Latest Odisha News

BREAKING NEWS

ଗାଁ’ରେ ଗଣେଶ ପୂଜା…

– ଓଦା ମାଟିରେ ପାଦଚିହ୍ନ – ( ନିୟମିତ ସ୍ତମ୍ଭ )

ଲେଖକ – ଜ୍ୟୋତି ପ୍ରକାଶ ମହାପାତ୍ର

ଗାଁ ସେତେବେଳକୁ ନିହାତି ମଫସଲ । ନା ଗାଡ଼ି । ନା ରାସ୍ତା । ନା ଭଲ ରକମ କିଛି ବି ଦୋକାନ । ଗାଁ ଶେଷକୁ ମହାଦେବ ମୁଣ୍ଡ ଆଗକୁ ଗାଁ ସ୍କୁଲ । ପ୍ରଥମରୁ ଦଶମ । ଚତୁର୍ଥ, ପଞ୍ଚମ ଶ୍ରେଣୀ ଚାଲୁଥିଲା ଗୋଟେ ଲମ୍ବା ହଲରେ । ଚାଳ ଛପର ହଲ । ମଝିରେ ଲମ୍ବା ବରଡ଼ା ତାଟିର ପାଚେରୀ । ପୂଜା ବେଳକୁ ତାଟି ହଟିଯାଏ ।

 

ପୂଜା ବେଳକୁ ତାଟି ହଟିଯାଏ । ଲମ୍ବା ହଲରେ ନାଲିଆ, ହଳଦିଆ, ଈଷତ ବାଇଗଣି କାଗଜରେ ଝାଲିରି କାଟି ଅଟାରେ ତିଆରି ଅଠାରେ ସ୍କୁଲରେ ଲାଗେ ।

ଗଣେଶ, ବିଘ୍ନନାଶଙ୍କୁ ଆଣିବା କାମ ସିନିଅର ପିଲାଙ୍କର । ଯିଏ ଦଶମରେ ପଢୁଥିବେ ସେମାନେ କୁମ୍ଭାର ଘରକୁ ଯାଇ ଆଣନ୍ତି ଗଣେଶଙ୍କୁ । ପଛରେ ଲାଇନ ଲାଗିଥାଏ ପିଲାଙ୍କର । ଆସ୍ଥାନ ଉପରେ ଠାକୁର ରହିଲା ପରେ ଭୋଗ କହିଲେ- ଗାଁ ନଡ଼ିଆ, କଦଳି, ଛେନା ।

 

ମୁଁ ପଞ୍ଚମ ଶ୍ରେଣୀରେ ପଢୁଥାଏ । ଯିଏ ପାରିଲା ଗୋଟିଏ ନଡ଼ିଆ ନେଇକି ଯାଏ, ଉପର କାଗଜରେ ତା ନାଁ ଲେଖି । ସିରିଏଲ୍ ଅନୁସାରେ ନାଁ ଡାକନ୍ତି ରମେଶ୍ୱର ସାର୍ । ପିଲାଟି ସେଇ ଅନୁସାରେ ଯାଇ ଦିଅଁଙ୍କ ସାମ୍ନାରେ ନଡ଼ିଆ ଫଟେଇ ଆସିବ ।

ମତେ ସାର୍ କହିଲେ- ଯଦି ଏକାଥରେ ତୋ ନଡ଼ିଆ ଫାଟିବ, ନବୋଦୟ ସ୍କୁଲ ଟେଷ୍ଟରେ ତୁ ପାଇଯିବୁ । ଥରେ ବାଡ଼େଇଲି । ନଡ଼ିଆ ଯୋଉ ଗୋଟାକୁ ସେଇ ଗୋଟା । ଦ୍ୱିତୀୟ ଥର ବି ସେଇଆ । କାନ୍ଦ କାନ୍ଦ ଆଖିରେ ସାରଙ୍କ ମୁହଁକୁ ଚାହିଁଲି । ସାର କହିଲେ- ଦେ ମତେ । ଆଖି ଖୋଲିଲା ବେଳକୁ ନଡ଼ିଆ ଦି ଫାଳ ହୋଇ ସାରିଥାଏ । ସେପଟେ କେଇ ମାସ ପରେ ବାହାରିଲା ନବୋଦୟ ରେଜଲ୍ଟ । ଅବଶ୍ୟ ସେ ପ୍ରସଙ୍ଗ ଅଲଗା ।

