Latest Odisha News

ପ୍ରଥମ ପର୍ଯ୍ୟାୟ ଅନଲକରେ ଖୋଲିପାରେ ଓଡ଼ିଶାର ଏସବୁ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଛି । ୧୭ ତାରିଖରୁ ଆରମ୍ଭ ହୋଇପାରେ ପର୍ଯ୍ୟାୟ କ୍ରମେ ଅନଲକ୍ ପ୍ରକ୍ରିୟା । ସଂକ୍ରମଣ ହାର କମୁଥିବା ଜିଲ୍ଲାରେ ଅନଲକ୍ ପ୍ରକ୍ରିୟା ନେଇ ବିଚାର କରାଯାଉଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଏବେ ରାଜ୍ୟର କରୋନା ଗ୍ରାଫ ଦର୍ଶାଉଛି, ପ୍ରଥମ ପର୍ଯ୍ୟାୟ ଅନଲକରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କୋହଳ ହୋଇପାରେ କଟକଣା ।
୧୦ ଜିଲ୍ଲାରେ ପଜିଟିଭିଟି ରେଟ୍ ସ୍ଥିର
ଉଭୟ ପଜିଟିଭିଟି ଓ ଆକ୍ଟିଭ୍ କେସର ଗ୍ରୀନ୍ ଜୋନରେ ଥିବା ଜିଲ୍ଲାଗୁଡ଼ିକୁ ଅନଲକ୍ କରିବା ଦିଗରେ ସରକାର ବିଚାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜିର କରୋନା ଗ୍ରାଫ କହୁଛି, ଏହି ତାଲିକାରେ ଆସୁଛି ୧୦ ଜିଲ୍ଲା । ପଶ୍ଚିମ ଓଡ଼ିଶାର ୭ ଜିଲ୍ଲା ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡି । ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା କନ୍ଧମାଳ, ଗଞ୍ଜାମ ଓ ଗଜପତି ।

ଏହି ୧୦ ଜିଲ୍ଲାରେ ପଜିଟିଭିଟି ରେଟ୍ ୫ ପ୍ରତିଶତ ତଳେ ରହିଛି । ସଂକ୍ରମଣ ହାର ସ୍ଥିର ରହିଥିବା ବେଳେ ଆକ୍ଟିଭ୍ କେସ୍ ବି ହଜାରେ ଭିତରେ ରହିଛି । ତେଣୁ ଆଶା କରାଯାଉଛି ପ୍ରଥମ ପର୍ଯ୍ୟାୟ ଅନଲକ୍ ବେଳେ ଏସବୁ ଜିଲ୍ଲାରେ ଜୀବିକା ଉପରେ ଫୋକସ୍ କରି କୋଭିଡ୍ କଟକଣାକୁ କୋହଳ କରି ପାରନ୍ତି ସରକାର ।
ଉପକୂଳରେ ସ୍ଥିତି ଚିନ୍ତାଜନକ
କିନ୍ତୁ ଉପକୂଳ ଓଡ଼ିଶା ଜିଲ୍ଲାରେ ଏବେ ବି ସ୍ଥିତି ଉଦବେଗଜନକ ରହିଛି । ଯଦିଓ ଦୈନିକ ସଂକ୍ରମଣ କମୁଛି କିନ୍ତୁ ପଜିଟିଭିଟି ହାର ଅଧିକ ରହିଛି । ଯାଜପୁର ଜିଲ୍ଲାରେ ସର୍ବାଧିକ ୨୦.୮ ପ୍ରତିଶତ ରହିଛି ପଜିଟିଭିଟି । ସେହିପରି କଟକରେ ୧୩.୯, ପୁରୀରେ ୧୨.୭, ମୟୂରଭ଼୍ଜରେ ୧୨.୧, ନୟାଗଡ଼ରେ ୧୨ ପ୍ରତିଶତ ରହିଛି ପଜିଟିଭିଟି । ତେଣୁ ଉଭୟ ଆକ୍ଟିଭ୍ ଓ ପିଜିଟିଭିଟିରେ ରେଡ୍ ଜୋନରେ ଥିବା ଜିଲ୍ଲା ପାଇଁ ସ୍ୱତନ୍ତ୍ର ରଣନୀତି ହୋଇପାରେ ।
ରେଡ୍ ଜୋନ୍ ଜିଲ୍ଲା ରଣନୀତି କଣ ?
ପୂର୍ବରୁ କୋଭିଡ୍ ସ୍ଥିତି ସମୀକ୍ଷା ବେଳେ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲା ମୁଖ୍ୟମନ୍ତ୍ରୀ । ତେଣୁ ୧୭ ତାରିଖ ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଲେ ପଶ୍ଚିମ ଓଡ଼ିଶା ଜିଲ୍ଲାରେ କଟକଣା କୋହଳ ହୋଇପାରେ । ଉପକୂଳ ଓଡ଼ିଶା ପ୍ରତି କଣ ରହିବ ମୁକାବିଲା ରଣନୀତି ତାଉପରେ ବି ନଜର ରହିଛି ।

Leave A Reply

Your email address will not be published.