ନୂଆଦିଲ୍ଲୀ: ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଛି ଇ-ଶ୍ରମ ପୋର୍ଟାଲ । ଏଥିରେ ପଞ୍ଜିକରଣ କରିବାରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଆଗରେ ରହିଛନ୍ତି । ସରକାରୀ ଯୋଜନା ଏବଂ ସାମାଜିକ ସୁରକ୍ଷା ସହ ଯୋଡ଼ି ହେବାକୁ ଦେଶର ଶ୍ରମିକମାନଙ୍କ ପାଇଁ ଇ-ଶ୍ରମ ପୋର୍ଟାଲ କରାଯାଇଛି ।
ପରିସଂଖ୍ୟାନ ଅନୁଯାୟୀ ଯୁବପିଢ଼ିଙ୍କ ମଧ୍ୟରେ ଏହି ପୋର୍ଟାଲକୁ ନେଇ ଅଧିକ ଉତ୍ସାହ ଦେଖିବାକୁ ମିଳିଛି । ଯଦି ବ୍ୟବସାୟ ଭିତ୍ତିରେ ଦେଖିବା, ତେବେ ସବୁଠାରୁ ଅଧିକ ୪୮ ପ୍ରତିଶତ କୃଷି କ୍ଷେତ୍ରର ଶ୍ରମିକ ଏଥିରେ ସାମିଲ ହୋଇଛନ୍ତି । ଏହା ପଛକୁ ଘରୋଇ କାମ କରୁଥିବା ଶ୍ରମିକ, ନିର୍ମାଣ ଶ୍ରମିକ ଏବଂ ବସ୍ତ୍ର ଶିଳ୍ପରେ କାର୍ଯ୍ୟରତ ବ୍ୟକ୍ତିମାନେ ରହିଛନ୍ତି ।
ଏହି ପୋର୍ଟାଲ ମାଧ୍ୟମରେ ଶ୍ରମିକମାନଙ୍କୁ ସରକାରୀ ଯୋଜନାର ସିଧାସଳଖ ଲାଭ, ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ଏବଂ ବିପତ୍ତି ସମୟରେ ଆର୍ଥିକ ସହାୟତା ଦିଆଯାଉଛି । ଏହି ପଞ୍ଜିକରଣ ଦର୍ଶାଉଛି ଯେ, ଲୋକେ ଏବେ ନିଜର ସୁରକ୍ଷା ଓ ଭବିଷ୍ୟତ ପାଇଁ କେତେ ଆଗଭର । ସରକାରୀ ଯୋଜନା ଏବଂ ସାମାଜିକ ସୁରକ୍ଷା ସହ ଯୋଡ଼ି ହେବାରେ ଉତ୍ତର ପ୍ରଦେଶର ଶ୍ରମିକମାନେ ଏବେ ସବୁଠୁ ଆଗରେ ଅଛନ୍ତି । ଗତ ବର୍ଷ ଡିସେମ୍ବର ସୁଦ୍ଧା ୟୁପିର ପ୍ରାୟ ୮ କୋଟି ୪୨ ଲକ୍ଷରୁ ଅଧିକ ଅସଂଗଠିତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ନିଜ ନାମ ପଞ୍ଜିକରଣ କରିଛନ୍ତି। ଯାହା ଏବେ ଦେଶରେ ସର୍ବାଧିକ ।
ଇ-ଶ୍ରମ ପୋର୍ଟାଲ କେବଳ ଏକ ଡାଟାବେସ୍ ନୁହେଁ, ବରଂ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏକ ସୁରକ୍ଷା କବଚ ।