ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ବଡ ଝଟକା । ଦଳ ଗଠନ ପରଠୁ ପ୍ରଥମ ଥର ପାଇଁ ଦିଲ୍ଲୀରେ ଦୋହଲି ଯାଇଛି ଆପର ଜନାଧାର । ୨୭ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଥିବା ବେଳେ, ଆପ୍ ହାତରୁ ଖସିଯାଇଛି କ୍ଷମତାର ଡୋର । ତେବେ ପ୍ରଶ୍ନ ଉଠୁଛି, ଜେଏମଏମ ମୁଖ୍ୟ ହେମନ୍ତ ସୋରେନଙ୍କ ପରି କାହିଁକି କେଜ୍ରିଓ୍ବାଲଙ୍କୁ ମିଳିଲାନି ଦିଲ୍ଲୀବାସୀଙ୍କ ସମବେଦନା? ଉଭୟ ଜେଲ୍ ଯାଇଥିଲେ, ଜେଲରୁ ଫେରି ନିର୍ବାଚନ ଲଢିଥିଲେ । ଦିଲ୍ଲୀରେ ତ କେଜ୍ରିଓ୍ବାଲଙ୍କ ସହ ଆପ୍ ସରକାରର ଦୁଇ ମନ୍ତ୍ରୀ ବି ଜେଲ୍ ଯାଇଥିଲେ । ହେଲେ ଦିଲ୍ଲୀ ଭୋଟର କାହିଁକି ଆପକୁ ସମବେଦନା ଭୋଟ୍ ଦେଲେନି? ଦିଲ୍ଲୀରେ ଆପର ବଡ ବିପର୍ଯ୍ୟୟ ପଛର କାରଣ କଣ?
ଦିଲ୍ଲୀରେ ସତ ମିଛ ଖେଳ !
ଆପ ମୁଖ୍ୟଙ୍କ କିଛି ବୟାନକୁ ନେଇ ନିର୍ବାଚନ ପୂର୍ବରୁ ବଡ ବିବାଦ ହୋଇଥିଲା । ହରିୟାଣା ଜାଣିଶୁଣି ଦିଲ୍ଲୀକୁ ବିଷାକ୍ତ ପାଣି ପଠାଉଥିବା ନେଇ ଅଭିଯୋଗ କରିଥିଲେ କେଜ୍ରିଓ୍ବାଲ । ଦିଲ୍ଲୀବାସୀଙ୍କୁ ମାରିବାକୁ ଏଭଳି ଷଡ଼ଯନ୍ତ୍ର କରୁଥିବା କହିଥିଲେ । ଏହାପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସୈନି ଦିଲ୍ଲୀ ସୀମାରେ ଯମୁନା ପାଣି ପିଇ କେଜ୍ରିଓ୍ବାଲଙ୍କ ନାରେଟିଭକୁ ମିଛ ପ୍ରମାଣିତ କରିଥିଲେ । ତେବେ କେଜ୍ରିଓ୍ବାଲଙ୍କ ଏଭଳି ବୟାନକୁ ତାଙ୍କର ଅନେକ ସମର୍ଥକ ବି ପସନ୍ଦ କରିନଥିଲେ ।
ଛବି ବିଗାଡିଲା ଶିଶମହଲ ବିବାଦ
ରାଜନୀତିରେ ପାଦ ଦେବାପରେ ଭିଆଇପି କଲଚରକୁ ଶେଷ କରିବାକୁ କହୁଥିଲେ ଅରବିନ୍ଦ କେଜ୍ରିଓ୍ବାଲ । ଏପରିକି ଗାଡ଼ି, ବଙ୍ଗଳା ଓ ସୁରକ୍ଷା ନେବାକୁ ବି ମନା କରିଥିଲେ । ହେଲେ କ୍ଷମତାକୁ ଆସିବା ପରେ ଲଗଜୁରୀ ଗାଡ଼ି ନେଲେ । କେନ୍ଦ୍ରଠାରୁ ଜେଡ୍ ପ୍ଲସ୍ ସୁରକ୍ଷା ମିଳୁଥିଲେ ମଧ୍ୟ ପଞ୍ଜାବ ସରକାରର ଟପ୍ ସିକ୍ୟୁରିଟି ନେଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ଆବାସର ମରାମତି ନାଁରେ ବିଳାସମୟ ଶିଶମହଲ ତିଆରି କରିଥିବା ନେଇ ବିଜେପି ଅଭିଯୋଗ କରିବା ପରେ କେଜ୍ରିଓ୍ବାଲଙ୍କ ଛବି ଖରାପ ହୋଇଥିଲା । ସିଏଜି ରିପୋର୍ଟରେ ବି ସିଏମ୍ ଆବାସ ଉପରେ ହୋଇଥିବା ଖର୍ଚ୍ଚ ନେଇ ପ୍ରଶ୍ନ ଉଠିଲା । ଫଳରେ ଲୋକଙ୍କ ପାଖରେ ବିଶ୍ବାସ ହରାଇଲେ କେଜ୍ରିଓ୍ବାଲ ।
