ଭୁବନେଶ୍ବର: ଏଣିକି ଆଉ ଅଣରାଜସ୍ବ କାମ କରିବେନି ରାଜସ୍ବ ଅଧିକାରୀ । ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗ ପକ୍ଷକୁ ଚିଠି କରାଯାଇଛି । ଏବେ ଆଉ ଆରଆଇ, ଏଆରଆଇ ଏବଂ ଅମିନମାନଙ୍କୁ ରାଜସ୍ବ ବିଭାଗ କାମ ବ୍ୟତୀତ ଅନ୍ୟ କୌଣସି କାମରେ ନିୟୋଜିତ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଣରାଜସ୍ବ କାର୍ଯ୍ୟରେ ଏମାନଙ୍କୁ ନିୟୋଜିତ କରାଯାଉଥିବାରୁ ଲୋକଙ୍କ ସେବା ଗୁରୁତର ଭାବେ ବ୍ୟାଘ୍ରତ ହେଉଛି ତେଣୁ ଅଧିକାରୀମାନଙ୍କୁ ଏନେଇ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳଙ୍କୁ ଚିଠିରେ ଅବଗତ କରାଯାଇଛି ।
ଏହାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପ୍ରଶାସନିକ ମୂଳ ବିଭାଗ ହେଉଛି ରାଜସ୍ବ ବିଭାଗ । ଏହାର କାର୍ଯ୍ୟକୁ ଆହୁରି ଶଣିତ କରିବା ପାଇଁ ଅନେକ ସଂସ୍କାର ଆଣିବାର ଆବଶ୍ୟକ ରହିଛି । ରାଜସ୍ବ ବିଭାଗ କିପରି ଆହୁରି ଲୋକଭିମୁଖୀ ହେବ, ବିଭାଗର ସେବା କିପରି ଲୋକଙ୍କ ପାଖରେ ପହଞ୍ଚିବ, ଏହାକୁ ନେଇ ବିଭାଗରେ ୨୦ଟି ସଂସ୍କାର ଅଣାଯିବାକୁ ଯାଉଛି । ଏହାସହିତ ଆହୁରି ଅନେକ ଆଇନ ସଂଶୋଧନ ହେବ । ଯେଉଁ ଆଇନର ଆବଶ୍ୟକ ନାହିଁ ତାକୁ ରଦ୍ଦ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।