ଶ୍ରୀନଗର: କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ କଲମା ପାଠ କରିବାକୁ କହିଥିଲେ ଏବଂ ଯେଉଁମାନେ କଲମା ପାଠ କରିପାରୁ ନଥିଲେ ସେମାନଙ୍କୁ ଗୁଳି କରାଯାଇଥିଲା। ଏହି ଘଟଣା ମଧ୍ୟରେ, ଆସାମ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଛି। କାରଣ ଯେତେବେଳେ ଆତଙ୍କବାଦୀମାନେ ଗୁଳି କରୁଥିଲେ ସେ କଲମା ପାଠ କରିବା ଆରମ୍ଭ କରିଦେଇଥିଲେ ।
ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟ ତାଙ୍କ ପରିବାର ସହିତ ଛୁଟି କାଟିବାକୁ ଯାଇଥିଲେ। ସେ ସିଲଚରର ଆସାମ ବିଶ୍ୱବିଦ୍ୟାଳୟରେ ବଙ୍ଗଳା ପଢାନ୍ତି। ସେ ନିଜେ କହିଛନ୍ତି ଯେ, ଯେତେବେଳେ ପହଲଗାମରେ ଆତଙ୍କବାଦୀମାନେ ଲୋକମାନଙ୍କୁ ଗୁଳି କରୁଥିଲେ, ତାଙ୍କ ଚାରିପାଖରେ ଥିବା ଲୋକମାନେ ତଳେ ବସି କଲମା ପାଠ କରିବାକୁ ଲାଗିଲେ।
ଏହା ଦେଖି ପ୍ରଫେସର ମଧ୍ୟ କଲମା ପାଠ କରିବା ଆରମ୍ଭ କଲେ। ଏହି ସମୟରେ, ଜଣେ ଆତଙ୍କବାଦୀ ତାଙ୍କ ପାଖକୁ ଆସିଥିଲା ଓ ତାଙ୍କ ପାଖରେ ବସିଥିବା ବ୍ୟକ୍ତିଙ୍କୁ ଗୁଳି କରିଥିଲା। ଏହପରେ ପଚାରିଲା ଯେ ସେ କ’ଣ କରୁଛନ୍ତି, କିନ୍ତୁ ପ୍ରଫେସର ଆତଙ୍କବାଦୀଙ୍କୁ କୌଣସି ଉତ୍ତର ଦେଲେ ନାହିଁ ଏବଂ କଲମା ପାଠ କରି ଚାଲିଲେ। ଏହା ଦେଖି ଆତଙ୍କବାଦୀ ତାଙ୍କୁ ହତ୍ୟା କରିନଥିଲା ।
ପ୍ରଫେସର କହିଛନ୍ତି ଯେ ଆମ ଚାରିପାଖରେ ଥିବା ଆତଙ୍କବାଦୀ ଚାଲିଯିବା ପରେ, ଆମ ପରିବାର ସାତ ଫୁଟ ବାଡ଼ ଡେଇଁଥିଲା ଓ ଏହାପରେ ୨ ଘଣ୍ଟା ଚାଲିଲୁ, ତା’ପରେ ସେ ଜଣେ ସ୍ଥାନୀୟ ଲୋକଙ୍କୁ ଭେଟିଲେ, ସେ ପହଲଗାମକୁ ଫେରିବାର ରାସ୍ତା କହିଥିଲେ ।
“ଆମର ଗାଇଡ୍ ମଧ୍ୟ ଆମକୁ ଖୋଜିବାକୁ ଆସିଲା ଏବଂ ଆମକୁ ପାଇଲା। ଆମର ଡ୍ରାଇଭର ଆମକୁ ଶ୍ରୀନଗର ଫେରାଇ ଆଣିଲେ,” ପ୍ରଫେସର କହିଛନ୍ତି ।
ଏପଟେ ଆସାମ ସରକାର ଭଟ୍ଟାଚାର୍ଯ୍ୟଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରୁଛନ୍ତି। ଆସାମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ପୂର୍ବ ପୋଷ୍ଟରେ ଲେଖିଛନ୍ତି ଯେ, ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଯାଇଥିବା ବ୍ୟକ୍ତିଙ୍କ ସହ କଥା ହୋଇଛି ଏବଂ ସମ୍ପୂର୍ଣ୍ଣ ସୂଚନା ନିଆଯାଇଛି।ସରକାର ପ୍ରାଥମିକତା ଭିତ୍ତିରେ ସମ୍ପୂର୍ଣ୍ଣ ପରିବାରକୁ ଆସାମ ଫେରାଇ ଆଣିବାର ବ୍ୟବସ୍ଥା କରୁଛନ୍ତି। ଆସାମ ସରକାର ସେମାନଙ୍କୁ ଖୁବ୍ ଶୀଘ୍ର ଫେରାଇ ଆଣିବେ।
Comments are closed.