Latest Odisha News

BREAKING NEWS

ଦୀର୍ଘ ୫ ମାସ ପରେ ଆନ୍ଦୋଳନରୁ ଓହରିଲେ କୁସ୍ତି ଯୋଦ୍ଧା, ଏବେ ଲଢ଼େଇ କୋର୍ଟରେ ଚାଲିବ

ନୂଆଦିଲ୍ଲୀ: ଦୀର୍ଘ ୫ ମାସ ଧରି ଭାରତୀୟ କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା କୁସ୍ତି ଯୋଦ୍ଧାମାନେ ଶେଷରେ ଆନ୍ଦୋଳନ ସ୍ଥଗତି ରଖିବାକୁ ଘୋଷଣା କରିଛନ୍ତି। ଏବେ ଆଉ ରାସ୍ତାରେ ନୁହେଁ କୋର୍ଟରେ ଚାଲିବ ଲଢ଼େଇ। ଏଥିପାଇଁ ଆଇନଗତ ଦିଗରେ ସଜବାଜ ହେଲେଣି କୁସ୍ତିଯୋଦ୍ଧା। ଯେପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ ସେ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସାକ୍ଷୀ ଓ ବିନେଶ ଟ୍ୱିଟ୍ କରି ଲେଖିଛନ୍ତି “ସରକାରଙ୍କ ସହ ଜୁନ ୭ ତାରିଖରେ ଆଲୋଚନା ହୋଇଥିଲା। ସରକାର କୁସ୍ତିଯୋଦ୍ଧାମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରି ମହିଳା କୁସ୍ତିଯୋଦ୍ଧା ଉପରେ ହୋଇଥିବା ନିର୍ଯ୍ୟାତନା ତଥା ଯୌନ ଶୋଷଣ ସମ୍ପର୍କରେ ଅଭିଯୋଗରେ ମାମଲା ରୁଜୁ କରିଥିଲେ। ଦିଲ୍ଲୀ ପୁଲିସ ତଦନ୍ତ ଶେଷ କରି ୧୫ ଜୁନ୍ ଦିନ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ମାମଲାରେ କୁସ୍ତିଯୋଦ୍ଧାମାନଙ୍କର ଆଇନଗତ ଲଢ଼େଇ ଏବେ ସଡ଼କ ପରିବର୍ତ୍ତେ କୋର୍ଟରେ ଜାରି ରହିବ। ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି।”

ସେ ଆହୁରି ମଧ୍ୟ ଲେଖିଛନ୍ତି, “କୁସ୍ତି ସଙ୍ଗଠନର ସୁଧାର ସଂପର୍କରେ ନୂଆ କୁସ୍ତି ସଙ୍ଗଠନର ନିର୍ବାଚନ ପ୍ରକ୍ରିୟା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି। ଜୁଲାଇ ୧୧ ରେ ନିର୍ବାଚନ ହେବା ନେଇ ଧାର୍ଯ୍ୟ ହୋଇଛି। ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାର ଅପେକ୍ଷା ରହିବ। ” ଏହି ଟ୍ୱିଟ୍ ସହିତ ସାକ୍ଷୀ ମଲିକ ଓ ବିନେଶ ଫୋଗାଟ ସୋସିଆଲ ମିଡିଆରୁ କିଛି ଦିନ ପାଇଁ ଦୂରେଇ ରହିବେ ବୋଲି ଉଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଦେଶର ପ୍ରସିଦ୍ଧ କୁସ୍ତିଯୋଦ୍ଧାମାନେ ଗତ ପାଞ୍ଚ ମାସ ଧରି ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଥିଲେ। ଏଥିପାଇଁ ସେମାନେ ଦିଲ୍ଲୀର ଜନ୍ତର ମନ୍ତରରେ ଟେଣ୍ଟ ବାନ୍ଧୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ତାଙ୍କର ଇସ୍ତଫା ସହ ଗିରଫ ଦାବି କରିଥିଲେ ଆନ୍ଦୋଳନରତ ଖେଳାଳି। ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ଏଫଆଇଆର ଦାୟର କରିଥିଲା। ତେବେ ପରେ ନାବାଳିକା କୁସ୍ତିଯୋଦ୍ଧା ଏଫ୍‌ଆଇଆର୍‌ରେ କରିଥିବା ଅଭିଯୋଗ ପ୍ରତ୍ୟାହାର କରି ନେଇଥିଲେ।

Leave A Reply

Your email address will not be published.