ରାଜ୍ୟ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛି । ଏଥିପାଇଁ ରାଜ୍ୟର ଭୌଗଳିକ ସ୍ଥିତି ନା ଅନ୍ୟ କୌଣସି କାରଣ ଦାୟୀ । ଏଥିପାଇଁ ଅନେକ କାରଣକୁ ଦାୟୀ କରାଯାଇପାରେ । ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ଅଂଚଳ ଓ ବନାଂଚଳ ହ୍ରାସ ଭଳି କାରଣ ହିଁ ୱାୟନାଡ ଓ ଅନ୍ୟ ଜିଲ୍ଲାରେ ବିନାଶକାରୀ ଭୂସ୍ଖଳନର କାରଣ ବୋଲି ପରିବେଶବିତ କହନ୍ତି ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ ପକ୍ଷରୁ ଗତବର୍ଷ ଜାରି ସୂଚନା ଅନୁସାରେ ଭାରତରେ ଭୂସ୍ଖଳନ ପ୍ରବଣ ୩୦ ଜିଲ୍ଲା ମଧ୍ୟରୁ କେବଳ କେରଳରେ ରହିଛି ୧୦ଟି ଜିଲ୍ଲା । ଆଉ ୱାୟନାଡ ଏହି ସୂଚୀରେ ୧୩ତମ ସ୍ଥାନରେ ରହିଛି । କେରଳ ସମେତ ତାମିଲନାଡୁ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ପଶ୍ଚିମଘାଟ ଓ କୋଙ୍କଣ ପର୍ବତମାଳା ଅଂଚଳରେ ଅବସ୍ଥିତ । କେରଳର ପଶ୍ଚିମଘାଟ ଘନ ଜଙ୍ଗଲରେ ଭରପୂର ଥିଲା । ଜଙ୍ଗଲ ସଫା କରି ବ୍ୟାପକ ପରିମାଣରେ ରବର ଚାଷ କରାଯାଉଛି । ରବର ଗଛର ମୃତ୍ତିକା ସଂରକ୍ଷଣ ଶକ୍ତି କମ୍ ବୋଲି ପରିବେଶବିତମାନେ କହିଛନ୍ତି । ଏହାସହ ସ୍ପର୍ଶକାତର ଅଂଚଳରେ ବେଲଗାମ ନିର୍ମାଣ କରାଯାଉଛି । ବନାଞ୍ଚଳ ହ୍ରାସ ପାଇବା ସହ ଭୂସ୍ଖଳନ ବୃଦ୍ଧି ପାଇଛି ।

କେରଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂଖ୍ଖଳନ ମାନବକୃତ । ହିମାଳୟ ପରେ ପଶ୍ଚିମଘାଟ ହେଉଛି ଦେଶର ଦ୍ୱିତୀୟ ସର୍ବାଧିକ ଭୂସ୍ଖଳନ ପ୍ରବଣ ଅଂଚଳ । ପଶ୍ଚିମଘାଟ ଅଂଚଳକୁ ଏ ଯାଏଁ ଜୈବ ସମ୍ବେଦନଶୀଳ ଅଂଚଳ ଭାବେ ଘୋଷଣା କରାଯାଇନାହିଁ । ଏ ଦିଗରେ କେରଳ ଓ କର୍ଣ୍ଣାଟକ ସରକାର କୌଣସି ଆଗ୍ରହ ଦେଖାଇନାହାନ୍ତି । ଜୈବ ସମ୍ବେଦନଶୀଳ ଅଂଚଳ ଘୋଷଣା କରାଗଲେ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହେବ ବୋଲି ଯୁକ୍ତି ଦର୍ଶାଯାଉଛି । ଏଭଳି ଉଦାସୀନତାର ଭୟାବହ ପରିଣାମ ଭୋଗିବାକୁ ପଡୁଛି । ୱାୟନାଡ ଟ୍ରାଜେଡି ଏହାର ସଦ୍ୟ ଉଦାହରଣ ।

Comments are closed.