କଲେଜରେ ଗଣେଷ ପୂଜା 
କଲେଜରେ ଆମ ବଟାନି ଡିପାର୍ଟମେଣ୍ଟ୍ ଟା ଥିଲା ଏକପାଖିଆ । ତଳ ମହଲାରେ ବଟାନି । ଉପରେ ଜୁଲୋଜି । ଏମିତି ଯେତେ ବିଭାଗ ଥାଏ, ସବୁ ବିଭାଗ ମଧ୍ୟରେ ଲାଗେ ପ୍ରତିଦ୍ୱନ୍ଦିତା । ପୂଜା କରିବା ପାଇଁ । ଅଳ୍ପ ପଇସାରେ କିଏ କେତେ ସୁନ୍ଦର ପୂଜା କରିବ, ଭୋଗରେ କଣ ରହିବ, କେତେ ଜଣ ଅଧ୍ୟାପକ ବୁଲିବାକୁ ଆସିବେ-ସେଇଥିରୁ ହିଁ ଜଣାପଡ଼େ ପୂଜାର ସଫଳତା । ପୁଣି ପୁରୁଣା କାଳିଆ ମେସିନରେ କାର୍ଡ଼ ଛପା ।


ସୁଧୀର ସାର ଥାଆନ୍ତି ଆମ ବଟାନି ବିଭାଗର ମୁଖ୍ୟ । ଅନର୍ସ ଦ୍ୱିତୀୟ ବର୍ଷକୁ ସେ ହିଁ ପ୍ରସ୍ତାବ ଦେଲେ- ବଟାନି ପିଲା ପରା । ଯୁଆଡ଼େ ଚାହିଁବ ଗଛଲତା । ପ୍ରକୃତି । ତାକୁ ନେଇ ପୂଜା କର । ସେଇ ଅନୁସାରେ ଡିପାର୍ଟମେଣ୍ଟ ପୂଜାରେ ଦେଖାଗଲା ସାଜସଜ୍ଜା । ଗଛପତ୍ର, ଫୁଲରେ ଲଦି ହୋଇ ଭାରି ସୁନ୍ଦର ଦିଶିଲେ ।

ଯାଜପୁରରେ କଲେଜ ଯେମିତି ଏକେଲା, ଭାରି ସୁନ୍ଦର-ବଟାନି ବିଭାଗଟା ସେମିତି ଅନ୍ତରଂଗ । ୧୬ଟି ପିଲା ପ୍ରତି ବର୍ଷ ସେଇଠି ଅନର୍ସ ପଢୁଥିଲେ । ଏବେ ସିଟ କେତେ ହୋଇଥିବ ଜଣାନାହିଁ । କିନ୍ତୁ ୫ ଜଣ ଅଧ୍ୟାପକ, ଅଧ୍ୟାପିକା, ତିନୋଟି ଅନର୍ସ ବର୍ଷର ପିଲାଙ୍କୁ ମିଶାଇ ୫୦ ପାଖାପାଖି ପିଲା, ସାଙ୍ଗସାଥି-ସେସବୁ ଜୀବନର ତୀବ୍ର ଅଭୁଲା ମୁହୂର୍ତ୍ତ ।

ତା’ପରେ ଗଣେଶ ପୂଜା ପୁଣି ଚାଲେ ମେସରେ । ଯାଜପୁର କଲେଜରେ ଥିଲା ଗୋଟିଏ ଛୋଟିଆ ହଷ୍ଟେଲ । ତେଣୁ ଆଖପାଖରେ ଶହେ ସରିକି ମେସ । ପ୍ରତି ମେସରୁ ଆସେ ସ୍ୱତନ୍ତ୍ର ନିମନ୍ତ୍ରଣ । ଆମ ଘରେ ଥିଲା ଗୋଟେ ଭଙ୍ଗା ସ୍କୁଟର । ସେଇ ସ୍କୁଟର ଚଢି ଏକାଥରେ ଚାରି ଜଣ ଅତିଥି ଭାବେ ହାଜର ହୋଇଯାଉ ମେସରେ ।

ଆଚାର୍ଯ୍ୟ ବିହାରରେ ଗଣେଶ ପୂଜା
ମାନେ ଭୁବନେଶ୍ୱରରେ ଗଣେଶ ପୂଜା । ଆଚାର୍ଯ୍ୟ ବିହାର କଥା ଏଇଥି ପାଇଁ ଲେଖୁଛି ଯେ ଭୁବନେଶ୍ୱର ରହଣିର ମୋର ସର୍ବାଧିକ ସମୟ ଏଇଠି ମୁଁ କାଟିଛି । ଏଠି ନା ଗଣେଶ ପୂଜା ମୁଁ କେବେ କରିଛି । ନା ସେ ପବିତ୍ରତା କେବେ ଅନୁଭବ କରିଛି । ଖାଲି ମାଇକ, ସଂଜକୁ ନାଚାଗାନା । ପ୍ରସେସନରେ ଭସାଣୀ ।

