ଭୁବନେଶ୍ବର : ମହାମାରୀ ଓ ବିପର୍ଯ୍ୟୟ ମୁକାବିଲା ନେଇ ସଙ୍କଳ୍ପ ପାରିତ ହୋଇଛି । ଆଜି ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଏହି ସଙ୍କଳ୍ପ ପାରିତ ହୋଇଛି । ଏହାସହ ଆହୁରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସଙ୍କଳ୍ପ ପାରିତ ହୋଇଛି । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ଦକ୍ଷତା ସଂପର୍କରେ ସାରା ବିଶ୍ବର ଦୃଷ୍ଟିଭଙ୍ଗୀ ବଦଳି ଯାଇଛି । ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ହୋଇଛି ଏବଂ ସାରା ବିଶ୍ବରୁ ପ୍ରଶଂସା ସାଉଁଟିଛି ବୋଲି ବୈଠକ ପରେ କହିଛନ୍ତି ମୁଖ୍ୟ ଶାସନ ସଚିବ ।
ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଂପୃକ୍ତିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । କୋଭିଡ ମହାମାରୀ ସମସ୍ତଙ୍କ ପାଇଁ ଏକ ନୂଆ ବାସ୍ତବତା ବୋଲି କୁହାଯାଇଛି । ମହାମାରୀ ମାନବ ସମାଜ ପାଇଁ ସଙ୍କଟର ଦୁଇଟି ନୂଆ ଦିଗ ଆଣିଛି । ଅଜଣା ଅଶୁଣା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ରାଜ୍ୟରେ ଜ୍ଞାନର ଏକ ବିସ୍ତୃତ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡ଼ିବ । ସେ ବିଷୟରେ ସବୁ ଲୋକଙ୍କୁ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏଣିକି ପ୍ରତି ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମହାମାରୀ ପରିଚାଳନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ପର୍ଯନ୍ତ ସବୁ ବିଷୟରେ ଜ୍ଞାନ ଆହରଣ କରିବେ । ଏବଂ ଏହା ସେମାନଙ୍କ ପାଠ୍ୟକ୍ରମର ଅଂଶ ବିଶେଷ ହେବ । ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ମୌଳିକ ଦିଗ ଉପରେ ପ୍ରତି ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ । ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା, ସରକାରୀ ଚାକିରି ଓ ନିଯୁକ୍ତି ପାଇଁ ଏହା ଏକ ବାଧ୍ୟତାମୂଳକ ବିଷୟ ହେବ ।
ସେହିପରି ବିପର୍ଯ୍ୟୟ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ସବୁ ନିର୍ବାଚିତ ପ୍ରତିନିଧି ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟରେ ତାଲିମ ନେବେ । ମିଶନ ଶକ୍ତି ଗୋଷ୍ଠୀ, ବନ ସୁରକ୍ଷା ସମିତି ଓ ଅନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ଗୁଡିକୁ ତାଲିମ ଦିଆଯିବ । ଏହି ଲକ୍ଷ୍ୟ ପୂରଣ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ମନ୍ତ୍ରୀ ପରିଷଦ ସଙ୍କଳ୍ପ ନେଇଛି ।
Comments are closed.