Latest Odisha News

ଜିଓ ପ୍ଲାଟଫର୍ମସ୍ ଲିମିଟେଡର ତୃତୀୟ ତ୍ରୟମାସିକ ନିଟ୍ ଲାଭ ୧୫.୫%କୁ ବୃଦ୍ଧି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର)ରେ ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ତାହାର ପୂର୍ବ ତିନିମାସ ତୁଳନାରେ ୧୫.୫%କୁ ବୃଦ୍ଧି ପାଇଛି।

ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ତୃତୀୟ ତ୍ରୟମାସିକ ଆର୍ଥିକ ଫଳାଫଳ ଘୋଷଣାରେ ଏହି ସୂଚନା ଦିଆଯାଇଛି ।

ଡିଜିଟାଲ ଓ ଟେଲିକମ୍ ସେବା ଯୋଗାଇ ଦେଉଥିବା ଜିଓ ପ୍ଲାଟଫର୍ମସ୍ ତାହାର ପୂର୍ବ ତିନିମାସ (ଜୁଲାଇ-ସେପ୍ଟେମ୍ବର)ରେ ୩୦୨୦ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଥିଲା । ୨୦୨୦ ଅକ୍ଟୋବର-ଡିସେମ୍ବର ତିନି ମାସରେ କମ୍ପାନୀର ମୋଟ ରାଜସ୍ୱ ଆୟ ୨୨୮୫୮ କୋଟି ଟଙ୍କା ହୋଇଥିବା ଜଣାପଡିଛି ।

୨୦୨୦ ଡିସେମ୍ବର ୩୧ ସୁଦ୍ଧା ଜିଓ ପ୍ଲାଟଫର୍ମସ୍‌ର ମୋଟ ଗ୍ରାହକ ସଂଖ୍ୟା ୪୧ କୋଟି ହୋଇଥିବା ଜଣାଯାଇଛି । ଏହି ତ୍ରୟମାସ ଅବଧିରେ ରିଲାଏନ୍ସ ଜିଓର ଗ୍ରାହକ ପିଛା ଡାଟା ବ୍ୟବହାର ମାସିକ ହାରାହାରି ୧୨.୯ ଗିଗାବାଇଟ (ଜିବି) ହୋଇଥିବା ବେଳେ ଭଏସ୍ କଲ୍ ଉପଯୋଗ ୭୯୫ ମିନିଟ୍ ହୋଇଥିବା କମ୍ପାନୀ ପ୍ରକାଶ କରିଛି ।

ଜିଓର ପ୍ରତି ବ୍ୟବହାରକାରୀ ପିଛା ରାଜସ୍ୱ (ଆର୍ପୁ) ୨୦୨୦ ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକର ମାସିକ ହାରାହାରି ୧୪୫ ଟଙ୍କାରୁ ବୃଦ୍ଧିପାଇ ଅକ୍ଟୋବର-ଡିସେମ୍ବର ତିନିମାସରେ ୧୫୧ ଟଙ୍କାରେ ପହଁଚିଛି । ଏହି ତ୍ରୟମାସରେ ଜିଓ ନେଟଓ୍ୱର୍କରେ ମୋଟ ଡାଟା ବ୍ୟବହାର ବୃଦ୍ଧି ପାଇ ୧୫୮୬ କୋଟି ଜିବିରେ ପହଁଞ୍ଚିଥିବା ବେଳେ ମୋଟ ଭଏସ୍ ଟ୍ରାଫିକ୍ ବୃଦ୍ଧିପାଇ ୯୭୪୯୬ କୋଟି ମିନିଟ୍ ରହିଥବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ଏହି ତ୍ରୟମାସରେ ଜିଓଫାଇବର ଗ୍ରାହକ ସଂଖ୍ୟାରେ ଦ୍ରୁତ ବୃଦ୍ଧି ହେବା ସହିତ ନିୟୁତାଧିକ ଉପଭୋକ୍ତାଙ୍କ ପାଇଁ ଜିଓ ଫାଇବର ଜୀବନରେଖା ପାଲଟିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

କମ୍ପାନୀର ଆର୍ଥିକ ଫଳାଫଳ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଡି. ଅମ୍ବାନି କହିଛନ୍ତି, “ସଂପ୍ରତି ବିଶ୍ୱରେ ଡିଜିଟାଲ ବିପ୍ଳବକୁ ନେତୃତ୍ୱ ପ୍ରଦାନକାରୀ ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତ ଅନ୍ୟତମ ହୋଇଛି । ଏହି ନେତୃତ୍ୱ ସ୍ଥାନ ବଜାୟ ରଖିବା ପାଇଁ ଜିଓ ଏହାର ଡିଜିଟାଲ ପ୍ଲାଟଫର୍ମସମୂହ ଓ ସ୍ୱଦେଶୀ ସ୍ତରରେ ବିକଶିତ ପରବର୍ତ୍ତୀ ପିଢିର ୫ଜି ସେବା ପ୍ରଚଳନକୁ ତ୍ୱରାନ୍ୱିତ କରିବା ପ୍ରୟାସ ଜାରି ରଖିବ ତଥା ଏହାକୁ ସୁଲଭ ଏବଂ ପ୍ରତ୍ୟେକ ସ୍ଥାନରେ ଉପଲବ୍ଧ କରାଇବ । ଜିଓର ୫ଜି ସେବା ଆତ୍ମନିର୍ଭର ଭାରତର ଲକ୍ଷ୍ୟର ଏକ ଦୃଢ ପରିଚାୟକ ହେବ”।

“ଭାରତକୁ ୨ଜି-ମୁକ୍ତ କରିବାକୁ ଜିଓ ପ୍ରତିବଦ୍ଧ ଏବଂ ଏଥିସହିତ ପ୍ରତ୍ୟେକ ଭାରତୀୟଙ୍କୁ ନିଜ ପାଖରେ ସୁଲଭ ମୂଲ୍ୟର ସ୍ମାର୍ଟଫୋନ ସହିତ ଡିଜିଟାଲ ଓ ଡାଟା ବିପ୍ଳବରେ ସାମିଲ୍ କରାଇବାକୁୁ ସଶକ୍ତ କରୁଛି। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସବୁଠାରୁ ସୁଲଭ ମୂଲ୍ୟରେ ବିଶ୍ୱମାନର ଡିଜିଟାଲ ସେବା ଉପଲବ୍ଧ କରାଇବା ପାଇଁ ଆମେ ସମସ୍ତ ଅଂଶୀଦାରଙ୍କୁ ଆମନ୍ତ୍ରଣ ଓ ଉତ୍ସାହିତ କରୁଛୁ” ବୋଲି ଜିଓ ପକ୍ଷରୁ କୁହାଯାଇଛି।

ଶୁକ୍ରବାର ଘୋଷଣା କରାଯାଇଥିବା ୨୦୨୦ ଅକ୍ଟୋବର-ଡିସେମ୍ବର ତିନିମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମୋଟ ରାଜସ୍ୱ ପୂର୍ବ ତିନିମାସ ତୁଳନାରେ ୭.୪% ବୃଦ୍ଧିପାଇ ୧,୩୭,୮୨୯ କୋଟି ଟଙ୍କା ହୋଇଛି । ଏହି ଅବଧିରେ କମ୍ପାନୀର ନେଟ୍ ଲାଭ ପୂର୍ବ ତ୍ରୟମାସ ତୁଳନାରେ ୪୧.୬ ପ୍ରତିଶତ ବୃଦ୍ଧିପାଇ ୧୫,୦୧୫ କୋଟି ଟଙ୍କାରେ ପହଁଚିଥିବା ଆରଆଇଏଲ୍ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.