ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ l ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ସିଂହ ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ପିତା ଗୁରମୁଖ ସିଂ ଓ ମାତା ଅମ୍ରିତ କୋରଙ୍କଠାରୁ ଗାହ, ପଞ୍ଜାବରେ ଏକ ସିଖ ପରିବାରରେ ଜନ୍ମ ହୋଇଥିଲେ। ଭାରତର ବିଭାଜନ ପରେ ସିଂ ତାଙ୍କ ପରିବାର ସହ ଅମ୍ରିତସର ପଳାଇଆସିଥିଲେ । ଭାରତୀୟ ରାଜନୀତି ଏବଂ ଅର୍ଥନୀତିର ଇତିହାସରେ ତାଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ ଲିଖିତ l ମନମୋହନ ସିଂ ଜଣେ ଭାରତୀୟ ଅର୍ଥଶାସ୍ତ୍ରୀ ଓ ୨୦୦୪-୨୦୧୪ ଯାଏଁ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଥିଲେ। ସିଂ ଭାରତରର ପ୍ରଥମ ସିଖ ପ୍ରଧାନମନ୍ତ୍ରୀ ଏବଂ ନେହେରୁଙ୍କ ପରେ ନିଜର ୫ବର୍ଷ କାର୍ଯକାଳ ଶେଷ କରି ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ଦେଶର ପ୍ରଧାନମନ୍ତ୍ରୀ ହେବ ପୂର୍ବରୁ ସେ ନରସିଂହ ରାଓ ସରକାରରେ ଅର୍ଥମନ୍ତ୍ରୀ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
୧୯୯୧ ରେ ଭାରତ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ଆମେରିକାର ଇରାକ ଉପରେ ହୋଇଥିବା ଆକ୍ରମଣ ଏବଂ ସୋଭିଏତ୍ ୟୁନିଅନର ପତନ ଦ୍ୱାରା ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିଲା। ତୈଳ ମୂଲ୍ୟରେ ବିପୁଳ ବୃଦ୍ଧି ଏବଂ ବୈଦେଶିକ ମୁଦ୍ରା ସଂରକ୍ଷଣର ଅଭାବ ଭାରତୀୟ ଅର୍ଥନୀତିକୁ ସଙ୍କଟରେ ପକାଇ ଦେଇଥିଲା l ପରିସ୍ଥିତି ଏତେ ଖରାପ ଥିଲା ଯେ ଭାରତକୁ ତାର ସୁନା ବନ୍ଧକ ରଖିବାକୁ ପଡିଥିଲା। ସୀତାପତିଙ୍କ ଦ୍ୱାରା ଲିଖିତ “ଦ ମ୍ୟାନ୍ ହୁ ରିମେଡ୍ ଇଣ୍ଡିଆ” ପୁସ୍ତକରେ କୁହାଯାଇଛି ଯେ ଯେତେବେଳେ ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଡକ୍ଟର ମନମୋହନ ସିଂ ସେତେବେଳେ ତାଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ l ଡକ୍ଟର ସିଂ ଜୁଲାଇ ୧୯୯୧ ରେ ଭାରତକୁ ଅର୍ଥନୈତିକ ଟ୍ରାକକୁ ଆଣିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ କରି ତାଙ୍କ ବଜେଟ୍ ଭାଷଣରେ କହିଥିଲେ ଯେ କୌଣସି ବିଚାର ପାଇଁ ଯଦି ଉପଯୁକ୍ତ ସମୟ ଆସେ, ତେବେ କୌଣସି ବି ଶକ୍ତି ଏହାକୁ ରୋକି ପାରିବେ ନାହିଁ। ସେତେବେଳେ ଆମଦାନୀ ଶୁଳ୍କ ଏବଂ ସୀମା ଶୁଳ୍କ ହ୍ରାସ କରାଯାଇଥିଲା ଏବଂ ଲାଇସେନ୍ସ ରାଜକୁ ରଦ୍ଦ କରିବାକୁ ପଦକ୍ଷେପ ନିଆଯାଇଥିଲା।
ସେପଟେ କିନ୍ତୁ ଡକ୍ଟର ସିଂଙ୍କ ଆର୍ଥିକ ସୁଧାରକୁ ନେଇ ତୀବ୍ର ସମାଲୋଚନା କରିଥିଲେ ବିରୋଧୀ । ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର କହିଥିଲେ ଯେ, ଯେଉଁ ଛୁରୀକୁ ପରିବା କାଟିବା ପାଇଁ ଅଣାଯାଇଥିଲା ସେଥିରେ ଆପଣ ହାର୍ଟ ସର୍ଜରୀ କରୁଛନ୍ତି। ଏହି ମନ୍ତବ୍ୟରେ ଏହା ସ୍ପଷ୍ଟ ହୁଏ ଯେ ଆର୍ଥକ ବ୍ୟବସ୍ଥାରେ ସୁଧାର ପାଇଁ କେଉଁ ସ୍ତରରେ ଥିଲା l କିନ୍ତୁ ପରବର୍ତୀ ମୁହୂର୍ତ୍ତରେ ଉଦାରୀକରଣର ଏହି ନୀତି ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏକ ଉତ୍ସାହ ବୋଲି ପ୍ରମାଣିତ ହୋଇଥିଲା l ତାଙ୍କର ଏହି ଆର୍ଥିକ ସୁଧାରର ପରିଣାମ ସ୍ୱରୂପ, ଭାରତ କେବଳ ବନ୍ଧକ ରଖିଥିବା ସୁନାକୁ ଫେରି ପାଇ ନଥିଲା ବରଂ ପରେ ଅଧିକ ସୁନା ମଧ୍ୟ କ୍ରୟ କରିଥିଲା l ଏହା ସହିତ ଦେଶରେ ବିଦେଶୀ ପୁଞ୍ଜି ବିନିଯୋଗ ଏବଂ ଆର୍ଥିକ କାର୍ଯ୍ୟକଳାପ ଗତିଶୀଳ ହେଲା l ୧୯୯୧ର ବଜେଟ୍ ଭାରତୀୟ ଅର୍ଥନୀତିର ଇତିହାସରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଥିଲା l ଏହି ସୁଧାର କେବଳ ଭାରତୀୟ ବଜାରକୁ ବିଶ୍ୱବ୍ୟାପୀ ପ୍ରତିଯୋଗିତାମୂଳକ କରିବା ପାଇଁ ସୀମିତ ନୁହେଁ ବରଂ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିଥିଲା l ତେବେ ଡକ୍ଟର ସିଂଙ୍କୁ ତାଙ୍କ ସମର୍ଥକଙ୍କ ସହ ବିରୋଧୀମାନେ ମଧ୍ୟ ହିରୋ ଭାବରେ ଦେଖନ୍ତି। ତାଙ୍କର ଶାନ୍ତ ଏବଂ ଚିନ୍ତାଧାରା ବ୍ୟକ୍ତିତ୍ୱ ଭାରତୀୟ ରାଜନୀତିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ l ତାଙ୍କ କାର୍ଯ୍ୟକାଳ ମଧ୍ୟରେ କେବଳ ଆର୍ଥିକ ନୁହେଁ ସାମାଜିକ ନୀତିରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିଥିଲା । ତାଙ୍କର ଅବଦାନ ଭାରତର ବିକାଶ ଏବଂ ପ୍ରଗତିରେ ସର୍ବଦା ସ୍ମରଣୀୟ ରହିବ l