କୋରାପୁଟ: ବିଏସ୍ଏଫ୍ ଯବାନଙ୍କୁ ମିଳିଲା ବଡ ସଫଳତା । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ।
ସୂଚନାନୁସାରେ, ୧୮୦ ବିଏନ ବିଏସଏଫ ଅଧୀନରେ କମ୍ପାନୀ ଅପରେଟିଂ ବେସ୍ (ସିଓବି) ରାମଗିରିର ଯବାନମାନେ ୨୩ ଜୁଲାଇ ୨୦୨୫ରେ ଘୋଡାଘାଟ ଗ୍ରାମ ଏବଂ ଶାବରୀ ନଦୀ ସଂଲଗ୍ନ ଜଙ୍ଗଲ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଅପରେସନ୍ କରିଥିଲେ । ସନ୍ଧାନ ସମୟରେ, ଅପରେସନ୍ ଦଳ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାର ହଳଦିକୁଣ୍ଡ ଗ୍ରମପଞ୍ଚାୟତ ଅନ୍ତର୍ଗତ ଘନ ଜଙ୍ଗଲରେ ଶାବରୀ ନଦୀ କୂଳରେ ଏକ ପଥର ଗୁମ୍ଫାରେ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିଲେ । ଉଦ୍ଧାର କରାଯାଇଥିବା ଜିଲୋଟିନ ଷ୍ଟିକ୍ ୨୭ଟି ରହିଥିବା ଜଣାପଡିଛି। ଉଦ୍ଧାର ଜିଲୋଟିନ ଷ୍ଟିକ୍ ଗୁଡ଼ିକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ବୈପାରିଗୁଡା ଥାନାକୁ ହସ୍ତାନ୍ତର କରାଯାଇଛି ।

ବିଏସଏଫ ଓଡ଼ିଶାର ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନିରନ୍ତର ଅପରେସନ୍ ଚଳାଇ ଆସୁଛି। ଦିନଥିଲା ଏହି ଅଞ୍ଚଳଟି ମାଓବାଦୀ ଏବଂ ସେମାନଙ୍କ ସହାନୁଭୂତିଶୀଳଙ୍କ ଦ୍ୱାରା ବହୁଳ ଭାବରେ ପ୍ରଭାବିତ ଥିଲା। ସୁରକ୍ଷା ବାହିନୀ ଏବଂ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ବ୍ୟବହାର ପାଇଁ ମାଓବାଦୀ ସଂଗଠନଗୁଡ଼ିକ ଦୁର୍ଗମ ଏବଂ ନିର୍ଜନ ସ୍ଥାନରେ IED ତିଆରି ସାମଗ୍ରୀ ଖଞ୍ଜୁ ଥିଲେ।
ବିଏସଏଫ କୋରାପୁଟ ଜିଲ୍ଲାରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ଏବଂ ବ୍ୟାପକ ଅଞ୍ଚଳ ପ୍ରାଧାନ୍ୟ ବଜାୟ ରଖିଛି। ଏହି ଜିଲୋଟିନ ଉଦ୍ଧାର ପରେ, ସୁରକ୍ଷାବାହିନୀ ଏବଂ ସ୍ଥାନୀୟ ବାସିନ୍ଦା ଉଭୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କମ୍ବିଂ ଏବଂ ସନ୍ଧାନ ଅଭିଯାନ ଜାରି ରହିଛି ।
Comments are closed.