Odisha Flood Situation: ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ବନ୍ୟା ପାଣି ଛାଡ଼ିଲେ ମିଳିବ କ୍ଷତିପୂରଣ
ଭୁବନେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ ନଦୀଜଳ ପ୍ରବାହିତ ହେଉଥିବାବେଳେ ଜଳକା ଜଳସ୍ତର ବଢ଼ୁଛି। ରାଜ୍ୟରେ ଏହି ବନ୍ୟା ସ୍ଥିତିକୁ ନଜରରେ ରଖି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି, ‘ବ୍ରାହ୍ମଣୀ ସତର୍କ ସଂକେତ ଉପରେ, ଆଖୁଆପଦାରେ ବୈତରଣୀ ସ୍ଥିର ଅଛି। ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା ସାମାନ୍ୟ ବିପଦ ସଂକେତ ଉପରେ ଅଛି। ଯାଜପୁରର ସର୍ବାଧିକ ୪୬ ଗାଁ, ୧୪ ପଂଚାୟତ ପ୍ରଭାବିତ ହୋଇଛି। ତେଣୁ ସ୍ଥିତିକୁ ନଜରରେ ରଖି ସମସ୍ତ ସେବା ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି ମୃତାହତ ଖବର ନାହିଁ। ବନ୍ୟାପ୍ରଭାବିତ ଲୋକଙ୍କୁ ବେଶି ସମୟ ପାଣିରେ ନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ ପାଣିରେ ସାପ ବିପଦ ଅଛି। ଆଶ୍ରୟସ୍ଥଳୀକୁ ଆସନ୍ତୁ, ପୋଲିସକୁ ଘର ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଛି, ପାଣି ଛାଡୁ ଛାଡୁ କ୍ଷତିପୂରଣ ମିଳିଯିବ।’
ସୂଚନାଥାଉକି, ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ କିଛି ସ୍ଥାନରେ ପ୍ରବଳ ଓ ଅତିପ୍ରବଳ ବର୍ଷା ହୋଇପାରେ, ଫଳରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପାରେ। ଅନ୍ୟପକ୍ଷରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ରବିବାର ସନ୍ଧ୍ୟା ସୁଦ୍ଧା ୧୨ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏଭଳିସ୍ଥଳେ ତଳମୁଣ୍ଡରେ ବର୍ଷା ଲାଗିରହିଲେ ବ୍ୟାପକ ଅଞ୍ଚଳ ଜଳାର୍ଣ୍ଣବ ହୋଇପାରେ ବୋଲି ଅନୁମାନ କରାଯାଉଛି।
Comments are closed.