କଂଗ୍ରେସଠୁ ଅଲଗା ହେବା ପଡିଲା ମହଙ୍ଗା
ଇଣ୍ଡିଆ ମେଣ୍ଟର ଦୁଇ ସହଯୋଗୀ ଆପ୍ ଓ କଂଗ୍ରେସ ଦିଲ୍ଲୀରେ ପରସ୍ପର ବିରୋଧରେ ନିର୍ବାଚନ ଲଢିଲେ । ଫଳରେ ଭୋଟ୍ ବିଭାଜନ ହେଲା, ଯାହାର ଫାଇଦା ନେଲା ବିଜେପି । କଂଗ୍ରେସ ଭୋଟକୁ ନିଜ ଖାତାକୁ ନେଇ ଗତ ତିନିଟି ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା ଆପ୍ । ହେଲେ ଏଥର କଂଗ୍ରେସ ନିଜ ଜନାଧାର ଫେରାଇ ଆଣିବାକୁ ଉଦ୍ୟମ କରିବା ଯୋଗୁଁ ଆପ୍ କ୍ଷତି ସହିଲା । ହରିୟାଣାରେ ଉଭୟ ଦଳ ଅଲଗା ନିର୍ବାଚନ ଲଢିବାର ଫଳ ଦେଖିସାରିଥିଲେ । ଅଳ୍ପକେ ସରକାର ଗଢିବାରୁ ବଞ୍ଚିତ ହୋଇଥିଲା କଂଗ୍ରେସ । ହେଲେ ଦିଲ୍ଲୀରେ ପୁଣି ସମାନ ଭୁଲ ଦୋହରାଇଲେ ।
ମହିଳାଙ୍କୁ ମନାଇ ପାରିଲାନି ଆପ୍
ଝାଡ଼ଖଣ୍ଡରେ ମୟାଁ ସମ୍ମାନ ଯୋଜନା ଜେଏମଏମକୁ ଜିତାଇବା ପଛର ବଡ କାରଣ ବୋଲି କୁହାଯାଏ । ଦିଲ୍ଲୀରେ ବି ମହିଳାଙ୍କ ପାଇଁ ଏଭଳି ଯୋଜନା ଲାଗୁ କରିବାକୁ ବର୍ଷେ ହେଲା ଚାହୁଁଛନ୍ତି କେଜ୍ରିଓ୍ବାଲ, ହେଲେ କରିପାରିନଥିଲେ । ଫଳରେ ସାଧାରଣ ଲୋକଙ୍କ ପାଖକୁ ଭୁଲ୍ ସନ୍ଦେଶ ଗଲା । କୁହାଯାଉଛି, ନିର୍ବାଚନର ମାସେ ପୂର୍ବରୁ ବି ଯଦି କେଜ୍ରିଓ୍ବାଲ ଯୋଜନା ଲାଗୁ କରି ଦେଇଥାନ୍ତେ ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା ।
କଥା ଦେଇ କଥା ରଖିପାରିଲେନି କେଜ୍ରିଓ୍ବାଲ
ଦିଲ୍ଲୀରେ ମୌଳିକ ସୁବିଧା ପୂରଣ ନହେବାକୁ ନେଇ ଆପ୍ ସରକାର ବିରୋଧରେ ଜନତା ଅସନ୍ତୁଷ୍ଟ ରହିଥିଲେ । ୨୪ଘଣ୍ଟା ସ୍ବଚ୍ଛ ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ କେଜ୍ରିଓ୍ବାଲ । ହେଲେ ତାହା ପୂରଣ ହୋଇପାରିଲାନି । ଖରାଦିନେ ଲୋକେ ପାଣି ପାଇଁ ହଇରାଣ ହେଉଥିଲେ । ଏପରିକି ଟ୍ୟାଙ୍କର ମାଫିଆଙ୍କୁ ମାତ୍ ଦେବାରେ ସରକାର ବିଫଳ ହେଲେ । ଦିଲ୍ଲୀରେ ସଫେଇ ବ୍ୟବସ୍ଥା ବି ବିପର୍ଯ୍ୟସ୍ତ ହୋଇଯାଇଥିଲା । ଏମଏସଡି ବି ଆପ୍ ପାଖରେ ଥିବାରୁ ଦଳ କୌଣସି ବାହାନା କରିପାରିଲାନି । ଏହାସହ କୋର୍ଟ କେସ୍ ପାଇଁ ପୁଣି କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ହୋଇପାରିବେ କି ନାହିଁ ସେନେଇ ବି ଜନତା ଦ୍ବନ୍ଦ୍ବରେ ରହିଲେ । ଆପ୍ ଅନ୍ୟ କାହାକୁ ସିଏମ୍ ଚେହେରା ଘୋଷଣା କରିଥିଲେ ହୁଏତ ସ୍ଥିତି ଅଲଗା ହୋଇଥାନ୍ତା ।
Comments are closed.