ଭୁବନେଶ୍ୱର:5ଟି ସଚିବ ଭିକେ ପାଣ୍ଡିଆନ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାର ଦିନକ ପରେ ତାଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା । ୫ଟି ଅଧ୍ୟକ୍ଷ ପଦ ସହ ନବୀନ ଓଡ଼ିଶାର ଅଧ୍ୟକ୍ଷ ପଦ ବି ଦିଆଯାଇଛି । ସେ ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିବେ । ହଠାତ ଓଡ଼ିଶା ରାଜନୀତିରେ ଏପରି ଆଶ୍ଚର୍ଯ୍ୟଜନକ ପରବର୍ତ୍ତନକୁ ନେଇ କଂଗ୍ରେସ କଡା ପ୍ରତିକ୍ରିୟା ପ୍ରକାଶ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଇସ୍ତଫା ଏକ ପ୍ରହେଳିକା । ଆରମ୍ଭ ହୋଇଛି ପୁଣି କ୍ଷମତା ହାସଲ କରିବାର ବିରାଟ ଷଡଯନ୍ତ୍ର ।
ଏହି ଘଟଣାରେ ବିଜେପିକୁ ଟାର୍ଗେଟ କରି ଶରତ ପଟ୍ଟନାୟକ କହିଛନ୍ତି, ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ବିଜେଡି-ବିଜେପି ହେଉଛନ୍ତି ଏକ । ପାଣ୍ଡିଆନ ଯେତେବେଳେ ଇସ୍ତଫା ପତ୍ର ଦେଲେ ତିନି ଦିନ ମଧ୍ୟରେ ମଞ୍ଜୁରୀ ମିଳି ଯାଇଛି । ଯଦି କେନ୍ଦ୍ର ତାଙ୍କ ଇସ୍ତଫା ଗ୍ରହଣ ନ କରିଥାନ୍ତେ ତେବେ ଆମେ ଜାଣିଥାନ୍ତୁ ବିଜେପି ଅଲଗା । ଆଗାମୀ ନିର୍ବାଚନ ବିଜେଡି-ବିଜେପି ଏକାଠି ଲଢିବେ ଏବଂ ପାଣ୍ଡିଆନ ହେବେ ଉଭୟ ଦଳର ଏଜେଣ୍ଟ ବୋଲି ଆକ୍ଷେପ କରି କହିଛନ୍ତି ଶରତ ପଟ୍ଟନାୟକ ।
ସେ ଆହୁରି କହିଛନ୍ତି, ଏ ଦୁଇଦଳ ଏକ ହେଲେ ସେମାନଙ୍କ ଚେକ ଦେବାକୁ ଗୋଟିଏ ଦଳ ରହିଛି ଏବଂ ସେ ହେଉଛି କଂଗ୍ରେସ ।
ପୂର୍ବରୁ ଆଇଏଏସ ଅଫିସରମାନଙ୍କ ନିକଟରେ ଓଡ଼ିଶାକୁ ଭଡାରେ ଲଗାଇଥିବାର ଅନେକ ନଜିର ରହିଛି । ଏବେ ସରକାର ଓଡ଼ିଶାକୁ ଲିଜରେ ଦେଇଛନ୍ତି । ବିଜେଡି-ବିଜେପି ବିରାଟ ଷଡଯନ୍ତ୍ର କରୁଛନ୍ତି । ପାଣ୍ଡିଆନଙ୍କ ଉପରେ ବର୍ଷି ପିସିସି ସଭାପତି କହିଛନ୍ତି, ୫ଟି ସଚିବ ଥିବାବେଳେ ସବୁ ଆଇଏଏସଙ୍କ କ୍ଷମତାକୁ ଭୋଗ କରୁଥିଲେ । ଏବେ ପୁଣି ୫ଟି ସହ ନବୀନ ଓଡ଼ିଶା ଅଧ୍ୟକ୍ଷ ହେଲେ । ୪ ହଜାର କୋଟି ଟଙ୍କା ରହିଛି ନବୀନ ଓଡ଼ିଶା ଯୋଜନାରେ । ଏବେ ସେ ଟଙ୍କା ତାଙ୍କ ହାତରେ । ୨୦୨୪ ରେ ଏହି ଟଙ୍କାକୁ କେମିତି ହାତେଇବେ, ଓଡ଼ିଶାବାସୀଙ୍କୁ ଭୂଆଁ ବୁଲେଇ ଏହି ଟଙ୍କା ନିକ ପକେଟରେ ପକେଇବେ ସେଥିପାଇଁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ପିସିସି ସଭାପତି ।
Comments are closed.