ଚାରି ଛଅ ଦିନ ବିଚରା ଗଣେଶ ଗୋଟେ ଜାଗାରେ ପଡ଼ିଥିବେ । ଆୟୋଜକ ପରଦିନଠାରୁ ଗାଏବ ହୋଇ ଯାଇଥିବେ । ବେଳେବେଳେ ବିଘ୍ନନାଶଙ୍କ ଅବସ୍ଥା ଦେଖି ମୁଁ ଭାବିଛି- ପ୍ରଭୁ ! ଏଇ ମୂଢମାନଙ୍କ ପ୍ରତି ଯଦି ଦୟା ଅଛି, ଏମାନଙ୍କ ବ୍ୟାଙ୍କିଂ କି କ୍ଲରିକାଲ କରିଦିଅ । ଏମାନେ କେବେଠାରୁ ପ୍ରସ୍ତୁତି କରୁଛନ୍ତି । ପାସ୍ କରି ଏମାନେ ଯାଆନ୍ତୁ । ନୂଆ ମଣିଷ ଆସିଲେ ନୂଆ ଭାବନା ନେଇ ଆସିଥିବେ ।

ହେଲେ ସେ କଥା ଘଟିନାହିଁ । ଦଶ ବର୍ଷ ହେଲା ମୁଁ ଦେଖୁଛି ସେଇ ଏକା ପୂଜା । ଏକାରକମ ଭାବ, ଆତ୍ମୀୟତା ନଥିବା ପୂଜା । ବରଂ ନୂଆ ଡିଜେ ସାଙ୍ଗରେ ସାଉଣ୍ଡ ଆହୁରି ବଢି ଯାଇଛି ।

ଗୀତ ବାଜୁଛି- ଦିଲ ମେଁ ଦର୍ଦ୍ ସା ଜଗା ହୈ…କାଣ୍ଟା ସା କହିଁ ଚୁଭା ହୈ…ୟେହ ମୋହବତ ନହିଁ ତୋ କ୍ୟା ହୈ…
କିମ୍ବା ବିଡ଼ି ଜଲାଇଲେ ।

ଶେଷ ସ୍ତମ୍ଭ
ସ୍ୱାଧୀନତା ଲଢେଇସହ ଗଣେଷ ପୂଜାର ରହିଛି ଗଭୀର ସଂପର୍କ । ଲୋକମାନ୍ୟ ବାଳ ଗଙ୍ଗାଧର ତିଳକ ୧୮୯୩ରେ ନିଜ ଖବରକାଗଜ ‘କେଶରୀ’ରେ ସାର୍ବଜନୀନ ଗଣେଶ ପୂଜା କଥା କହିଥିଲେ । ଲୋକଙ୍କୁ ଏକାଠି କରି ଜାତୀୟତା ମନ୍ତ୍ର ବୁଣିବାରେ ସାର୍ବଜନୀନ ଗଣେଶ ପୂଜା ପ୍ରସଙ୍ଗ ସର୍ବାଧିକ ସହାୟକ ହୋଇଥିଲା ।

୧୮୯୪ରେ ତିଲକ ପୁନେର କେଶରୀୱାଡ଼ାରେ ସେ ଏହି ପୂଜା ଆରମ୍ଭ କରିଥିଲେ । ଫଳରେ ଏକାଠି ହୋଇଥିଲେ ଲୋକେ । ପରାଧୀନତାର ଯନ୍ତ୍ରଣା ବୁଝିଥିଲେ । ସ୍ୱାଧୀନତା ମୁହାଁ ହୋଇ ଆଗେଇ ଥିଲେ ଲଢେଇରେ ।

(ଲେଖକ ବୃତ୍ତିରେ ସାମ୍ବାଦିକତା ବିଭାଗର ଅଧ୍ୟାପକ । ସେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି । ତା’ପୂର୍ବରୁ ସେ ଦୀର୍ଘ ଦିନ ଧରି ସାମ୍ବାଦିକ ଭାବେ କାମ କରିଥିଲେ ।)

Comments are closed.