Latest Odisha News

BREAKING NEWS

ନୀରବିଗଲେ ଆଙ୍କର ଓ ଆର୍‌ଜେ ସବନମ୍

ଭୁବନେଶ୍ୱର: ଆରପାରିରେ ସବନମ୍ ସିରିନ୍ । ଅନେକ ଲୋକ ଏହି ଖବରକୁ ବିଶ୍ୱାସ କରିପାରୁନାହାନ୍ତି । ଓଡିଶା ଗଣମାଧ୍ୟମରେ ସବନମ୍‌ଙ୍କ ନାଁ ବେଶ ଜଣାଶୁଣା । ହେଲେ ଆଜି ସେ ସମସ୍ତଙ୍କୁ ଟିକେ ଅଧିକ ମନେ ପଡିଛନ୍ତି । କାହିଁକି ନା କରୋନାରେ ସଂକ୍ରମିତ ହୋଇ ସବନମ୍ ଚାଲିଯାଇଛନ୍ତି ଆରପାରିକୁ ।

କନକ ଟିଭି (ବର୍ତ୍ତମାନର କନକ ନ୍ୟଜ୍‌)ରେ ଉପସ୍ଥାପିକା ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିବା ସବନମ୍ ପରବର୍ତ୍ତି ସମୟରେ ଏସ୍ ଟିଭି, ଦୁରଦର୍ଶନ, ଓଡିଆ ଦୈନିକ ପର୍ଯ୍ୟବେକ୍ଷକ ଓ ନ୍ୟୁଜ୍ ୭ରେ ମଧ୍ୟ କାମ କରିଥିଲେ । ସ୍ୱଭାବରେ ସେ ଥିଲେ ବେଶ ସରଳ ଓ ଅମାୟିକ । ଗଣମାଧ୍ୟମ ଜଗତରେ ସେ ଉପସ୍ଥାପିକା ଭାବେ ନିଜ ପରିଚୟ ସୃଷ୍ଟି କରିଥିଲେ ।

ବହୁବର୍ଷର ଅଭିଜ୍ଞତା ନେଇ ଶେଷ ସମୟ ବେଳକୁ ସେ ରେଡିଓ ଜକି ଭାବେ ସୋଆ ରେଡିଓରେ କାମ କରୁଥିଲେ । ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ହେବ ସେ କରୋନାରେ ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସକାଳୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭାଗ୍ୟର ବିଡମ୍ବନା । ଗୋଟିଏ ପଟେ ସବନମ ଆରପାରିରେ, ତ ଅନ୍ୟପଟେ ତାଙ୍କ ସ୍ୱାମୀ ମଧ୍ୟ କରୋନାରେ ସଂକମ୍ରିତ ହୋଇ ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସବନମ୍‌ଙ୍କ ବାପା ସେଖ ମହମ୍ମଦ ସୋଏବଙ୍କର ଓଡିଶା ଖଦି ଆନ୍ଦୋଳନରେ ପ୍ରମୁଖ ଭୂମିକା ରହିଥିଲା । ୧୯୮୩ ମସିହା ଜୁନ୍ ୧୨ ତାରିଖରେ ଜନ୍ମିତ ସବନମ୍ ମାତ୍ର ୩୮ ବର୍ଷ ବୟସରେ ଅନେକଙ୍କ ମନରେ ଦୁଃଖର ଏକ ଅଲିଭା ରେଖା ଟାଣିଦେଇ କେଉଁ ଏକ ଅଜଣା ରାଇଜକୁ ଚାଲିଯାଇଛନ୍ତି । ସେପଟେ ସବନମଙ୍କ ଝିଅ ନିଜ ମାଆକୁ ହରାଇ ବାପାର ଫେରିବା ବାଟକୁ ଚାହିଁ ବସିଛି ।

Leave A Reply

Your email address will not be published.