ନୂଆଦିଲ୍ଲୀ: ଲାଲକିଲ୍ଲା ଆକ୍ରମଣକୁ ନେଇ ବଡ଼ ଖୁଲାସା
ଜାତିସଂଘ ରିପୋର୍ଟରେ ଜୈଶ-ଏ-ମହମ୍ମଦ ହାତ
ଦିଲ୍ଲୀ ଆକ୍ରମଣରେ ସୀମାପାର ଆତଙ୍କବାଦ ଲିଙ୍କ
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବଡ଼ ବିସ୍ଫୋରଣର ତଦନ୍ତରେ ଏକ ବଡ଼ ଖୁଲାସା ହୋଇଛି। ୩୭ ତମ ଜାତିସଂଘ ରିପୋର୍ଟରେ ଦିଲ୍ଲୀ ଲାଲକିଲ୍ଲା ଆକ୍ରମଣରେ ଜୈଶ-ଏ-ମହମ୍ମଦକୁ ସାମିଲ କରାଯାଇଛି। ଗତବର୍ଷ ନଭେମ୍ବର ୧୦ ତାରିଖରେ ହୋଇଥିବା ଏହି ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଜୈଶ ସେତେବେଳେ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଥିଲା। ୩୭ ତମ ଜାତିସଂଘ ରିପୋର୍ଟରେ ମସୁଦ ଆଝାରର ନୂତନ ଶାଖା ଜମାତ-ଉଲ-ମୁମିନାତ ବିଷୟରେ ମଧ୍ୟ ଉଲ୍ଲେଖ ଅଛି।
ଏହି ରିପୋର୍ଟ ସୀମାପାର ଆତଙ୍କବାଦ ବିଷୟରେ ପ୍ରଶ୍ନ ଉଠାଇଛି, ଯେତେବେଳେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଜୈଶର କାର୍ଯ୍ୟକଳାପ ଉପରେ ମତଭେଦ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ପ୍ରତିବନ୍ଧକ କମିଟି ପାଇଁ ପ୍ରସ୍ତୁତ କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୦ ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ ଗୋଟିଏ ସଦସ୍ୟ ଦେଶ ରିପୋର୍ଟ କରିଛି ଯେ ଜୈଶ-ଏ-ମହମ୍ମଦ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ତଥାପି, ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏହି ପ୍ରସଙ୍ଗରେ ସଦସ୍ୟ ଦେଶମାନଙ୍କ ମଧ୍ୟରେ ମତଭେଦ ରହିଛି।
ଭାରତ ଦାବି କରିଛି ଯେ ଜୈଶ ଏବେ ବି ସକ୍ରିୟ ଏବଂ ଏହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ, ଯେତେବେଳେ ପାକିସ୍ତାନ ସଂଗଠନକୁ ନିଷ୍କ୍ରିୟ ବୋଲି ବର୍ଣ୍ଣନା କରିଛି। ପାକିସ୍ତାନ ପୂର୍ବରୁ କହିଛି ଯେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବା ନିଷିଦ୍ଧ ହେବା ପରେ ଆଉ ସକ୍ରିୟ ନାହାନ୍ତି। କିନ୍ତୁ ଅପରେସନ ସିନ୍ଦୂର ବେଳେ ଏହାର ସଦସ୍ୟ ମାନଙ୍କ ସହ ପାକିସ୍ତାନ ସେନାଙ୍କ ଗତିବିଧି ସନ୍ଦେହ ସୃଷ୍ଟି କରିଥିଲା। ପରେ ଅନେକ ଆତଙ୍କବାଦୀ ଏହା ବି ସ୍ୱୀକାର କରିଥିଲେ ଯେ କିପରି ପାକିସ୍ତାନ ସେନା ସେମାନଙ୍କୁ ତାଙ୍କ କାର୍ଯ୍ୟସିଦ୍ଧି ପାଇଁ ବ୍ୟବହାର କରିଥିଲେ। ତଥାପି ପାକିସ୍ତାନ ଏହାକୁ ଆନ୍ତର୍ଜାତୀୟ ଫୋରମରେ ପ୍ରତ୍ୟାଖ୍ୟାନ କରି ଆସୁଛି।
ଅପରପକ୍ଷେ ଅପରେସନ ସିନ୍ଦୂରରେ ପାକିସ୍ତାନରେ ଥିବା ଜୈଶର ମୁଖ୍ୟାଳୟ ଛାରଖାର ହୋଇଥିବା ବେଳେ ଏବେ ଏହାକୁ ସେ ସଜାଡୁ ଥିବା ଅନେକ ରିପୋର୍ଟ ସାମ୍ନାକୁ ଆସିଛି। ଜୈଶ ମୁଖ୍ୟ ମାସୁଦ ଆଝାର ଗତ ବର୍ଷ ଅକ୍ଟୋବର ୮ ତାରିଖରେ ଏକ ପୃଥକ ମହିଳା ଶାଖା ଗଠନ ଘୋଷଣା କରିଥିଲା, ଏହାକୁ ଜମାତ-ଉଲ-ମୁମିନତ ନାମ ଦେଇଥିଲେ। ଯଦିଓ ଏହି ଶାଖା ବର୍ତ୍ତମାନ ଜାତିସଂଘର ନିଷିଦ୍ଧ ତାଲିକାରେ ନାହିଁ, ଏହା ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି।
ଜାତିସଂଘର ରିପୋର୍ଟରେ ଏପ୍ରିଲ ୨୦୨୫ ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ ଅଛି, ଯେଉଁଥିରେ ୨୬ ଜଣଙ୍କର ଜୀବନ ଯାଇଥିଲା। ସେହି ସମୟରେ ଆକ୍ରମଣ ପାଇଁ ପ୍ରତିରୋଧ ମୋର୍ଚ୍ଚା (TRF) ଦାୟୀତ୍ୱ ନେଇଥିଲା। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ୨୮ ଜୁଲାଇ, ୨୦୨୫ରେ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା।
ରିପୋର୍ଟରେ ମେ ୨୦୨୫ରେ ପାକିସ୍ତାନରେ ଆତଙ୍କବାଦୀ ଘାଟି ବିରୁଦ୍ଧରେ ଭାରତର କାର୍ଯ୍ୟାନୁଷ୍ଠାନ ଏବଂ ପରବର୍ତ୍ତୀ ଚାରି ଦିନିଆ ସାମରିକ ଗତିରୋଧ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ସାମଗ୍ରିକ ଭାବରେ, ଏହି ସଦ୍ୟତମ ଜାତିସଂଘ ରିପୋର୍ଟ ପୁଣି ଥରେ ସୀମାପାର ଆତଙ୍କବାଦ ଏବଂ ଆଞ୍ଚଳିକ ସୁରକ୍ଷା ବିଷୟରେ ଗମ୍ଭୀର ପ୍ରଶ୍ନ ଉଠାଇଛି।