Latest Odisha News

BREAKING NEWS

ଦିଦିଙ୍କୁ କ୍ଷମତାଚ୍ୟୁତ କଲେ ବିଦ୍ରୋହୀ: ଟିଏମସି ସିଂହାସନରେ ଅରୂପ ରାୟ, ମମତାଙ୍କୁ ‘ଉପଦେଷ୍ଟା’ ପଦ ଯାଚିଲା ଋତବ୍ରତ ଗୋଷ୍ଠୀ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଭୂକମ୍ପ। ଯେଉଁ ତୃଣମୂଳ କଂଗ୍ରେସର ସର୍ବେସର୍ବା ଥିଲେ ମମତା ବାନାର୍ଜୀ, ଆଜି ସେହି ଦଳରୁ ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଦଳର ବିଦ୍ରୋହୀ ଗୋଷ୍ଠୀ ମମତାଙ୍କୁ ପଦରୁ ହଟାଇ ବରିଷ୍ଠ ବିଧାୟକ ଅରୂପ ରାୟଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି। ବିଧାନସଭାର ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ କୋଲକାତାର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଜରୁରୀକାଳୀନ ଅଧିବେଶନରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।

 

ତେବେ ଏହି ରାଜନୈତିକ ଟଣାଓଟରା ମଧ୍ୟରେ ବିଦ୍ରୋହୀ ଗୋଷ୍ଠୀ ମମତା ବାନାର୍ଜୀଙ୍କୁ ସମ୍ପୂର୍ଣ୍ଣ କୋଣଠେସା ନକରି ତାଙ୍କୁ ଦଳର ‘ମୁଖ୍ୟ ଉପଦେଷ୍ଟା’ କିମ୍ବା ‘ମାର୍ଗଦର୍ଶକ’ ହେବାକୁ ପ୍ରସ୍ତାବ ଦେଇଛନ୍ତି।

 

ସୂଚନା ଅନୁଯାୟୀ, ଦଳର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୬୦ ରୁ ଅଧିକ ବିଧାୟକ ମମତାଙ୍କ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରି ଏହି ସ୍ୱତନ୍ତ୍ର ବୈଠକରେ ସାମିଲ ହୋଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଋତବ୍ରତ ବାନାର୍ଜୀ କହିଛନ୍ତି, “ଆମେ ସମ୍ପୂର୍ଣ୍ଣ ସାମ୍ବିଧାନିକ ନିୟମ ଅନୁଯାୟୀ କାମ କରିଛୁ। ଟିଏମସି ସମ୍ବିଧାନ ଅନୁସାରେ ପ୍ରତି ୩ ବର୍ଷରେ ଜାତୀୟ କାର୍ଯ୍ୟକାରିଣୀ କମିଟି ଗଠନ ହେବା କଥା, ଯାହା ଗତ ୨୦୨୨ ଫେବୃଆରୀ ପରଠାରୁ ହୋଇନାହିଁ। ତେଣୁ ଆମେ ଆଜି ସର୍ବସମ୍ମତି କ୍ରମେ ୩୦ ଜଣିଆ ନୂଆ ଜାତୀୟ କାର୍ଯ୍ୟକାରିଣୀ କମିଟି ଗଠନ କରିଛୁ ଏବଂ ଅରୂପ ରାୟଙ୍କୁ ଦଳର ଅଧ୍ୟକ୍ଷ ଦାୟିତ୍ୱ ଦେଇଛୁ। ଆମେ ହିଁ ପ୍ରକୃତ ତୃଣମୂଳ କଂଗ୍ରେସ ଏବଂ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଲିଖିତ ଭାବେ ଅବଗତ କରାଯିବ।”

 

ନୂଆ କମିଟି ଗଠନ ସହ ଦଳର ଜାତୀୟ ସାଧାରଣ ସମ୍ପାଦକ ଥିବା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ କ୍ଷମତାକୁ ସମ୍ପୂର୍ଣ୍ଣ ଶେଷ କରି ଦିଆଯାଇଛି। ନୂଆ କମିଟିରେ ତାଙ୍କ ନାଁ ଉପରେ ଚର୍ଚ୍ଚା ସୁଦ୍ଧା ହୋଇନାହିଁ। ନୂଆ କାର୍ଯ୍ୟକାରିଣୀରେ ଫିରହାଦ୍ ହାକିମ, ଅରୂପ ବିଶ୍ୱାସ, ରଥୀନ ଘୋଷ ଏବଂ ସାବିନା ୟାସମିନଙ୍କୁ ଉପାଧ୍ୟକ୍ଷ କରାଯାଇଥିବା ବେଳେ ଋତବ୍ରତ ବାନାର୍ଜୀ, ଜାଭେଦ ଖାନ ଓ ବିପ୍ଳବ ମିତ୍ରଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି।

 

ଅନ୍ୟପଟେ ମମତା ବାନାର୍ଜୀଙ୍କ ଶିବିର ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି। ଦଳର ସାଂସଦ ସୌଗତ ରୟ ଏବଂ ବରିଷ୍ଠ ନେତା ମଦନ ମିତ୍ର କହିଛନ୍ତି ଯେ, ଏଭଳି ବୈଠକ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ବେଆଇନ। ଋତବ୍ରତ ଏବଂ ତାଙ୍କ ସହଯୋଗୀମାନେ ସିପିଆଇ(ଏମ) ରୁ ଆସିଛନ୍ତି, ଦଳର ସମ୍ବିଧାନ ବଦଳାଇବାକୁ ସେମାନଙ୍କର କୌଣସି ଅଧିକାର ନାହିଁ। କେବଳ ମମତା ବାନାର୍ଜୀ ହିଁ ଟିଏମସିର ଏକମାତ୍ର ସୁପ୍ରିମୋ।

 

ପ୍ରକୃତ ଟିଏମସି କିଏ, ତାହାକୁ ନେଇ ବିବାଦ ଏବେ କୋର୍ଟ ଓ ବ୍ୟାଙ୍କ ଆକାଉଣ୍ଟ ମୁହାଁ ହୋଇଛି। ବିଦ୍ରୋହୀ ଗୋଷ୍ଠୀ ଦଳୀୟ ପାଣ୍ଠିର ତଦନ୍ତ ଦାବି କରୁଥିବା ବେଳେ, ମମତାଙ୍କ ସମର୍ଥକମାନେ ଟିଏମସିର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ତୁରନ୍ତ ଫ୍ରିଜ୍ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ନିକଟରେ ଦଳର ୨୦ ଜଣ ସାଂସଦ ଅଲଗା ହୋଇ ଅନ୍ୟ ଦଳ ସହ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏବେ ରାଜ୍ୟରେ ବିଧାୟକମାନଙ୍କ ଏହି ବଡ଼ ବିଦ୍ରୋହ ମମତା ବାନାର୍ଜୀଙ୍କ ରାଜନୈତିକ କ୍ୟାରିୟର ପାଇଁ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି।

Leave A Reply

Your email address will not be published.