Latest Odisha News

BREAKING NEWS

ଜେନେରାଲ୍ ମୁନୀର ଇସ୍ତଫା ଦିଅ…

ନୂଆଦିଲ୍ଲୀ: ପାକିସ୍ତାନ ସେନାରେ ବିଦ୍ରୋହ ! ସେନା ମୁଖ୍ୟଙ୍କ ଇସ୍ତଫା ଦାବି । ସେନା ଅଧିକାରୀଙ୍କ ଦାବି, ପଦ ଛାଡ । ଫସିଯିବେ କି ଜେନେରାଲ ମୁନୀର? ସେନା ମୁଖ୍ୟ ଜେନେରାଲ ସୟଦ ଅସିମ ମୁନୀରଙ୍କୁ ନେଇ ସେନା ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି। ଜେନେରାଲ ମୁନୀରଙ୍କ ଇସ୍ତଫା ପତ୍ର ମାଗିବା ସହ ତାଙ୍କ କାର୍ଯ୍ୟକଳାପ ନେଇ ସେମାନେ କଡା ଭାଷାରେ ପତ୍ର ଲେଖିଛନ୍ତି। ସେନାକୁ ମୁନୀର ରାଜନୈତିକ ଉତ୍ପୀଡନ ତଥା ବ୍ୟକ୍ତିଗତ ପ୍ରତିଶୋଧ ପାଇଁ ବ୍ୟବହାର କରୁଥିବା ଅଭିଯୋଗ କରାଯାଇଛି । କର୍ଣ୍ଣେଲ, ମେଜର ତଥା କ୍ୟାପଟେନ୍ ରାଙ୍କର ଅଧିକାରୀ ଏହି ପତ୍ର ଲେଖିଛନ୍ତି ।

ଜେନେରାଲ ମୁନୀରଙ୍କୁ ଚେତାବନୀ

ସେନା ଅଧିକାରୀମାନେ ଚିଠିରେ ଜେନେରାଲ ମୁନୀରଙ୍କୁ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି । ଏଥିରେ ମୁନୀରଙ୍କ ନେତୃତ୍ବର ତୁଳନା ୧୯୭୧ ମସିହା ସହ କରାଯାଇଛି । ସେତେବେଳେ ପାକିସ୍ତାନକୁ ଭୟାବହ ପରାଜୟର ସାମନା କରିବାକୁ ପଡିଥିଲା । ଫଳରେ ବାଂଲାଦେଶ ଗଠନ ହୋଇଥିଲା । ମୁନୀରଙ୍କ ବିରୋଧରେ ରାଜନୈତିକ ଅସହମତିକୁ ଦବାଇବା, ସାମ୍ବାଦିକଙ୍କୁ ଚୁପ୍ କରାଇବା, ଲୋକତାନ୍ତ୍ରିକ ଶକ୍ତିକୁ ଦଳିଚକଟି ନଷ୍ଟ କରି ସେନାର ପ୍ରତିଷ୍ଠାକୁ ନଷ୍ଟ କରିବା ଅଭିଯୋଗ ଆସିଛି । ଏଥିରେ ୨୦୨୨ରେ ଇମ୍ରାନ ଖାନଙ୍କୁ ହଟାଇବା ପରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଓ ୨୦୨୪ ଫେବ୍ରୁଆରୀ ୮ତାରିଖରେ ନିର୍ବାଚନରେ ଅନିୟମିତତା ଭଳି ଘଟଣା ସେନାର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛି।

ଚିଠିରେ ଅସନ୍ତୋଷର ଚିତ୍ର

ଚିଠିରେ ମୁନୀରଙ୍କ ନେତୃତ୍ବରେ ଜନତାଙ୍କ ଜୀବନର ଭୟାବହ ଚିତ୍ରକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । ନିଜ ପଦ ବଞ୍ଚାଇବାକୁ ଯାଇ ମୁନୀର ଦେଶର ଆର୍ଥିକ ସ୍ଥିତିକୁ ବରବାଦ କରିଥିବା ଚିଠିରେ ଅଭିଯୋଗ କରାଯାଇଛି । ଦେଶର ଅର୍ଥବ୍ୟବସ୍ଥା ଶବ ପାଲଟିଥିବା ବେଳେ ଜେନେରାଲ ମୁନୀର ହେଡକ୍ବାର୍ଟରରେ ଏକଛତ୍ରବାଦର ପ୍ରତୀକ ସାଜିଛନ୍ତି । ଦେଶର ଲୋକ ଭୋକରେ ମରୁଥିବା ବେଳେ ନିଜ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ବଢାଉଛନ୍ତି ବୋଲି ଏଥିରେ ଲେଖାଯାଇଛି ।

