Latest Odisha News

BREAKING NEWS

ମମତାଙ୍କ ପ୍ରତି ବୈରାଗ୍ୟ, ରାଜ୍ୟସଭାରୁ ଟିଏମସି ନେତାଙ୍କ ଇସ୍ତଫା

କୋଲକାତା: ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ବାନାର୍ଜୀ ସରକାର ବିରୋଧରେ ଜନଆକ୍ରୋଶ ଜାରି ରହିଥିବା ବେଳେ ଟିଏମସିରେ କୁହୁଳୁଥିବା ଅସନ୍ତୋଷ ପଦାରେ ପଡିଲାଣି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଆରଜି କର ହସପିଟାଲ ଘଟଣାରେ ମମତା ବାନାର୍ଜୀ ସରକାରଙ୍କ ଆଭିମୁଖ୍ୟ ବିରୋଧରେ ଚରମ ଅସନ୍ତୋଷ ପ୍ରକାଶ କରି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଟିଏମସି ନେତା ଜବାହର ସରକାର । ମମତାଙ୍କୁ ନିଜର ଇସ୍ତଫା ନେଇ ଚିଠି ଲେଖି ଜଣାଇ ଦେଇଛନ୍ତି ଜବାହର । ନିଜ ଦଳର ହିଁ କିଛି ନେତାଙ୍କ ବିରୋଧରେ ଦବଙ୍ଗଗିରିର ଅଭିଯୋଗ ଆଣି ମମତାଙ୍କୁ ଚିଠି ଲେଖିଛନ୍ତି ଜବାହର । ଜବାହରଙ୍କ ଅସନ୍ତୋଷ ଓ ରାଜ୍ୟସଭାରୁ ଇସ୍ତଫା ମମତା ବାନାର୍ଜୀ ସରକାରଙ୍କ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି ।

ମମତାଙ୍କୁ ଅସନ୍ତୋଷ ଓ ଆକ୍ରୋଶ ଭରା ଚିଠି

ମମତା ବାନାର୍ଜୀଙ୍କୁ ଏକ ଅସନ୍ତୋଷ ଓ ଆକ୍ରୋଶ ଭରା ଚିଠି ଲେଖିଛନ୍ତି ଜବାହର । ଦୁର୍ନୀତିଗ୍ରସ୍ତ ଅଧିକାରୀ ବା ଡାକ୍ତରମାନଙ୍କୁ ଉଚ୍ଚ ପଦପଦବୀ ମିଳିଛି । ଏଭଳି କିଛି ଘଟଣାକୁ ସେ ବରଦାସ୍ତ କରିପାରୁନାହାନ୍ତି ବୋଲି ଟିଏମସି ସୁପ୍ରିମୋଙ୍କୁ ଲେଖିଥିବା ଚିିଠିରେ ଉଲ୍ଲେଖ କରିଛନ୍ତି ଜବାହର ସରକାର । ଆରଜି କର ଘଟଣା ପରେ ଜନତାଙ୍କ ଆକ୍ରୋଶ ଟିଏମସି ସରକାର ପ୍ରତି ବଢୁଥିବା ଅସନ୍ତୋଷକୁ ଦର୍ଶାଉଛି । ମମତା ବାନାର୍ଜୀ ସରକାର ଲୋକଙ୍କ ବିଶ୍ୱାସ ହରାଇଛନ୍ତି । ଏତେ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିରୋଧରେ ଏମିତି ଆକ୍ରୋଶ ଓ ଅବିଶ୍ୱାସ କେବେ ଦେଖିନଥିଲେ ବୋଲି ଜବାହର ଚିଠିରେ ଲେଖିଛନ୍ତି ।

ବହୁତ ଡେରିରେ ହେଲା କାର୍ଯ୍ୟାନୁଷ୍ଠାନ

ଆରଜି କର ଘଟଣା ପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ନିରାଶାଜନକ ଥିଲା । ଆରଜି କର ହସପିଟାଲରେ ଭୟଙ୍କର ଘଟଣା ପରେ ମାସେ କାଳ ସେ ଧୈର୍ଯ୍ୟ ଧରିବାକୁ ଉଦ୍ୟମ କରୁଛନ୍ତି । ମମତା ବାନାର୍ଜୀ ସରକାର ଆନ୍ଦୋଳନରତ ଜୁନିଅର ଡାକ୍ତରମାନଙ୍କ ସହ ସିଧାସଳଖ କଥାବାର୍ତ୍ତା ଆରମ୍ଭ କରିବେ ବୋଲି ସେ ଆଶା ରଖିଥିଲେ । କିନ୍ତୁ ତାହା ହେଲା ନାହିଁ । ରାଜ୍ୟ ସରକାର ଯାହା ବି ପଦକ୍ଷେପ ନେଇଛନ୍ତି, ତାହା ବହୁତ କମ୍ ଓ ବହୁତ ଡେରିରେ ଆକସନ ନେଇଛନ୍ତି ବୋଲି ମମତାଙ୍କୁ ଲେଖିଥିବା ଚିଠିରେ ଅଭିଯୋଗ କରିଛନ୍ତି ଜବାହର ସରକାର ।

 

ଜବାହରଙ୍କ ପରାମର୍ଶ: ବେଳ ଥାଉ ସୁଧୁରି ଯାଅ

ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଟିଏମସିକୁ କିଛି ପରାମର୍ଶ ଦେଇଛନ୍ତି ଜବାହର ସରକାର । ଅଚଳାବସ୍ଥା ଦୂର କରିବା ପାଇଁ ନିଜ ଦଳକୁ ପରାମର୍ଶ ଦେଇଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ନୁହେଁ, ବରଂ ପୀଡିତାଙ୍କୁ ନ୍ୟାୟ ଓ ଦୋଷୀଙ୍କୁ ଦଣ୍ଡଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ ଓ ଆନ୍ଦୋଳନ ହେଉଛି । ଯଦି ଦଳ ଠିକ୍ ପଦକ୍ଷେପ ନ ନିଏ, ତାହା ହେଲେ ସାଂପ୍ରଦାୟିକ ଶକ୍ତି ପଶ୍ଚିମବଙ୍ଗକୁ କବଜା କରିବେ ବୋଲି ମମତାଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଜବାହର । ରାଜନୀତିରୁ ଦୂରେଇ ରହିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ଟିଏମସି ନେତା । ଖୁବ୍ ଶୀଘ୍ର ସେ ଦିଲ୍ଲୀ ଯାଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଇସ୍ତଫା ପ୍ରଦାନ କରିବେ ବୋଲି ଜବାହର ଚିଠି ଲେଖି ମମତାଙ୍କୁ ଜଣାଇଛନ୍ତି ।

 

ଆରଜି କର ଘଟଣା ପରେ ଶାସକ ଟିଏମସିର କୌଣସି ନେତା ପ୍ରଥମ ଥର ପାଇଁ ନିଜ ଦଳର ସରକାର ବିରୋଧରେ ଖୋଲାଖୋଲି ଅସନ୍ତୋଷ ପ୍ରକଟ କରିଛନ୍ତି । ଜବାହର ସରକାରଙ୍କ ଇସ୍ତଫା ମମତା ବାନାର୍ଜୀଙ୍କ ପ୍ରତି ଅଡୁଆ ସୃଷ୍ଟି କରିପାରେ ।

Comments are closed.