Latest Odisha News

BREAKING NEWS

ମଶାଣିରେ ପାଳିଲେ ଜନ୍ମଦିନ, କେକ କାଟିଲେ, ବିରିଆନୀ ଖାଇଲେ

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷ ପାଇଁ  ଜନ୍ମଦିନ ବିଶେଷ ମହତ୍ୱ ରଖେ । ଏହି ଦିନଟିକୁ ସ୍ୱତନ୍ତ୍ର କରିବାର ଇଚ୍ଛା ସମସ୍ତଙ୍କ ମନରେ ଥାଏ ।  ତେବେ କିଏ କେମିତି ଉପାୟରେ ଏହି ଦିନକୁ ସ୍ମରଣୀୟ, ମହନୀୟ କରିବାକୁ ଚାହେଁ ।  ହୋଟେଲ, ରେସ୍ତୋରାଁ, ସମୁଦ୍ର କୂଳ, ପାହାଡ ଉପରେ ଜନ୍ମଦିନ ପାଳିବା ଆମେ ଜାଣିଛେ । କିନ୍ତୁ କେବେ ମଶାଣିରେ ଜନ୍ମଦିନ ପାଳନ କଥା ଶୁଣିଛନ୍ତି ?  ଶୁଣି ନ ଥିବେ ।  କାରଣ ଶୁଭ ଜନ୍ମଦିନରେ  କିଏ କ’ଣ ଏହି ଅଶୁଭ ସ୍ଥାନକୁ ଯାଇଥାଏ ?

ହେଲେ ସ୍ୱତନ୍ତ୍ର ହେବା..ଜରା ହଟକେ ରହିବାର ନିଶା ଏମିତି କାମ କରିବାକୁ ବି ଅନୁମତି ଦେଇପାରେ  । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ମହାରାଷ୍ଟ୍ରର ଠାଣେ ଜିଲ୍ଲା  କଲ୍ୟାଣ ଟାଉନର ୫୪ ବର୍ଷୀୟ ଗୌତମ ରତ୍ନ ମୋରେ । ସେ ତାଙ୍କର ଜନ୍ମଦିନ ମଶାଣିରେ ପାଳନ କରିଛନ୍ତି ।

୧୯ ନଭେମ୍ୱର ଶନିବାର ଦିନ ସେ ତାଙ୍କ ଜନ୍ମଦିନର ପାର୍ଟି ଆୟୋଜନ କରିଥିଲେ ନିକଟସ୍ଥ ମଶାଣୀରେ । ସାଙ୍ଗମାନଙ୍କୁ ଆମନ୍ତ୍ରଣ କରିଥିଲେ । ବିରିୟାନି ଓ କେକ୍ ଖାଇବାକୁ ବି ଦେଇଥିଲେ । ତାଙ୍କର ଏହି ଜନ୍କଦିନ ପାର୍ଟିରେ  ୪୦ ମହିଳା ଓ ଶିଶୁ ସମେତ ୧୦୦ରୁ ଅଧିକ ଲୋକ   ସାମିଲ ହୋଇଥିଲେ ।ସୋସିଆଲ ମିଡିଆରେ ଏହି ଜନ୍ମଦିନ ପାର୍ଟିର ଭିଡିଓ ଭାଇରାଲ ହେଉଛି ।

ଅବଶ୍ୟ ଏହି ନିଆରା ହେବାର ନିଶା ପଛରେ ତାଙ୍କର ଆଉ ଏକ ମହତ ଉଦ୍ଦେଶ୍ୟ ବି ରହିଛି । ବାସ୍ତବରେ ମଶାଣିରେ ଜନ୍ମଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମନରୁ ଗୁଣି ଗାରେଣି ଓ ଅନ୍ଧବିଶ୍ୱାସ ଦୂର କରିବା । ମୋରେଙ୍କ କହିବାନୁସାରେ, ମଶାଣି କିମ୍ୱା ଅନ୍ୟ କୌଣସି ସ୍ଥାନରେ ଭୂତ ପ୍ରେତ ନାହିଁ ବୋଲି ଲୋକଙ୍କୁ ଜଣାଇବା ପାଇଁ ସେ ଏହି କାମ କରିଛନ୍ତି ।

Leave A Reply

Your email address will not be published.