Latest Odisha News

BREAKING NEWS

ରାଜ୍ୟରେ ଘରୋଇ ବିଦ୍ୟାଳୟ ପରିଚାଳନା ଆଇନ କରିବାକୁ ଦାବି

ଭୁବନେଶ୍ବର : ରାଜ୍ୟରେ ଛତୁ ପରି ଫୁଟିଲାଣି ସ୍କୁଲ । ବିନା ସରକାରୀ ଲାଇସେନ୍ସ ଓ ଅନୁଦାନରେ ଖୋଲିଛି ୭ ହଜାରରୁ ଅଧିକ ଇଂରାଜୀ ମିଡିୟମ ସ୍କୁଲ, ବିଭିନ୍ନ ଧାର୍ମିକ ସଂଗଠନ ପକ୍ଷରୁ ସ୍ଥାପିତ ବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିର, କନଭେଣ୍ଟ ସ୍କୁଲ । ଯାହାର ହିସାବ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ନାହିଁ । ଏପରିକି ଏନେଇ କୌଣସି ଆଇନ ମଧ୍ୟ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ଶିକ୍ଷାବିତ, ବୁଦ୍ଧଜୀବୀ ଓ ଅଭିଭାବକ । ଏନେଇ ଉତ୍କଳମଣି ସଭାକକ୍ଷ ଠାରେ ଅନୁଷ୍ଠିତ କର୍ମଶାଳାରେ ସର୍ବଭାରତୀୟ ଅଭିଭାବକ ସଙ୍ଘ, ଓଡ଼ିଶା ଅଭିଭାବକ ସଙ୍ଘ ଫେଡେରେସନ ତରଫରୁ ଉଦବେଗ ପ୍ରକାଶ ପାଇଛି ।

ସର୍ବଭାରତୀୟ ଅଭିଭାବକ ସଙ୍ଘ ରାଜ୍ୟ ସଭାପତି ପ୍ରଦୀପ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ ରାଜ୍ୟସ୍ତରୀୟ ଅଭିଭାବକ କର୍ମଶାଳାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନାମରେ ନିରୀହ ମଧ୍ୟମିତ ଅଭିଭାବକଙ୍କୁ ଏହି ସ୍କୁଲ ଲୁଟ୍ କରୁଥିବା ଅଭିଯୋଗ ହୋଇଛି । ଦେଶବାସୀ ମାରାତ୍ମକ କୋଭିଡ ମହାମାରିରେ ସନ୍ତୁଳିତ ହେଉଥିବା ବେଳେ ଅନଲାଇନ ଶିକ୍ଷା ନାଁରେ ଜୋର ଜବରଦସ୍ତ ଫି ଆଦାୟ କରୁଛନ୍ତି ଏହି ସ୍କୁଲ । ହଜାର ହଜାର ଅଭିଭାବକଙ୍କ ରୋଜଗାର ପନ୍ତା ଭାଙ୍ଗି ପଡିଥିବା ବେଳେ, ଏସବୁ ଶିକ୍ଷାନୁଷ୍ଠାନ ପିଲାମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦେଉନାହାନ୍ତି । ପାଠପଢା ଲିଙ୍କ କାଟି ଦେଉଛନ୍ତି । ଏପରିକି ସରକାରୀ ସ୍କୁଲରେ ନାମ ଲେଖାଇବା ପାଇଁ ଟ୍ରାନ୍ସଫର ସାର୍ଟିଫିକେଟ ମଧ୍ୟ ଦେଉନଥିବା ଅଭିଯୋଗ ହୋଇଛି ।

ସ୍କୁଲରେ ବହି, ଖାତା, ଡ୍ରେସ, ଜୋତା ଇତ୍ୟାଦି ବିକ୍ରି ପାଇଁ ଦୋକାନ ଖୋଲି ଦୁଇଗୁଣା ଚଢା ଦରରେ ଖୋଲି ଅଭିଭାବକଙ୍କୁ ଲୁଟୁଛନ୍ତି । ଶିକ୍ଷା ଅଧିକାର ଆଇନ ୨୦୦୯କୁ ଖୁଲମ୍ ଖୁଲ୍ଲା ଉଲ୍ଲଂଘନ କରାଯାଉଛି । ତେଣୁ ସରକାର ରାଜ୍ୟରେ ଏକ ସଶକ୍ତ ଘରୋଇ ବିଦ୍ୟାଳୟ ରେଗୁଲେସନ ଆଇନ ଆଣିବାକୁ ସଂଘ ଦାବି କରିଛି । ସର୍ବଭାରତୀୟ ଅଭିଭାବକ ସଙ୍ଘ ତରଫରୁ ପ୍ରସ୍ତୁତ ଏକ ଡ୍ରାଫ୍ଟ ରେଗୁଲେସନ ଆଇନ ଖସଡ଼ା ଉପସ୍ଥାପିତ କରାଯିବା ପରେ ଉପସ୍ଥିତ ବହୁ ଅଭିଭାବକ ନେତା ଓ ବୁଦ୍ଧିଜୀବୀ ଏହି ଚିଠା ପ୍ରସ୍ତାବକୁ ଆହୁରି ସମୃଦ୍ଧ କରିଥିଲେ । ଆଗାମୀ ଦିନରେ ଏହା ଉପରେ ରାଉରକେଲା, ବଲାଙ୍ଗିର ଓ ବ୍ରହ୍ମପୁରରେ ଅଭିଭାବକ କର୍ମଶାଳା କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହାସହ ଆସନ୍ତା ଡିସେମ୍ବର ମାସରେ ହଜାର ହଜାର ଅଭିଭାବକଙ୍କୁ ନେଇ ଭୁବନେଶ୍ବରରେ ଏକ ବିରାଟ ରାଜ୍ୟସ୍ତରୀୟ ବିକ୍ଷୋଭ କରାଯାଇ ସରକାରଙ୍କୁ ଏହି ଚିଠା ପ୍ରସ୍ତାବ ପ୍ରଦାନ କରାଯିବ । ଏହାସହ ବିଧାନସଭା ଶୀତ ଅଧିବେଶନରେ ଶିକ୍ଷା ଆଇନକୁ ପାସ କରିବାକୁ ରାଜ୍ୟ ସରକାରଙ୍କୁ ଦାବି କରାଯିବ ବୋଲି ସର୍ବଭାରତୀୟ ଅଭିଭାବକ ସଙ୍ଘ ଏବଂ ଓଡ଼ିଶା ଅଭିଭାବକ ସଙ୍ଘ ଫେଡେରେସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.