Latest Odisha News

BREAKING NEWS

ପରିବେଶର ଯତ୍ନ ଓ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କ ଶପଥ

ଭୁବନେଶ୍ୱର: ଏକ ସୁସ୍ଥ ମନୁଷ୍ୟ ସମାଜ ଗଠନରେ ଏକ ସନ୍ତୁଳିତ ପରିବେଶର ଏକାନ୍ତ ଆବଶ୍ୟକତା ରହିଛି । ନିଜ ପରିବେଶକୁ ସୁରକ୍ଷିତ ରଖିପାରିଲେ ସୁସ୍ଥ ଜୀବନ ଓ ସବୁଜମୟ ପରିବେଶ ସୃଷ୍ଟି ହୋଇପାରିବ । ଏଥିପ୍ରତି ପ୍ରତ୍ୟେକ ଯତ୍ନବାନ ହେବା ଉଚିତ୍ ବୋଲି ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ସ୍ଥାନୀୟ ଡି.ଏ.ଭି ସ୍କୁଲ କଳିଙ୍ଗନଗରଠାରେ ପରିବେଶ ସୁରକ୍ଷା ଉପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଯୋଗ ଦେଇ ଓଡିଶା ଏନଭାଇରୋମେଣ୍ଟ ସୋସାଇଟିର ବରିଷ୍ଠ ସଦସ୍ୟ ଡଃ ସୁନ୍ଦର ନାରାୟଣ ପାତ୍ର, ଡଃ ପ୍ରଦୀପ କୁମାର ରଥ, ରଘୁନାଥ ପୃଷ୍ଟି ପ୍ରମୁଖ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।

ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିପିନ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ଅତିଥିବୃନ୍ଦ ଏକ ସୁସ୍ଥ ତଥା ସନ୍ତୁଳିତ ପରିବେଶ ପାଇଁ ପାଣି ସୁରକ୍ଷା ଓ ସଂଚୟ, ପ୍ଲାଷ୍ଟିକ ବ୍ୟବହାରର କୁପରିଣତି, ବୃକ୍ଷ ସୁରକ୍ଷା ଜୀବନ ରକ୍ଷା, ଜଳ ହିଁ ଜୀବନ, ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଇବା ସହ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଏକ ଶପଥ ପାଠ କରାଇଥିଲେ ।

ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସ୍ଲୋଗାନ ତଥା ପ୍ଲାକାର୍ଡ ମାଧ୍ୟମରେ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା । ଶେଷରେ ଅତିଥିବୃନ୍ଦଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହ ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ କରିବା ପାଇଁ ଅନୁରୋଧ କରାଯାଇଥିଲା ।

ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତି ମିନତୀ ତ୍ରିପାଠୀ ଉପସ୍ଥାପନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସଂଯୋଜନା କରିଥିଲେ ।

Leave A Reply

Your email address will not be published.