Latest Odisha News

BREAKING NEWS

‘ବାଲି ଚୋରି ରୋକିବା ନେଇ ଚାଲିଛି ବ୍ୟବସ୍ଥା, ସଂଶୋଧନ କରାଯିବ ପୁରୁଣା ଆଇନ’

ଭୁବନେଶ୍ବର: ବାଲି ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ବାଲି ଚୋରି ରୋକିବା ନେଇ ରାଜ୍ୟସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେହିପରି ଆଉ ଅଣ ରାଜସ୍ୱ କାମ କରିପାରିବେନି ରାଜସ୍ବ ଅଧିକାରୀ ବା ଆରଆଇ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ବ ସଚିବ।

ଯେଉଁ ମାନେ ରାଜସ୍ୱ ବିଭାଗରେ ORS ଭାବେ ପଦୋନ୍ନତି ପାଉଥିଲେ। ସେମାନଙ୍କର ରାଜସ୍ୱ ବିଭାଗରେ ଅଭିଜ୍ଞତା ନଥିଲା। ରାଜସ୍ବ ବିଭାଗର କାମ ଗୁଡ଼ିକୁ ଶାଣିତ ଏବଂ ଲୋକାଭିମୁଖୀ କରିବା ପାଇଁ ରାଜସ୍ୱ ବିଭାଗ ପ୍ରତି କେମିତି ସଂପୂର୍ଣ୍ଣ ନ୍ୟାୟ କରିପାରିବେ ଓ ଲୋକଙ୍କୁ ସେବା ଯୋଗାଇବା ପାଇଁ ସଂସ୍କାର କରାଯାଉଛି। ଏପଟେ ବାଲି ମାଫିଆଙ୍କ ଦୌରତ୍ମ୍ୟ ବଡ଼ ସମସ୍ୟା ହୋଇଛି। ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ପଡ଼ିବ। ପୁରୁଣା ଆଇନକୁ ସଂଶୋଧନ କରାଯିବ, ଯେଉଁ ଆଇନର ଆବଶ୍ୟକ ନାହିଁ ତାକୁ ରଦ୍ଦ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଏହି ପ୍ରସଙ୍ଗକୁ ନେଇ ପୂର୍ବ ସରକାରଙ୍କୁ ଦୋଷ ଦେବା ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପୂର୍ବରୁ ବାଲି ରାଜସ୍ୱ ବିଭାଗରେ ଥିଲା। ହେଲେ କାହିଁକି ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ପୂର୍ବତନ ସରକାର ଜଣାନାହିଁ। ବାଲି ଖଣିଜ ପଦାର୍ଥର ତାଲିକାଭୁକ୍ତ ହେଲା କେମିତି? ବାଲି ଖନନ ହୁଏ ନାହିଁ, ସଂଗ୍ରହ ହୁଏ। ଏ ବିଷୟରେ ଅଧ୍ୟୟନ କରାଯାଉଛି। ବାଲି ଚୋରି ଅଭିଯୋଗ ମଧ୍ୟ ହସ୍ତଗତ ହୋଇଛି। ଆଇନ ଉଲଂଘନର ଅଭିଯୋଗ ମଧ୍ୟ ଆସୁଛି। ବାଲି ପରିବହନ ବେଳେ ବଡ଼ ବଡ଼ ଗାଡ଼ି ଦ୍ଵାରା ରାସ୍ତା ଖରାପ ହେଉଛି । ଜଳ ସମ୍ପଦ ବିଭାଗର ମଧ୍ୟ ମତ ନିଆଯାଇଛି। ବାଲି ଚୋରି ରୋକିବା ସହ ଆବଣ୍ଟନ ବ୍ୟବସ୍ଥିତ କରିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ମନ୍ତ୍ରୀ କହିଛନ୍ତି।

 

Comments are closed.