ତେଜିଲାଣି ଜନତାଙ୍କ ଆକ୍ରୋଶ

ସେନା ବିରୋଧରେ ପାକିସ୍ତାନ ଜନତାଙ୍କ ମଧ୍ୟରେ ଆକ୍ରୋଶ ତେଜିବାରେ ଲାଗିଛି । ସେନାର ପୋଷ୍ଟ ଉପରକୁ ପିଲାମାନେ ପଥର ଫୋପାଡୁଛନ୍ତି। ଜେନେରାଲ ମୁନୀର ପାକିସ୍ତାନରେ ହିଁ ଦେଶର ସେନାକୁ ଅଜଣା କରି ଦେଇଛନ୍ତି । ସେନା ଅଧିକାରୀମାନେ ମୁନୀରଙ୍କୁ ଫାସୀବାଦୀ ପଶୁ ସହ ତୁଳନା କରିଛନ୍ତି । ଯିଏ ନିଜ ଆପଣାର ଲୋକଙ୍କ ବିନିମୟରେ ଭୋଜି ଉପଭୋଗ କରୁଛନ୍ତି । ଶୀର୍ଷ ଗୁଇନ୍ଦା ସଂସ୍ଥା ଏଭଳି ଚିଠି ଲେଖାଯାଇଥିବା ସ୍ପଷ୍ଟ କରିବା ସହ ଏହା ପାକିସ୍ତାନର ସବୁଠୁ ଶକ୍ତିଶାଳୀ ସଂସ୍ଥା ସେନାରେ ଅସ୍ତିତ୍ବ ସଂକଟକୁ ସୂଚାଉଥିବା କହିଛି । ଚିଠିରେ ମୁନୀର ନିଜେ ପଦ ନଛାଡିଲେ ସେନା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦିଆଯାଇଛି । ଏହାସହ ସେନାର ଦାୟିତ୍ବ ବରିଷ୍ଠ ଅଧିକାରୀଙ୍କ ପରିଷଦକୁ ଦେବାକୁ କୁହାଯାଇଛି । ପରିଷଦ ମୁନୀରଙ୍କୁ ତାଙ୍କ ଅପରାଧ ପାଇଁ ଉତ୍ତରଦାୟୀ କରିବ ।

ହଟିବେ କି ଜେନେରାଲ୍ ମୁନୀର ?

ସେନା ଅଧିକାରୀଙ୍କ ଚିଠିରେ ବଲୁଚିସ୍ତାନର ବିଚ୍ଛିନ୍ନତାବାଦୀ ସଂଗଠନ ବିଏଲଏ ଦ୍ବାରା ଜାଫର ଏକ୍ସପ୍ରେସକୁ ଅପହରଣ ଘଟଣାକୁ  ଅପମାନଜନକ କ୍ଷଣ ବୋଲି କୁହାଯାଇଛି । ସେହିଦିନ ହିଁ ପାକିସ୍ତାନ ବଲୁଚିସ୍ତାନ ସହ ନିଜ ଗରିମା ହରାଇଥିଲା । ସେନାର ପାରମ୍ପରିକ ସମ୍ମାନକୁ କାଏମ ରଖିବାରେ ମୁନୀର ବିଫଳ ହୋଇଛନ୍ତି । ଏହି ଚିଠି ପାକିସ୍ତାନୀ ସେନାରେ ଆଭ୍ୟନ୍ତରୀଣ ବିଦ୍ରୋହ ନେଇ ସଂକେତ ଦେଉଛି । ବଲୁଚିସ୍ତାନ ପାକିସ୍ତାନ ପାଇଁ ବଡ଼ ସଂକଟ ଭାବେ ମୁଣ୍ଡ ଟେକିଛି ।  ବିଏଲଏ ପାକିସ୍ତାନୀ ସେନାର ମନୋବଳ ଭାଙ୍ଗି ଦେଇଥିବା କୁହାଯାଉଛି । ଏପରିକି ସେନା ଏବଂ ସୁରକ୍ଷା ବାହିନୀ ଆକ୍ରମଣର ଟାର୍ଗେଟରେ ରହିଥିବାରୁ ପ୍ରାୟ ୨୫୦୦ ଯବାନ ସେନା ଛାଡି ପଳାୟନ କରିଥିବା ଚର୍ଚ୍ଚା ହୋଇଥିଲା । ଏହାପରେ ଜେନେରାଲ ମୁନୀରଙ୍କ ବିରୋଧରେ ସେନା ଅଧିକାରୀଙ୍କ ବିଦ୍ରୋହ ବଡ ସଂକଟ ଆଡକୁ ଇସାରା କରୁଛି ।

Comments are closed.