Latest Odisha News

ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳର ଗୁରୁବାର ଦିନ ଜଣେ ଦଶ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆ ନିନ୍ଦା କରିଛନ୍ତି।

ଏହି ମାମଲାର ଖୁବଶୀଘ୍ର ତଦନ୍ତ କରାଯିବ। ଏଥିସହିତ ଏହି ଘଟଣାକୁ ‘ରେଡ୍ ଫ୍ଲାଗ୍’ ବର୍ଗରେ ରଖାଯାଇଛି। ତେବେ ବର୍ତ୍ତମାନ ତଦନ୍ତକୁ ତ୍ୱରାନ୍ୱିତ କରି ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବା ପୋଲିସର ଲକ୍ଷ୍ୟ ବୋଲି ଡିଜିପି କହିଛନ୍ତି।

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅଧୀନସ୍ଥ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ସନ୍ଧ୍ୟାରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ଯାହାପରେ ସ୍ଥାନୀୟ ଲୋକମାନେ କ୍ରୋଧିତ ହୋଇ ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତଙ୍କ ଘର ମଧ୍ୟ ଭାଙ୍ଗି ଦେଇଥିଲେ।

ତେବେ ପ୍ରାଥମିକ ତଥ୍ୟକୁ କେନ୍ଦ୍ର କରି ପୋଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ଓ ୧୨ ଘଣ୍ଟା ମଧ୍ୟରେ ହିଁ ଜଗତସିଂହପୁର ଜିଲ୍ଲାରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା। ଅପରାଧ ଘଟିଥିବା ସ୍ଥାନରେ ଜିଲ୍ଲା ପ୍ରଶାସନ ବେଆଇନ ଭାବରେ ଜବରଦଖଲ ଉଚ୍ଛେଦ କରିଥିବା ଜଣାପଡ଼ିଛି।

ଏପରି ଜଘନ୍ୟ ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୀଡିତାଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏପରିକି ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ତେବେ ଏହି ନୃଶଂସ ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ଦ୍ୱାରା ଗୁରୁବାର ଦିନ ୬ ଘଣ୍ଟିଆ ବନ୍ଦ ଡାକରା କରାଯାଇଥିଲା। ଯାହାଫଳରେ ଚାନ୍ଦବାଲିରେ ସାଧାରଣ ଜୀବନଯାପନ ଏକପ୍ରକାର ପ୍ରଭାବିତ ହୋଇଥିଲା।

 

Comments are closed.