ନୂଆଦିଲ୍ଲୀ: ଜୀବନ ଯୁଦ୍ଧରେ ହାରିଗଲେ ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଶାରଦା । ଅଚାନକ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଭେଟରରେ ରଖାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଶାରଦାଙ୍କ ବିୟୋଗରେ ତାଙ୍କର ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଗଭୀର ନିରାଶା ଖେଳିଯାଇଛି ।
ସୂଚନାଯୋଗ୍ୟ, ଗତ ୪ ତାରିଖରେ ଗାୟିକାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ନେଇ ଖବର ଆସିଥିଲା । ଗତ କିଛିଦିନ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ସୋସିଆଲ ମିଡିଆରେ ଲାଇଭ୍ ଆସି ଗାୟିକାଙ୍କର ପୁଅ ଅଂଶୁମାନ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅପଡେଟ୍ ଦେଇଥିଲେ । ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାରଦା ସିହ୍ନାଙ୍କ ପୁଅ ଅଂଶୁମାନଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ନିକଟରେ ସ୍ଵାମୀ ବ୍ରଜକିଶୋର ସିହ୍ନାଙ୍କର ବ୍ରେନ ହାମରେଜରେ ପରଲୋକ ଘଟିବା ପରଠାରୁ ଶାରଦା ବହୁତ ଚିନ୍ତିତ ରହୁଥିଲେ ।
୧୯୫୨ ଅକ୍ଟୋବର ୧ ତାରିଖରେ ବିହାରର ସୁପୋଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଶାରଦା । ନିଜର ଚମତ୍କାର କଣ୍ଠ ପାଇଁ ଶାରଦାଙ୍କୁ ବିହାରର କୋକିଳ ବ୍ୟତୀତ ଭୋଜପୁରୀ କୋକିଲା, ଭିଖାରୀ ଠାକୁର ସମ୍ମାନ, ବିହାର ରତ୍ନ, ମିଥିଲି ବିଭୂତି ସହିତ ଅନେକ ସମ୍ମାନ ମିଳିଛି । ଶାରଦା ସିହ୍ନା ଭୋଜପୁରୀ, ମଗହୀ ଓ ମୈଥଲି ଭାଷାରେ ବିବାହ ଓ ଛଠର ଗୀତ ଗାଇଛନ୍ତି, ଯାହା ଲୋକଙ୍କ ମଧ୍ୟରେ ବହୁ ପ୍ରଚଳିତ । ୨୦୧୮ରେ ଗାୟିକା ଶାରଦା ସିହ୍ନାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶାରଦା ସିହ୍ନା ଛଠ୍ ପୂଜା ଉପରେ ଆଧାରିତ ‘ହୋ ଦୀନାନାଥ’ ଗୀତକୁ ଲୋକେ ବେଶ୍ ପ୍ରଶଂସା କରିଥିଲେ। ତେବେ ଛଠ ପୂଜାର ଗୀତ ଗାଇ ପ୍ରସିଦ୍ଧି ଲାଭ ଲରିଥିବା ଶାରଦା ସିହ୍ନାଙ୍କ ପରଲୋକ ଛଠ ପୂଜାର ପ୍ରଥମ ପର୍ବ ଅର୍ଥାତ୍ ନହାଏ-ଖାଏ ଦିନ ହୋଇଛି।
Comments are closed.